କନକ ବ୍ୟୁରୋ: ଟାରିଫ୍ କଥାକୁ ନେଇ ଭାରତ-ଆମେରିକା ଭିତରେ ଏବେ ତିକ୍ତ ହେବାରେ ଲାଗିଛି ସମ୍ପର୍କ । ଏହି ତିକ୍ତତା ପଛରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଭାରତ-ପାକିସ୍ତାନ ବିବାଦ ସମ୍ପର୍କରେ ଦିଆଯାଇଥିବା ବୟାନ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ ଆମେରିକାର ଉପରେ ଭାରତ ଏପର୍ଯ୍ୟନ୍ତ କୌଣସି ବି ପ୍ରତିକ୍ରିୟା ଦେଇନାହିଁ । ତେଣୁ କୁହାଯାଉଛି ଏହି କାରଣରୁ ଏବେ ଆମେରିକା ଭାରତର ନିରବତାରେ ବିରକ୍ତ ହେଉଛି । ଆଉ ଏଥିପାଇଁ ଆମେରିକା ପୁଣିଥରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଇଙ୍ଗିତ କରିଛି ।

Advertisment

ଆମେରିକା ଅଗଷ୍ଟ ୨୭ ତାରିଖରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଆରମ୍ଭ କରିଛି । ଏହାପରେ, ଆମେରିକା ଭାରତ ଆସି ସମଗ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଛି । ଏହି କାରଣରୁ ଆମେରିକା ଆଲୋଚନା ପାଇଁ ସଙ୍କେତ ଦେଇଛି । ଆମେରିକା ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଶୀର୍ଷ ସ୍ତରୀୟ ଆଲୋଚନା ପୁଣି ଆରମ୍ଭ କରିବାକୁ ଚାହୁଛି ।

ତେବେ ଭାରତର କଠୋର ମନୋଭାବ ପରେ, ଆମେରିକା ପ୍ରଶାସନ ଏହି ସଙ୍କେତ ଦେଇଛି । ଏହାସହ ଯଦି ଆଲୋଚନା ଆରମ୍ଭ ନ ହୁଏ, ତେବେ ଆମେରିକା ଭାରତ ସହିତ ଜଡିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି  । ଆମେରିକା କୌଣସି ପରିସ୍ଥିତିରେ ଭାରତଠାରୁ ନିଜକୁ ଅଲଗା କରିବାକୁ ଚାହୁଁନାହିଁ । ଏହି କାରଣରୁ ଏତେ ସବୁ ପରେ ମଧ୍ୟ ପୁଣିଥରେ ଆଲୋଚନାର ସୂଚନା ମିଳୁଛି । ଆମେରିକା ଭାରତକୁ ଏକ ସହଯୋଗୀ ଭାବରେ ରଖିବାକୁ ଚାହୁଛି ।

ଏହି ଚୁକ୍ତି ପାଇଁ ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଉପରେ ମଧ୍ୟ ଚାପ ପକାଇଥିଲା । ତେବେ ରୁଷ ଏବଂ ଚୀନ୍ ସହିତ ଭାରତର ବଢ଼ୁଥିବା ସମ୍ପର୍କ ଯୋଗୁଁ ଆମେରିକା ତାର ରଣନୀତି ପରିବର୍ତ୍ତନ କରିଛି । ଆମେରିକାର ବାର୍ତ୍ତା ହେଉଛି ଯେ, ଭାରତ ପ୍ରଥମେ ଆଗକୁ ବଢ଼ିବା ଉଚିତ, ତା'ପରେ ଟ୍ରମ୍ପ ମଧ୍ୟ ତାଙ୍କର ମନୋଭାବ ପରିବର୍ତ୍ତନ କରିବେ । ହେଲେ ଭାରତ କିନ୍ତୁ ନିଜ ପକ୍ଷରୁ କିଛି ବି ଉତ୍ତର ନ ରଖିବା ଆମେରିକାକୁ ଚିନ୍ତାରେ ପକାଇଛି ।

ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲାଗୁ

ଭାରତ ଏହାର ପ୍ରାୟ ୪୦ ପ୍ରତିଶତ ତୈଳ ଭଣ୍ଡାର ରୁଷଠାରୁ କିଣୁଛି । ଏହି ତେଲ କିଣିବାକୁ ନେଇ ଆମେରିକା ଭାରତ ଉପରେ ରାଗୁଛି । ଏହି କାରଣରୁ ଟ୍ରମ୍ପ ପୂର୍ବରୁ ଋଷଠାରୁ ତେଲ କିଣିବା ବନ୍ଦ କରିବାକୁ କହିଥିଲେ । ହେଲେ ତଥାପି, ଭାରତ ରୁଷଠାରୁ ତେଲ କିଣିବା ଜାରି ରଖିଥିଲା । ଏଥିରେ ରାଗିଯାଇ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ଟ୍ରମ୍ପ କହିଥିଲେ ଯେ ରୁଷ ଭାରତର ତେଲ କ୍ରୟରୁ ଟଙ୍କା ପାଉଛି ଏବଂ ସେ ଏହି ଟଙ୍କାକୁ ୟୁକ୍ରେନ ବିରୁଦ୍ଧରେ ବ୍ୟବହାର କରୁଛି ।