କନକ ବ୍ୟୁରୋ : ଭାରତୀୟ ଦଳ ଜିମ୍ବାୱେକୁ ୭୨ ରନ୍ରେ ପରାସ୍ତ କରି ନିଜର ସେମିଫାଇନାଲ ଆଶାକୁ ଉଜ୍ଜ୍ୱଳ ରଖିଛି । ଭାରତର ଏହି ବିଜୟ ଫଳରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ କ୍ୱାଲିଫାଏ କରିସାରିଛି । ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୬ ରନ୍ର ଏକ ଐତିହାସିକ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଜିମ୍ବାୱେ ଦଳ ମାତ୍ର ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ବ୍ରାୟନ୍ ବେନେଟ୍ ଏକ ଚମତ୍କାର ଶତକ ହାସଲ କରିଥିଲେ ମଧ୍ୟ ନିଜ ଦଳକୁ ବିଜୟୀ କରାଇପାରି ନଥିଲେ ।
ଏହା ବି ପଢ଼ନ୍ତୁ: ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ଟିମ୍ ଇଣ୍ଡିଆକୁ ଆଶ୍ୱସ୍ତି
ଏହି ମ୍ୟାଚରେ ଜିମ୍ବାୱେ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚଳିତ ଥର ପ୍ଲେଇଙ୍ଗ୍-୧୧ରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା, କିନ୍ତୁ ସେ ମାତ୍ର ୨୪ ରନ୍ କରି ଆଉଟ୍ ହୋଇଥିଲେ । ତେବେ କ୍ରମାଗତ ଭାବେ ଫ୍ଲପ୍ ହେଉଥିବା ଅଭିଷେକ ଶର୍ମା ଶେଷରେ ୫୫ ରନ୍ର ଏକ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ୍ ଏବଂ ତିଳକ ବର୍ମା ୪୪ ରନ୍ର ଏକ ତୁଫାନୀ ଇନିଂସ ଖେଳିଥିଲେ । ଏହା ସହିତ ଭାରତ ୨୦୨୬ ଟି୨୦ ବିଶ୍ୱକପ୍ର ସବୁଠାରୁ ବଡ଼ ଏବଂ ଟି୨୦ ବିଶ୍ୱକପ୍ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି ।
ଜିମ୍ବାୱେ ବିପକ୍ଷରେ ଏହି ବିଜୟ ପରେ ଭାରତ ସିଧାସଳଖ ସେମିଫାଇନାଲରେ ପହଞ୍ଚି ନାହିଁ, କିନ୍ତୁ ସେମିଫାଇନାଲ ରାସ୍ତା ଏବେ ବହୁତ ସହଜ ହୋଇଯାଇଛି । ଜିମ୍ବାୱେ ଯେତେବେଳେ ୨୫୭ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିଲା, ସେତେବେଳେ ବ୍ରାୟନ୍ ବେନେଟ୍ ଏକାକୀ ଲଢ଼େଇ କରି ୯୭ ରନ୍ର (ପୂର୍ବରୁ ଶତକ ଭାବେ ଉଲ୍ଲେଖ ଥିଲା) ଏକ ଦୃଢ଼ ଇନିଂସ ଖେଳିଥିଲେ । ବେନେଟ୍ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି ତାଙ୍କ ପାଳିରେ ୮ଟି ଚୌକା ଏବଂ ୬ଟି ଛକା ମାରିଥିଲେ ।
ଏହି ପରାଜୟ ପରେ ଜିମ୍ବାୱେ ଏବେ ବିଶ୍ୱକପ୍ ଦୌଡ଼ରୁ ବାହାରି ଯାଇଛି । ଭାରତ ପକ୍ଷରୁ ବୋଲିଂରେ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏହି ବିଜୟ ଭାରତୀୟ ପ୍ରଶଂସକଙ୍କ ମନରେ ସେମିଫାଇନାଲକୁ ନେଇ ନୂଆ ଆଶା ସଞ୍ଚାର କରିଛି ।
Follow Us