କନକ ବ୍ୟୁରୋ: ସାରା ବିଶ୍ୱକୁ ଦମ୍‌ ଦେଖାଇଲା ଭାରତ। ସମୁଦ୍ର ମଝିରେ ଘାତକ ବୋମାର ସଫଳ ପରୀକ୍ଷଣ । ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି ଭାରତ । ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍‌ର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏନେଇ ଡିଆରଡିଓ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ବୋମା ପରୀକ୍ଷଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏକ୍ସରେ ପୋଷ୍ଟ କରିଥିବା ବେଳେ ଏହା ଭାରତୀୟ ନୌସେନାର ଶକ୍ତି ବଢ଼ାଇବ ବୋଲି ଲେଖିଛନ୍ତି । ଏହି ବୋମା ଶତ୍ରୁର ବୁଡ଼ା ଜାହାଜକୁ ଧ୍ବଂସ କରିବାରେ ସକ୍ଷମ ।