କନକ ବ୍ୟୁରୋ : ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କଲା ବିସିସିଆଇ । ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ ପାକିସ୍ତାନୀ କ୍ରିକେଟର । ଦୁବାଇରେ ଗତ ରବିବାର ଦିନ ଖେଳାଯାଇଥିବା ମ୍ୟାଚ୍‌ ବେଳେ ପାକ୍‌ ଦ୍ରୁତ ବୋଲର ହାରିସ ରୌଫ ଏବଂ ବ୍ୟାଟର ଶାହିବଜାଦା ଫରହାନ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଏହା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ । ଏନେଇ ଇମେଲ୍‌ ଜରିଆରେ ଆଇସିସି ନିକଟରେ ହାରିସ୍ ରୌଫ ଓ ଶାହିବଜାଦା ଫରହାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଦାବି କରିଛି । ଦୁଇ ଖେଳାଳିଙ୍କ ବିରୋଧରେ ଆଇସିସି ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିପାରେ । ଯଦି ହାରିସ ରୌଫ ଓ ଶାହିବଜାଦା ଫରହାନ ଲିଖିତ ଭାବରେ ନିଜର ପକ୍ଷ ରଖିବେ ନାହିଁ ତେବେ ଆଇସିସି ଏଲିଟ୍ ପ୍ୟାନେଲ ରେଫରି ରିଚି ରିଚର୍ଡସନଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ପଡ଼ିବ ।

Advertisment

ଅଭିଷେକ ଶର୍ମା ଏବଂ ଶୁବମନ ଗିଲଙ୍କ ସହ ମଧ୍ୟ ବିବାଦ କରିଥିଲେ ଦୁଇ ଖେଳାଳି, ଯାହାକୁ ବିସିସିଆଇ କଡ଼ା ବିରୋଧ କରିଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି , ପଡ଼ିଆରେ ଏପରି ଆଚରଣ ଖେଳ ଭାବନା ବିରୁଦ୍ଧରେ । ହାରିସ୍‌ ଏବଂ ସାହିବଜାଦାଙ୍କ ଭିଡିଓ ମଧ୍ୟ ମେଲ୍‌ରେ ପଠାଇଛି ବିସିସିଆଇ। ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ବିବୃତି ସମ୍ପର୍କରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା। ଇମେଲରେ ଉଲ୍ଲେଖ ଥିଲା ଯେ ଯଦି ସୂର୍ଯ୍ୟ  ଅଭିଯୋଗଗୁଡ଼ିକୁ ଗ୍ରହଣ ନ କରନ୍ତି, ତେବେ ଏହାର ଶୁଣାଣି କରାଯିବ