କନକ ବ୍ୟୁରୋ : ଭାରତ କହିଛି ଯେ, ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତିସଂଘକୁ ଆଉ ଏକ ପ୍ରଭାବଶାଳୀ ଅନୁଷ୍ଠାନ ଭାବରେ ଦେଖାଯାଉନାହିଁ । ଶାନ୍ତି ଓ ସୁରକ୍ଷା ପାଇଁ ଏବେ ସମାନାନ୍ତରାଳ ବହୁପାକ୍ଷିକ ମେଣ୍ଟ ଗଠନ ସମ୍ପର୍କରେ ଆଲୋଚନା ହେଉଛି । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପାର୍ବଥନେନୀ ହରିଶ ଆନ୍ତର୍ଜାତୀୟ ଆଇନର ନିୟମକୁ ପୁନଃନିର୍ଦ୍ଦିଷ୍ଟ କରିବା: ଶାନ୍ତି, ନ୍ୟାୟ ଓ ବହୁପାକ୍ଷିକତାକୁ ପୁନର୍ଜୀବିତ କରିବାର ପଥ ଶୀର୍ଷକ ସୁରକ୍ଷା ପରିଷଦର ଏକ ଖୋଲା ବିତର୍କରେ ଏଭଳି ମନ୍ତବ୍ୟ ଦେଇ ଜାତିସଂଘକୁ ଆଇନା ଦେଖାଇଛନ୍ତି ।
ଜାତିସଂଘର ଗୁରୁତ୍ବ କମୁଛି
ହରିଶ କହିଛନ୍ତି,ସାର୍ବଭୌମ-ଭିତ୍ତିକ ବହୁପାକ୍ଷିକତା କେନ୍ଦ୍ରରେ ଥିବା ଜାତିସଂଘ ଉପରେ ଚାପ ବୃଦ୍ଧି ପାଉଛି । ଜାତିସଂଘ ସମ୍ମୁଖରେ ବଜେଟ୍ ସମ୍ବନ୍ଧୀୟ ଆହ୍ବାନ ବଢୁଛି । ସଂଘର୍ଷର ମୁକାବିଲା କରିବାରେ ଜାତସିଂଘର ନୀତି ବିଫଳ ହୋଇଛି । ପ୍ରଭାବହୀନତା ଜାତିସଂଘର ପ୍ରମୁଖ ଦୁର୍ବଳତା ପାଲଟିଛି । ସେ କହିଛନ୍ତି, ବିଶ୍ୱର ଲୋକମାନେ ଆଉ ଜାତିସଂଘକୁ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବାରେ ସକ୍ଷମ ଥିବା ଏକ ଅନୁଷ୍ଠାନ ଭାବରେ ଦେଖୁ ନାହାନ୍ତି । ଭାରତର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଭୂରାଜନୈତିକ ଦ୍ୱନ୍ଦ୍ୱକୁ ରୋକିବା ଓ ସମାଧାନ କରିବାରେ ଜାତିସଂଘ ତଥା ଏହାର ସବୁଠାରୁ ଶକ୍ତିଶାଳୀ ବଭାଗ ସୁରକ୍ଷା ପରିଷଦର ବିଫଳତା କ୍ରମଶଃ ବଢ଼ିବାରେ ଲାଗିଛି। । ହରିଶ କହିଛନ୍ତି, ଅନ୍ତର୍ଜାତୀୟ ଆଇନର ଶାସନର ପ୍ରୟୋଗ ସ୍ଥିରତା, ବସ୍ତୁନିଷ୍ଠତା ଓ ପୂର୍ବାନୁମାନ ଉପରେ ଆଧାରିତ ହେବା ଉଚିତ। ଏଥିରେ ଦ୍ୱୈତ ମାନଦଣ୍ଡର କୌଣସି ସୁଯୋଗ ରହିବା ଉଚିତ ନୁହେଁ । ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଅନ୍ତର୍ଜାତୀୟ ଆଇନର ଶାସନକୁ କୌଣସି ଦେଶର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇବା କିମ୍ବା ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଲାଗି ଉପଯୋଗ କରାଯିବ ଉଚିତ ନୁହେଁ । ସେ କହିଛନ୍ତି, ଭାରତ ଏହାର ସମ୍ବିଧାନ, ନ୍ୟାୟପାଳିକାର ସ୍ୱାଧୀନତା ଓ ନ୍ୟାୟର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ମାଧ୍ୟମରେ ଆଇନର ଶାସନକୁ ନିଜର ଜାତୀୟ ଶାସନର ମୂଳଦୁଆ ଭାବରେ ବିବେଚନା କରେ ଓ ଏହି ଆଭିମୁଖ୍ୟ ଅନ୍ତର୍ଜାତୀୟ ସ୍ତରରେ ଭାରତର ନୀତିକୁ ମଧ୍ୟ ମାର୍ଗଦର୍ଶନ କରିଥାଏ ।
ଅଧିକ ପଢ଼ନ୍ତୁ---ଯେବେ ଲତା ଗାଇଥିଲେ ‘ଏ ମେରେ ୱତନ କେ ଲୋଗୋ’... କାନ୍ଦି ପକାଇଥିଲେ ଜବାହରଲାଲ ନେହରୁ
ଜାତିସଂଘର ଜରୁରୀ ସଂସ୍କାର ଆବଶ୍ୟକ
ଭାରତ ସୁରକ୍ଷା ପରିଷଦକୁ ଏହା ମଧ୍ୟ କହିଛି, ପ୍ରଭାବଶାଳୀ ପ୍ରବର୍ତ୍ତନ ବିନା ଆଇନର ଶାସନ ପ୍ରଭାବଶାଳୀ ହେବ ନାହିଁ । ବିଶ୍ୱ ଶାସନ ଢାଞ୍ଚା, ବିଶେଷକରି ସୁରକ୍ଷା ପରିଷଦରେ ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରିବା ଓ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ବ୍ୟାପକ ଓ ଜରୁରୀ ସଂସ୍କାରର ଆବଶ୍ୟକତା ରହିଛି ।
ଟ୍ରମ୍ପ ଜାତିସଂଘ ଭଳି ଏକ ଶାନ୍ତି ବୋର୍ଡ ଗଠନ କରୁଛନ୍ତି
ଏହି ପୃଷ୍ଠଭୂମିରେ, ଗାଜା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଶାନ୍ତି ବୋର୍ଡକୁ ଜାତିସଂଘର ଏକ ସମ୍ଭାବ୍ୟ ବିକଳ୍ପ ଭାବରେ ଦେଖାଯାଉଛି । ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଅନେକ ବିଶ୍ୱ ନେତାଙ୍କୁ ଏହି ପ୍ରୟାସରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ବୋର୍ଡ ଗାଜାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଓ ବିଶ୍ୱରେ ଦେଖା ଦେଉଥିବା ସଂଘର୍ଷର ସମାଧାନ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।
ଟ୍ରମ୍ପ ଶାନ୍ତି ବୋର୍ଡର ଅଧ୍ୟକ୍ଷ ହେବେ
ଗତ ସପ୍ତାହରେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ ଟ୍ରମ୍ପ ଆନୁଷ୍ଠାନିକ ଭାବରେ ଶାନ୍ତି ବୋର୍ଡର ଚାର୍ଟରକୁ ଅନୁମୋଦନ କରିଥିଲେ । ଟ୍ରମ୍ପ ଏହାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ଚାର୍ଟରରେ ସ୍ୱାକ୍ଷର କରିଥିବା ଦେଶମାନଙ୍କ ମଧ୍ୟରେ ଆର୍ଜେଣ୍ଟିନା, ଆର୍ମେନିଆ, ଆଜରବାଇଜାନ, ବାହାରିନ, ବୁଲଗେରିଆ, ହଙ୍ଗେରୀ, ଇଣ୍ଡୋନେସିଆ, ଜୋର୍ଡାନ, କାଜାଖସ୍ତାନ, କୋସୋଭୋ, ମଙ୍ଗୋଲିଆ, ମରକ୍କୋ, ପାକିସ୍ତାନ, ପାରାଗୁଏ, କତାର, ସାଉଦି ଆରବ, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଉଜବେକିସ୍ତାନ ପ୍ରମୁଖ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/27/india-2026-01-27-16-23-58.jpg)