କନକ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ଦାବି କରୁଥିବା ଚୀନକୁ ଭାରତ ଜବାବ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ, ଚୀନ୍ ଏବେ ଏହି ଅବାନ୍ତର ଦାବି କରିଛି ଯେ ସେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିଥିଲା। ତେବେ ଭାରତର କହିବା କଥା ଯେ, ମେ ମାସରେ ହୋଇଥିବା ସଂଘର୍ଷ ସମୟରେ ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା ସାମିଲ ନଥିଲା।

Advertisment

ଭାରତର ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ, ୨୦୨୫ ମେ ମାସର ପ୍ରାରମ୍ଭରେ ଭାରତ-ପାକିସ୍ତାନ ବିବାଦ ସମୟରେ ଚୀନର ମଧ୍ୟସ୍ଥତା ଦାବିକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ମଧ୍ୟସ୍ଥତା ଉପରେ ଭାରତର ଦୃଷ୍ଟିକୋଣ ସର୍ବଦା ସ୍ପଷ୍ଟ ରହିଛି। ଅପରେସନ ସିନ୍ଦୁର ପରେ କୌଣସି ମଧ୍ୟସ୍ଥତା ହୋଇନଥିଲା। ଭାରତ ସର୍ବଦା କହିଆସିଛି ଯେ ଏଥିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ ହୋଇପାରିବ ନାହିଁ।

ଆହୁରି ପଢ଼ନ୍ତୁ : ଆଜି ଦାୟିତ୍ୱ ନେବେ ଅନୁ ଗର୍ଗ; ସମ୍ଭାଳିବେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ

ଚୀନ୍ କଣ କହିଛି?

ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଡିସେମ୍ବର ୩୦ ତାରିଖରେ ଦାବି କରିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ଚୀନ୍ "ମଧ୍ୟସ୍ଥତା" କରିଥିଲା । ବେଜିଂରେ ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଚୀନ୍‌ର ବୈଦେଶିକ ସମ୍ପର୍କ ଉପରେ ଏକ ସେମିନାରରେ ଭାଷଣ ଦେଇ ୱାଙ୍ଗ କହିଛନ୍ତି, ଦ୍ବିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରଠାରୁ ଚଳିତ ବର୍ଷ ସ୍ଥାନୀୟ ଯୁଦ୍ଧ ଏବଂ ସୀମାପାର ବିବାଦ ଅଧିକ ଥର ଦେଖାଦେଇଛି। ଭୂରାଜନୈତିକ ଅସ୍ଥିରତା ବ୍ୟାପିବାରେ ଲାଗିଛି। ତେବେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ, ଆମେ ଏକ ବସ୍ତୁନିଷ୍ଠ ଏବଂ ଯୁକ୍ତିଯୁକ୍ତ ଆଭିମୁଖ୍ୟ ଗ୍ରହଣ କରିଛୁ । ଏହାର ସମାଧାନ କରିବା ଉପରେ ଧ୍ୟାନ ଦେଇଛୁ। 

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ପୂର୍ବରୁ  ୬୦ରୁ ଅଧିକ ଥର ଏହିପରି ଭାବେ ମିଥ୍ୟା ଦାବି କରିଛନ୍ତି। ହେଲେ ଭାରତ କିନ୍ତୁ ତାଙ୍କୁ ଆନୁଷ୍ଠାନିକ ଭାବରେ କହିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରସଙ୍ଗରେ ହସ୍ତକ୍ଷେପ କିମ୍ବା ମଧ୍ୟସ୍ଥତା କରିବାକୁ ଭାରତ ଅନୁମତି ଦିଏ ନାହିଁ।