କନକ ବ୍ୟୁରୋ : ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି 'ବିଜୟ ଦିବସ' । ଆଜିର ଦିନରେ ଭାରତୀୟ ସେନାର ଅଦମ୍ୟ ସାହସ ଓ ପରାକ୍ରମ ଆଗରେ ପାକିସ୍ତାନ ଆଣ୍ଠୁମାଡି ବସିଥିଲା । ମାତ୍ର ୧୩ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକିସ୍ତାନର ଅହଂକାର ଚୁରମାର ହୋଇଯାଇଥିଲା । ପାଖାପାଖି ୯୩ ହଜାର ପାକିସ୍ତାନୀ ସୈନ୍ୟ ନିଜର ଜୀବନ ଭିକ ମାଗି ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ ।

Advertisment

ଆଜିର ଏହି ସ୍ୱତନ୍ତ୍ର ଦିନରେ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ (Eastern Command) ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ଏକ ଐତିହାସିକ ଫଟୋ ସେୟାର କରିଛି । ଏହି ଫଟୋଟି ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିବ । ଏହା କେବଳ ଏକ ଛବି ନୁହେଁ, ବରଂ ଶତ୍ରୁ ଉପରେ ଭାରତର ବିଜୟର ଏକ ଜ୍ୱଳନ୍ତ ପ୍ରମାଣ ।ଏହି ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ପାକିସ୍ତାନୀ ସୈନିକମାନଙ୍କର ରାଇଫଲ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତଳେ ମାଟି ଉପରେ ପଡ଼ିରହିଛି । ସେମାନେ ନିଜର ହାତ ପଛକୁ କରି ଛିଡା ହୋଇଛନ୍ତି, ଯାହା ସୂଚାଉଛି ଯେ ସେମାନେ ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବେ ହାର ମାନି ନେଇଛନ୍ତି । ସେମାନଙ୍କ ଅଣ୍ଟାରେ ଥିବା ପିସ୍ତଲ ରଖିବା ସ୍ଥାନ ବା ହୋଲଷ୍ଟର ମଧ୍ୟ ଖାଲି ଅଛି । ଏହି ଦୃଶ୍ୟ ବୟାନ କରୁଛି ଯେ କିପରି ଭାରତୀୟ ବୀର ଯବାନମାନେ ଶତ୍ରୁକୁ ନିରସ୍ତ୍ର କରିଦେଇଥିଲେ ।

ଅଧିକ ପଢ଼ନ୍ତୁ---ଯେବେ ଭାରତ ବଦଳାଇଦେଇଥିଲା ଦୁନିଆର ନକ୍ସା, ଆତ୍ମସମର୍ପଣ କରିଥିଲେ ୯୩ ହଜାର ପାକିସ୍ତାନୀ ସେନା

୧୯୭୧ ମସିହାରେ ହୋଇଥିବା ଏହି ଯୁଦ୍ଧ ଫଳରେ ବିଶ୍ୱ ମାନଚିତ୍ରରେ ପୂର୍ବ ପାକିସ୍ତାନ ଅଲଗା ହୋଇ 'ବାଂଲାଦେଶ' ନାମରେ ଏକ ନୂତନ ରାଷ୍ଟ୍ରର ଜନ୍ମ ହୋଇଥିଲା । ସେତେବେଳେ ପାକିସ୍ତାନୀ ସେନାର ନେତୃତ୍ୱ ନେଉଥିବା ଲେଫ୍ଟନାଣ୍ଟ ଜେନେରାଲ ଅମୀର ଅବଦୁଲ୍ଲା ଖାଁ ନିୟାଜୀ ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇ ନିଜର ହତିଆର ତଳେ ପକାଇ ଦେଇଥିଲେ । ଆଜିର ଏହି ଫଟୋ ସେହି ଗୌରବମୟ ଇତିହାସକୁ ପୁଣି ଥରେ ମନେ ପକାଇ ଦେଉଛି ଯେ ଯେତେବେଳେ ଭାରତୀୟ ସେନା ରଣକ୍ଷେତ୍ରକୁ ଓହ୍ଲାନ୍ତି, ଶତ୍ରୁ ପକ୍ଷର ସେନା ଭୟରେ ଥରହର ହୁଅନ୍ତି ।