କନକ ବ୍ୟୁରୋ : ଯଦି କୌଣସି ଦେଶ ଆଗକୁ ବଢିବାକୁ ଚାହୁଁଛି ତେବେ ସର୍ବପ୍ରଥମେ ସେ ଦେଶ ନିଜର ଅର୍ଥନୀତିରେ ସୁଧାର ଆଣିବା ଦରକାର । ଗତ ୨୫ ବର୍ଷ ଧରି ଭାରତର ଅର୍ଥନୀତି ଆଗକୁ ବଢିଛି । ୨୦୦୪ ରୁ ୨୦୧୪ ମଧ୍ୟରେ ମନମୋହନ ସିଂଙ୍କ ସରକାର ସମୟରେ ଦେଶର ଅର୍ଥନୀତି ଦ୍ରୁତ ଭାବେ ଆଗକୁ ବଢିଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ସରକାରରେ ଦେଶର ଅର୍ଥନୀତି ମାନ୍ଦା ଅବସ୍ଥା ଦେଇ ଆଗକୁ ବଢୁଛି । ଆଜି ଭାରତ ହେଉଛି ବିଶ୍ୱର ୫ ନମ୍ବର ବଡ ଅର୍ଥନୀତିର ଦେଶ ।
ହେଲେ ବିଶ୍ୱର ଏଭଳି କିଛି ଦେଶ ରହିଛି ଯେଉଁ ଦେଶ ଅର୍ଥନୀତି ବଦଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ଲାଗିଛି । ଏହି ଦେଶ ତାଲିକାରେ ସବୁଠାରୁ ଆଗରେ ରହିଛି ପାକିସ୍ତାନ । ଦୁଇ ଦଶକ ଧରି ଭାରତ ଅର୍ଥନୀତି ଉପରେ ନିଜର ନଜର କେନ୍ଦ୍ରୀଭୂତ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଆତଙ୍କବାଦକୁ କିଭଳି ଆଗକୁ ବଢାଯାଇପାରିବ ତା ଉପରେ ନଜର କେନ୍ଦ୍ରୀଭୂତ କରିବାରେ ଲାଗିଛି । ଫଳରେ ପାକିସ୍ତାନ ଏବେ ବିଶ୍ୱ ଦରବାରରେ ଏକ କାଙ୍ଗାଳ ଦେଶ ଭାବେ ପରିଚିତ ହେଉଛି । ଏବଂ ସେଠିକାର ଲୋକ ମୁଠେ ଖାଦ୍ୟ,ମୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।
ବାସ୍ତବରେ ପାକିସ୍ତାନ ଆରମ୍ଭରୁ ଏଭଳି ନଥିଲା । ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତର ପ୍ରତି ବ୍ୟକ୍ତିଙ୍କ ଆୟ ତୁଳନାରେ ପାକିସ୍ତାନର ପ୍ରତି ବ୍ୟକ୍ତିଙ୍କ ଆୟ ଅଧିକ ଥିଲା । ହେଲେ ଏବେ ପାକିସ୍ତାନ ଠାରୁ ଭାରତ ଏତେ ଆଗକୁ ଚାଲିଯାଇଛି କି, ପିଛା କରି ବି ପାକିସ୍ତାନ ଭାରତ ସହିତ ସମକକ୍ଷ ହେବାର ସ୍ୱପ୍ନ ଦେଖିପାରିବ ନାହିଁ ।
ଗତ ୨୫ ବର୍ଷ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅର୍ଥନୈତିକ ଅନ୍ତରର ଦୂରତା ଅନେକ ରହିଛି । ୨୦୦୦ ମସିହା ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନର ଅର୍ଥନୀତି ପାଖାପାଖି ରହିଥିଲା । ହେଲେ ଆଜି ଭାରତ ପାକିସ୍ତାନକୁ ଆର୍ଥିକ, ସାମାଜିକ ଓ ରକ୍ଷା କ୍ଷେତ୍ରରେ ବହୁତ ପଛରେ ଛାଡି ଆସିଛି । ଭାରତର ଜିଡିପି ଏବେ ପାକିସ୍ତାନର ଜିଡିପି ତୁଳନାରେ ୧୦ ଗୁଣା ଅଧିକ । ଯଦି ପ୍ରତିବ୍ୟକ୍ତିଙ୍କ ଆୟକୁ ହିସାବ କରାଯିବ ତେବେ ଭାରତରେ ପ୍ରତିବ୍ୟକ୍ତିଙ୍କ ଆୟ ହାରାହାରି ୧୧,୧୧୦ ଡଲାର ଥିବା ବେଳେ ପାକିସ୍ତାନରେ ପ୍ରତି ବ୍ୟକ୍ତିଙ୍କ ଆୟ ୬.୭୨୦ ଡଲାର । ୨୦୦୦ ମସିହାରେ ଭାରତରେ ପ୍ରତି ବ୍ୟକ୍ତିଙ୍କ ଆୟ ଜିଡିପି ତୁଳନାରେ ୪୪୨ ଡଲାର ଥିବା ବେଳେ ପାକିସ୍ତାନର ପ୍ରତିବ୍ୟକ୍ତିଙ୍କ ଆୟ ଜିଡିପି ତୁଳନାରେ ୭୩୩ ଡଲାର ଥିଲା । ଅର୍ଥାତ ୨୫ ବର୍ଷ ପୂର୍ବେ ଭାରତର ପ୍ରତି ବ୍ୟକ୍ତିଙ୍କ ଆୟ ତୁଳନାରେ ପାକିସ୍ତାନର ପ୍ରତିବ୍ୟକ୍ତିଙ୍କ ଆୟ ଅଧିକ ଥିଲା । ହେଲେ ଆଜିର ଦିନରେ ଭାରତର ଅର୍ଥନୀତି ୪ ଟ୍ରିଲିୟନ ଡଲାର ସହ ବିଶ୍ୱର ୫ମ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା । ସେପଟେ ପାକିସ୍ତାନର ଅର୍ଥନୀତି ୩୮୬ ବିଲିୟନ ଡଲାର ହୋଇଥିବା ବେଳେ ବିଶ୍ୱ ଅର୍ଥନୀତି ତାଲିକାରେ ପାକିସ୍ତାନର ନାଁ ନାହିଁ ।
ସେପଟେ ଯଦି ଉଭୟ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କଥା କହିବା ତେବେ ୨୦୦୦ ମସିହାରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୩୮ ବିଲିୟନ ଡଲାର ଥିଲା ଓ ପାକିସ୍ତାନର ୧.୩ ବିଲିୟନ ଡଲାର । ଆଜି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୮୬.୧୪ ବିଲିୟନ ଡଲାର ଥିବା ବେଳେ ପାକିସ୍ତାନର ୧୫ ବିଲିୟନ ଡଲାର ରହିଛି । ଅର୍ଥାତ ପାକିସ୍ତାନ ତୁଳନାରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪୫ ଗୁଣା ଅଧିକ ।
୨୦୦୦ ମସିହାରେ ଭାରତର ବେରୋଜଗାରୀ ଦର ୭.୩ ପ୍ରତିଶତ ଥିବା ବେଳେ ଆଜି ୪.୯ ପ୍ରତିଶତକୁ ହ୍ରାସ ପାଇଛି । ସେପଟେ ୨୦୧୮ ମସିହାରେ ପାକିସ୍ତାନର ବେରୋଜଗାରୀ ଦର ୪.୫ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୬.୮ ପ୍ରତିଶତରେ ପହଂଚିଛି ।
ଯଦି ବାସ୍ତବ କାରଣ ଖୋଜିବା ତେବେ ପାକିସ୍ତାନ ଅର୍ଥନୀତି ରଶାତଳକୁ ଯିବା ପଛରେ ଅନେକ କାରଣ ରହିଛି । ଯେଉଁଥିରେ ନୀତିଗତ ଅସଫଳତା, ରାଜନୈତିକ ଅସ୍ଥିରତା, ସୀମା ନିର୍ଦ୍ଧାରଣକୁ ନେଇ ବିବାଦ ପ୍ରମୁଖ କାରଣ । ଗତ ୨୦ ବର୍ଷ ଭିତରେ ପାକିସ୍ତାନ ସରକାର ଉପରେ ସେନାର ଅତ୍ୟାଧିକ ପ୍ରଭାବ, ବାରମ୍ବାର ସରକାର ବଦଳିବା ଭଳି କାରଣ ବି ଗୋଟିଏ । ସେପଟେ ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାରୁ ବିଦେଶୀ ନିବେଶକମାନେ ପାକିସ୍ତାନରୁ ମୁହଁ ଫେରାଉଛନ୍ତି । ଅନ୍ୟ ଏକ କାରଣ ହେଉଛି ଦେଶର ଋଣ ଭାର । ପାକିସ୍ତାନ ଆଇଏମଏଫ, ବିଶ୍ୱବ୍ୟାଙ୍କ, ଚୀନ ଓ ଅନେକ ଦେଶରୁ ହଜାର ହଜାର କୋଟି ଟଙ୍କା ଋଣ କରିଛି । ୨୦୨୫ ରେ ପାକିସ୍ଥାନର ମୋଟ ବଜେଟରୁ ୯୧ ପ୍ରତିଶତ ଋଣରେ ଚାଲିଛି । ଯାହା ଭାରତରେ ୬୪ ପ୍ରତିଶତ । ଯଦି ଶିକ୍ଷା କଥା କହିବା ତେବେ ଭାରତରେ ସାକ୍ଷରତା ହାର ୮୦ ପ୍ରତିଶତ ଥିବା ବେଳେ ପାକିସ୍ତାନର ସାକ୍ଷରତା ହାର ମାତ୍ର ୬୦ ପ୍ରତିଶତ ।