କନକ ବ୍ୟୁରୋ :  ପୁଣି ଆମେରିକା ରାଷ୍ଟ୍ରପତିଙ୍କର ବିଭ୍ରାନ୍ତିକର ବୟାନ । ରୁଷିଆଠାରୁ ଭାରତ ତେଲ କିଣିବା ବନ୍ଦ କରିବ  ବୋଲି ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ଏକ କାର୍ଯ୍ୟକ୍ରମରେ  ଟ୍ରମ୍ପ କହିଛନ୍ତି, ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଅତିଶୀଘ୍ର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବ । ରୁଷିଆକୁ ଆର୍ଥିକ ଭାବେ ଏକ ଘରିକିଆ କରିବା ଦିଗରେ ଏହା ଏକ  ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ  । ତେବେ କିଛି ପ୍ରକ୍ରିୟା ପାଇଁ ଏହି ନିଶ୍ପତ୍ତି ତୁରନ୍ତ  ନିଆଯାଇପାରିବ ନାହିଁ । କିନ୍ତୁ ଏହା ହେବ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହ ମୋଦୀଙ୍କୁ ବନ୍ଧୁ ଓ ମହାନ ନେତା କହି ପ୍ରଶଂସା କରିଛନ୍ତି ଟ୍ରମ୍ପ । ଏହା ପରେ ସେ ଚୀନ ଉପରେ ମଧ୍ୟ ଏହିଭଳି ପଦକ୍ଷେପ ନେବା ପାଇଁ ଚାପ ପକାଇବେ ବୋଲି କହିଛନ୍ତି ।  ଗତ ମାସରେ ରୁଷିଆରୁ ଭାରତକୁ ତେଲ ରପ୍ତାନୀ ଦୈନିକ ୧ଦଶମିକ ୬୨ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଥିଲା ।  ଯାହା ଭାରତର ସମୁଦାୟ ତେଲ ଆମଦାନୀର ପ୍ରାୟ ଏକ-ତୃତୀୟାଂଶ ଥିଲା । ରୁଷିଆର ତେଲ ଆମଦାନୀ ପାଇଁ ଭାରତ ଉପରେ ଅତିରିକ୍ତ ୨୫  ପ୍ରତିଶତ ଟାରିଫ ଲଗାଇଥିଲେ ଟ୍ରମ୍ପ । ଫଳରେ ଭାରତୀୟ ସାମଗ୍ରୀ ଉପରେ ଏବେ ୫୦ ପ୍ରତିଶତ ଶୁଳ୍କ ଆଦାୟ କରୁଛି ଆମେରିକା ।
ପୁଣି ଟ୍ରମ୍ପଙ୍କ ବିଭ୍ରାନ୍ତିକର ବୟାନ
‘ରୁଷିଆ ଠାରୁ ତେଲ କିଣିବନି ଭାରତ’

Advertisment

ଆମେରିକା ରାଷ୍ଟ୍ରପତିଙ୍କ ବଡ଼ଦାବି
ରୁଷ-ଭାରତ ସମ୍ପର୍କକୁ ନେଇ ନୂଆ ଦାବି କଲେ ଟ୍ରମ୍ପ
ରୁଷିଆଠାରୁ ତେଲ କିଣିବା ବନ୍ଦ କରିବ ଭାରତ
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପଙ୍କ ଦାବି
ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି
ଭାରତ ଅତିଶୀଘ୍ର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବ
ରୁଷିଆକୁ ଆର୍ଥିକ ଭାବେ ଏକ ଘରିକିଆ କରିବା ଦିଗରେ ମିଳିଛି ସମର୍ଥନ
ଏହା ଅତିଶୀଘ୍ର ହେବ ବୋଲି ଟ୍ରମ୍ପଙ୍କ ଦାବି
ମୋଦୀଙ୍କୁ ବନ୍ଧୁ ଓ ମହାନ ନେତା କହି ପ୍ରଶଂସା କରିଛନ୍ତି ଟ୍ରମ୍ପ

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଭାରତ ପ୍ରତିକ୍ରିୟା ରଖିଛି ।   ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ତୈଳ ଓ ଗ୍ୟାସର ଏକ ପ୍ରମୁଖ ଆମଦାନିକାରୀ ଦେଶ । ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ଆମର ଅଗ୍ରାଧିକାର । ଆମର ଆମଦାନୀ ନୀତି ଏହି ଲକ୍ଷ୍ୟ ଦ୍ୱାରା ସମ୍ପୂର୍ଣ୍ଣ ପରିଚାଳିତ ହେଉଛି । ଏହା ବିଶ୍ୱ ଶକ୍ତି ବଜାରରେ ଭାରତର ସତର୍କ ନୀତିକୁ ସୂଚାଏ । ଭାରତୀୟ ଶକ୍ତି ନୀତିର ଦୁଇଟି ପ୍ରମୁଖ ଲକ୍ଷ୍ୟକୁ ରଣଧୀର ଜୟସୱାଲ ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି, ବିସ୍ତୃତ ଆଧାର ଉପରେ ଧ୍ୟାନ ଦେଇ ଏବଂ ବଜାର ସ୍ଥିତି ଅନୁଯାୟୀ  ପଦକ୍ଷେପ ନିଆଯାଉଛି। ଏହା ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ସେପଟେ ରୁଷ ରାଷ୍ଟ୍ରଦୂତ ଭାରତର ପ୍ରତିକ୍ରିୟାକୁ ସମର୍ଥନ କରିଛନ୍ତି । ରୁଷ୍ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ କହିଛନ୍ତି, ଭାରତ ସରକାର ଦେଶର ଜାତୀୟ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ଆମର ଶକ୍ତି କ୍ଷେତ୍ରରେ ସହଯୋଗ ଏହି ସ୍ୱାର୍ଥରେ ଦ୍ବାରା ପରିଚାଳିତ ।