କନକ ବ୍ୟୁରୋ : ପାକିସ୍ତାନ ଓ ସାଉଦୀ ମଧ୍ୟରେ ଏବେ ଏବେ ଏକ ସୁରକ୍ଷା ଚୁକ୍ତି ହୋଇଛି । ଯାହାକୁ ନେଇ ଭାରତର ନୂଆ ରଣନୀତି ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି କି, ଯଦି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୁଅନ୍ତି ତେବେ ସାଉଦୀ ଆରବ ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିବ କି ? ଯଦି ସମର୍ଥନ କରିବ ତେବେ ଉଭୟ ଦେଶ ମିଶି ଭାରତ ସହ ମୁକାବିଲା କରିପାରିବେ ତ ?

Advertisment

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଭାରତ ପାଖରେ ପାଖାପାଖି ୧୫ ଲକ୍ଷ ସୈନ୍ୟ ରହିଛନ୍ତି । ସେପଟେ ପାକିସ୍ତାନ ଓ ସାଉଦି ଆରବ ପାଖରେ ମୋଟ ୯ ଲକ୍ଷ ସୈନ୍ୟ ଅଛନ୍ତି । ସେହିଭଳି ଭାରତର ପ୍ରତିରକ୍ଷା ବଜେଟ ୭୯ ଆରବ ଡଲାର ହୋଇଥିବା ବେଳେ ପାକିସ୍ତାନ ଓ ସାଉଦିଆରବର ସଂଯୁକ୍ତ ରକ୍ଷା ବଜେଟ ୯୦ ଆରବ ଡଲାର । ହେଲେ ଭାରତର ଘରୋଇ ଉତ୍ପାଦ କ୍ଷମତା ଓ ଲଜିଷ୍ଟିକ ଏହି ଦୁଇଦେଶ ଠାରୁ ବହୁ ଆଗରେ । 

ବାୟୁସେନାରେ ଭାରତ ପାଖରେ ୨୨ ଶହ ବିମାନ ଓ ୫୧୩ ଯୁଦ୍ଧ ବିମାନ ଥିବା ବେଳେ ପାକିସ୍ତାନ ଓ ସାଉଦି ଆରବ ପାଖରେ ମୋଟ ୧୭ ଶହରୁ କମ୍ ବିମାନ ଓ ୪୨୨ ଯୁଦ୍ଧ ବିମାନ ରହିଛି । ନୌସେନାରେ ଭାରତ ପାଖରେ ୧୮ ଟି ସବମାରିନ ଓ ୨ଟି ଏୟାରକ୍ରାଫ୍ଟ କ୍ୟାରିଅର ରହିଛି । ହେଲେ ପାକିସ୍ତାନ ଓ ସାଉଦି ଆରବ ପାଖରେ ମିଳିତ ଭାବେ ୮ ଟି ସବମାରିନ ଥିବା ବେଳେ ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିଅର ନାହିଁ । 

ମିସାଇଲ ଓ ପରମାଣୁ ଶକ୍ତି ମାମଲାରେ ଭାରତ ପାଖରେ ଅଗ୍ନି-୫(୫୨୦୦ କିଲୋମିଟର ରେଞ୍ଜ) ଓ ୧୭୨ ପରମାଣୁ ଅସ୍ତ୍ର ରହିଛି । ପାକିସ୍ତାନ ଓ ସାଉଦି ଆରବ ପାଖରେ ଶାହିନ-୩ (୨୭୫୦ କିମି ରେଞ୍ଜ) ଓ ୧୭୦ ପରମାଣୁ ଅସ୍ତ୍ର ରହିଛି ।  ହେଲେ ସମୁଦ୍ରରୁ ପରମାଣୁ ଅସ୍ତ୍ର ଉତକ୍ଷେପଣ କରିବାର କ୍ଷମତା ନାହିଁ ।

ଇତିହାସ କହୁଛି ସାଉଦି ଆରବ ପାକିସ୍ତାନକୁ ବିଭିନ୍ନ ସମୟରେ ଅର୍ଥ ଓ ତୈଳ ସହାୟତା କରିଛି । ହେଲେ କେବେ ବି ସୈନ୍ୟ ସହାୟତା କରିନାହିଁ । ୧୯୬୫ ଓ ୧୯୭୧ ଯୁଦ୍ଧରେ ପାକିସ୍ତାନକୁ ଆର୍ଥକ ସହାୟତା ଓ ତୈଳ ମାଗଣାରେ ସାଉଦିଆରବ ଯୋଗାଇଥିଲା । ୧୯୯୯ କାର୍ଗିଲ ଯୁଦ୍ଧରେ ସାଉଦି ଆରବ ନିରପେକ୍ଷ ରହିଥିଲା । ୨୦୨୫ ରେ ସାଉଦିଆରବ ଓ ପାକିସ୍ତାନ ମଧ୍ୟରେ ସଂପର୍କରେ ସୁଧାର ଆସିଥିଲା ଓ ଅପେରସନ ସିନ୍ଦୂର ବେଳେ ସାଉଦିଆରବ ମଧ୍ୟସ୍ଥତା କରିଥିଲା । 

ସେପଟେ ଭାରତ ଆଜି ସାଉଦି ଆରବର ଦ୍ୱିତୀୟ ବଡ଼ ବ୍ୟବସାୟିକ ବନ୍ଧୁ । ଭାରତ ୧୮ ପ୍ରତିଶତ ତୈଳ ସାଉଦିଆରବରୁ ଆମଦାନୀ କରୁଛି । ଯାହା ଫଳରେ ୪୦ ଆରବ ଡଲାରରୁ ଅଧିକ ଟଙ୍କା କାରବାର ହେଉଛି । ପାକିସ୍ତାନ ସହ ସାଉଦିଆରବର ବ୍ୟବସାୟ ମାତ୍ର ୫ ଆରବ ଡଲାରର । ପାକିସ୍ତାନ ବାରମ୍ବାର ଋଣ ଓ ମାଗଣା ତେଲ ମାଗି ସାଉଦିଆରବକୁ ଅସ୍ତବ୍ୟସ୍ତ କରୁଛି ।