କନକ ବ୍ୟୁରୋ: ଆଣ୍ଡରସନ-ତେନ୍ଦୁଲକର ସିରିଜ୍‌ରେ ଶେଷ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡକୁ ଭାରତ ୩୭୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି । ଭାରତ ଦ୍ୱିତୀୟ ପାଳିରେ ୩୯୬ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଇଂଲଣ୍ଡ ଗୋଟିଏ ୱିକେଟ ହରାଇ ୫୦ ରନ୍‌ କରିଛି । ମ୍ୟାଚ୍‌ରେ ବିଜୟୀ ହେବାକୁ ହେଲେ ଭାରତକୁ ଆହୁରି ୯ ୱିକେଟ୍‌ର ଆବଶ୍ୟକତା ରହିଛି । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଓପନର କ୍ରଲି (୧୪)ଙ୍କୁ ସିରାଜ୍‌ ପାଭେଲିୟନ ପଠାଇଥିଲେ । ବେନ୍‌ ଡ‌େକଟ୍‌ (୩୪*) ବ୍ୟାଟିଂ କରୁଛନ୍ତି । ଭାରତ ଦ୍ୱିତୀୟ ଇନିଂସରେ ଯଶସ୍ବୀ ଜୟସ୍ବାଲ ଓ ଆକାଶ ଦୀପଙ୍କ ମଧ୍ୟରେ ୧୦୭ ରନ୍ ଭାଗୀଦାରି ହୋଇଥିଲା ।  ଜୟସ୍ୱାଲଙ୍କ ଶତକ (୧୧୮) ଓ ଆକାଶଦୀପଙ୍କ (୬୬) ପରେ ଉଭୟ ରବୀନ୍ଦ୍ର ଜାଡେଜା ଏବଂ ୱାସିଂଟନ୍ ସୁନ୍ଦରଙ୍କ ୫୩ ରନ୍‌ ଲେଖାଏଁ କରିଥିଲେ। ଉଭୟଙ୍କ ମନୋରଞ୍ଜନଭରା ଅର୍ଦ୍ଧଶତକ ଇଂଲଣ୍ଡ ସମ୍ମୁଖରେ ଆହ୍ବାନଭରା ବିଜୟଲକ୍ଷ୍ୟ ରଖିଛି । ଇଂଲଣ୍ଡ ଦ୍ୱିତୀୟ ନୂଆ ବଲ୍ ନେବା ପରେ ଭାରତ ୮ ଓଭର ଭିତରେ ଶେଷ ୪ ୱିକେଟ୍ ହରାଇଥିଲା । କିନ୍ତୁ ଅନ୍ତିମ ୱିକେଟ୍‌ରେ ପ୍ରସିଦ୍ଧ କୃଷ୍ଣ (୦*, ୨ ବଲ୍‌)ଙ୍କୁ ନେଇ ୱାସିଂଟନ୍ ସୁନ୍ଦର ଛକା ଓ ଚୌକା ବର୍ଷା କରି ୩୯ ରନ୍ ଯୋଡ଼ିବା ଆଶା ଦେଖାଇଥିଲା । ଇଂଲଣ୍ଡ ପାଇଁ ଜୋସ୍ ଟଙ୍ଗ୍‌ ଦ୍ବିତୀୟ ଥର ପାଇଁ ୫ ୱିକେଟ୍‌ ଦଖଲ କରିଛନ୍ତି ।

Advertisment

ଆକାଶ ଦୀପଙ୍କ ରେକର୍ଡ
ଅନେକ ସଂଘର୍ଷ ଭିତରୁ ଉଭା ହୋଇଥିବା ଆକାଶ ଦୀପ ଶନିବାର ଟେଷ୍ଟ୍ କ୍ରିକେଟ୍‌ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ନାଇଟ୍‌ୱାଚ୍‌ମ୍ୟାନ୍‌ ଭାବେ ବ୍ୟାଟିଂ କରି ସେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି (୧୦୭ ରନ୍) କରିବା ସହ ନିଜ ଟେଷ୍ଟ୍ ଜୀବନର ପ୍ରଥମ ଅର୍ଦ୍ଧଶତକ (୬୬ ରନ୍‌, ୯୪ ବଲ୍‌, ୧୨ ଚୌକା) ହାସଲ କରିଛନ୍ତି । ଚଳିତ ଶୃଙ୍ଖଳାରେ ଏହା ୧୮ତମ ଶତକୀୟ ଭାଗୀଦାରି ହୋଇଥିବାରୁ ଆକାଶ ଦୀପ ଏକ ରେକର୍ଡର ଅଂଶବିଶେଷ ହୋଇଛନ୍ତି । ପୂର୍ବରୁ ଗୋଟିଏ ଟେଷ୍ଟ୍ ଶୃଙ୍ଖଳା (୨୦୦୩-୦୪ ବର୍ଡର ଗାଭାସ୍କର ଟ୍ରଫି)ରେ ସର୍ବାଧିକ ୧୭ ଥର ଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା । ନାଇଟ୍ ୱାଚ୍‌ମ୍ୟାନ୍‌ ଭାବେ ଦ୍ବିତୀୟ ସର୍ବାଧିକ ଏବଂ ୧୪ ବର୍ଷ ପରେ ପ୍ରଥମ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ୨୦୧୧ରେ ଅମିତ ମିଶ୍ର ସେହି ଓଭାଲ୍‌ ଓ ସମାନ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ୮୪ ରନ୍ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ଇଂଲଣ୍ଡ ମାଟିରେ ଶିଖର ଧାୱନ (୧୪ ପାଳି), ରବିଚନ୍ଦ୍ରନ ଅଶ୍ବିନ (୧୪ ପାଳି), ଗୌତମ ଗମ୍ଭୀର (୧୦ ପାଳି)ଙ୍କୁ ପଛରେ ପକାଇଛନ୍ତି । ଏହି ୩ ପ୍ରତିଷ୍ଠିତ ଭାରତୀୟ କେବେ ବି ଇଂଲଣ୍ଡରେ ଅର୍ଦ୍ଧଶତକ ହାସଲ କରିନାହାନ୍ତି ।

ଓଭାଲ୍‌ ଷ୍ଟାଣ୍ଡ୍‌ରେ ରୋହିତ
ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଶନିବାର ସକାଳେ ଦ ଓଭାଲ୍‌ରେ ପହଞ୍ଚିଛନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ ଏଠାରେ ଚାଳିଥିବା ଶେଷ ତଥା ପଞ୍ଚମ ଟେଷ୍ଟ୍‌‌ର ତୃତୀୟ ଦିନରେ ସେ ଦ ଓଭାଲ୍‌ ଷ୍ଟାଣ୍ଡ୍‌ରେ ଉପସ୍ଥିତ ରହି ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେ କାଜୁଆଲ୍‌ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲେ। ତାଙ୍କ ଉପସ୍ଥିତିରେ ଆକାଶ ଦୀପ ନିଜର ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଓପନର୍‌ ଯଶସ୍ବୀ ଜୟସ୍ବାଲ ଶତକୀୟ ପାଳି ଖେଳିଥିଲେ । ଯାହା ତାଙ୍କୁ ବହୁତ ଖୁସି ଦେଇଥିବା ଭାବଭଙ୍ଗୀରୁ ଜଣାପଡ଼ୁଥିଲା । ରୋହିତ ଓ ବିରାଟ କୋହଲି ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି । ଉଭୟଙ୍କ ବିନା ଭାରତ ପ୍ରଥମ ଥର ଲାଗି ଏହି ଟେଷ୍ଟ୍‌ ଶୃଙ୍ଖଳା ଖେଳୁଛି ।