କନକ ବ୍ୟୁରୋ: ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତର ଅପରାଜେୟ ଧାରା ଜାରି ରହିଛି ।  ସୁପର୍‌-୪ ମୁକାବିଲାରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୪-୧ ଗୋଲ୍‌ରେ ଫର୍ମରେ ଥିବା ମାଲେସିଆକୁ ପରାସ୍ତ କରିଛି । ବୁଧବାର ସଂଧ୍ୟାରେ ଦକ୍ଷିଣ କୋରିଆ ସହ ୨-୨ ଗୋଲ୍‌ରେ ପଏଣ୍ଟ ଭାଗ କରିଥିବା ହର୍ମନପ୍ରୀତ୍ ସିଂହଙ୍କ ଟିମ୍‌କୁ ମାଲେସିଆ ପ୍ରଥମେ‌ ଗୋଲ୍  ଦେଇଥିଲା । କିନ୍ତୁ ଏହାପରେ ଆଉ କୌଣସି ସୁଯୋଗ ନଦେଇ ଭାରତୀୟ ଦଳ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲା । ଯାହାଫଳରେ ସୁପର୍‌-୪ ପଏଣ୍ଟ୍ ଟେବୁଲ୍‌ରେ ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି । ସୁପର୍‌-୪ରେ ଭାରତ ମଧ୍ୟ ଏକମାତ୍ର ଦଳ ଭାବେ ଅପରାଜିତ ରହିଛି । ପୂର୍ବରୁ ପୁଲ୍‌-‘ଏ’ରେ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରି ସୁପର୍‌-୪କୁ ଆସିଥିଲା ।

Advertisment

ମ୍ୟାଚ୍‌ ଆରମ୍ଭରୁ ମାଲେସିଆ ପାଇଁ ସଫିକ୍‌ ହାସନ୍ ଏକ ଫିଲ୍ଡ ଗୋଲ୍ ଦେଇ ଗତବର୍ଷର ଉପବିଜେତା ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ । ପ୍ରଥମ କ୍ୱାର୍ଟରକୁ ମଧ୍ୟ ମାଲେସିଆ ଏହି ସ୍କୋର୍‌ ଲାଇନ୍‌ରେ ଶେ‌ଷ କରିଥିଲା । ଦ୍ବିତୀୟ କ୍ବାର୍ଟର ଦ୍ବିତୀୟ ମିନିଟ୍‌ (୧୭)ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ୍ ସିଂହ‌ ପେନାଲ୍ଟି କର୍ଣ୍ଣରକୁ କନ୍‌ଭର୍ଟ କରି ମ୍ୟାଚ୍‌କୁ ବରାବର ସ୍ତରକୁ ନେଇ ଆସିଥିଲେ । ଏହାର ଦୁଇ ମିନିଟ୍ ପରେ ସୁଖଜିତ୍ ସିଂହ (୧୯ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ ଭାରତକୁ ପ୍ରଥମ ଥର ଆଗୁଆ କରିଦେଇଥିଲା । ଦ୍ବିତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା (୨୪ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ ଭାରତକୁ ପ୍ରଥମାର୍ଦ୍ଧ ସୁଦ୍ଧା ୩-୧ରେ ବିରାମ ଦେଇଥିଲା । 

ଦୃଢ଼ ଡିଫେନ୍ସ କାରଣରୁ ମାଲେସିଆ ଖେଳାଳିଙ୍କ ସମସ୍ତ ପ୍ରୟାସକୁ ପଣ୍ଡ କରୁଥିବା ଭାରତୀୟ ଦଳ ଆଉ ଚାପରେ ପଡ଼ି ନଥିଲା । ବରଂ ପାର୍ଶ୍ୱ ପରିବର୍ତ୍ତନ ପରେ ବିବେକ ସାଗର ପ୍ରସାଦଙ୍କ ଫିଲ୍ଡ ଗୋଲ୍ ଭାରତକୁ ୪-୧ରେ ପହଞ୍ଚାଇ ଦେଇଥିଲା । ଚତୁର୍ଥ କ୍ୱାର୍ଟର‌ ଗୋଲ‌୍‌ଶୂନ୍ୟ ବିତିବାରୁ ହର୍ମନପ୍ରୀତ୍‌ଙ୍କ ଦଳ ୫ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲା । ଶୁକ୍ରବାର ବିଶ୍ରାମ ଦିବସ ଥିବାବେଳେ ଶନିବାର ଭାରତ ଶେଷ ସୁପର୍‌-୪ ମ୍ୟାଚ୍‌ରେ ଚୀନ୍‌କୁ ଭେଟିବ । ଚୀନକୁ ହରାଇ ଭାରତ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଥିଲା । ସୁପର୍‌-୪ର ଦୁଇ ରାଉଣ୍ଡ୍ ଶେଷ ହୋଇଛି। ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବେ । ଏବେ ଭାରତ ଶୀର୍ଷରେ ଥିବାବେଳେ ଚୀନ ଓ ମାଲେସିଆ ପ୍ରତ୍ୟେକ ୩ ଲେଖାଏଁ ପଏଣ୍ଟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।‌ ଗୁରୁବାର ଚୀନ୍‌ ୩-୦ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି ।

ଭାରତୀୟ ହକି ଦଳର ତାରକା ଡ୍ରାଗ୍ ଫ୍ଲିକର ତଥା ଅଧିନାୟକ ହର୍ମନପ୍ରୀତ୍ ସିଂହ ଗୁରୁବାର ନିଜ ଖେଳ ଜୀବନର ୨୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଚଳିତ ଏସିଆ କପ୍‌ର ମାଲେସିଆ ବିପକ୍ଷ ମ୍ୟାଚ୍‌ ଖେଳି ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି । ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ମ୍ୟାଚ୍ ପୂର୍ବରୁ ହର୍ମନପ୍ରୀତ୍‌ଙ୍କୁ ତାଙ୍କ ୨୫୦ତମ ମ୍ୟାଚ୍ ଜର୍ସି ପ୍ରଦାନ କରିଥିଲେ । ଏହା ମୋ ପାଇଁ ଅତ୍ୟନ୍ତ ଭାବବିହ୍ବଳ ଓ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଥିଲେ ସେ। ଏଥିଲାଗି ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ସଂପାଦକ ଭୋଳାନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି । 
୨୦୧୫ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହର୍ମନପ୍ରୀତ୍ ଭାରତୀୟ ରକ୍ଷଣଭାଗର ଅଭିନ୍ନ ଅଙ୍ଗ ହୋଇ ରହିଆସିଛନ୍ତି । କନିଷ୍ଠ ଏସିଆ କପ୍ ଓ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଏହା ପରେ ଭାରତୀୟ ବରିଷ୍ଠ ଦଳର ସଦସ୍ୟ ହୋଇ ସେ ବହୁ ପ୍ରତିଯୋଗିତାରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଅଷ୍ଟମ ସ୍ଥାନରେ ଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ତେବେ ୨୦୨୦ ଟୋକିଓରେ କଂସ୍ୟ ପଦକ ଜିତିବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ହର୍ମନପ୍ରୀତଙ୍କ ନେତୃତ୍ବରେ ଭାରତ ଏହି ସଫଳତା ଦୋହରାଇ ଇତିହାସ ରଚିଥିଲା ।