କନକ ବ୍ୟୁରୋ: ଆଜି ଏସିଆ କପ ସୁପର ୪ରେ ମୁହାଁମୁହିଁ ଭାରତ ପାକିସ୍ତାନ । ଆଜିର ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ ଗତ ମ୍ୟାଚରେ ଭାରତଠାରୁ ପରାଜିତ ହେବା ସହ ଯେଉଁ ବେଜ୍ଜିତ୍ ହୋଇଥିଲା ସେଥିରୁ ସେ ବାହାରି ପାରିନି । ତେବେ ଏହାରି ଭିତରେ ପୁଣି ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଏହି ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଏହି ପୁଣି ଦେଖିବାକୁ ମିଳିପାରେ ନୋ ହ୍ୟାଣ୍ଡସେକ୍ ପାର୍ଟ-୨ ।
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଦେଶରେ ଏହାକୁ ପ୍ରବଳ ବିରୋଧ ହେଉଥିଲା । ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ମ୍ୟାଚ ନଖେଳୁ ବୋଲି ଚାରିଆଡୁ ଦାବି ହେଉଥିଲା । ହେଲେ ଏହାରି ଭିତରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏଥିରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହା ଦେଶବାସୀଙ୍କ ରାଗକୁ ଶାନ୍ତ କରିଦେଇଥିଲା । କାରଣ ରାଗ କେବଳ ଲୋକଙ୍କ ଭିତରେ ନଥିଲା ବରଂ ଖେଳାଳିଙ୍କ ଭିତରେ ଥିଲା । ତେଣୁ ଭାରତ ପାକିସ୍ତାନ ମ୍ୟାଚ ବେଳେ ଭାରତୀୟ ଖେଳାଳି ନା ପାକିସ୍ତାନ ଖେଳାଳିଙ୍କ ମୁହଁକୁ ଅନାଇଥିଲେ ନା ଖେଳ ଶେଷରେ ତାଙ୍କ ସହ ହ୍ୟାଣ୍ଡସେକ୍ କରିଥିଲେ । ବରଂ ଡ୍ରେସିଂ ରୁମକୁ ଯାଇ କବାଟ ବନ୍ଦ କରିଦେଇଥିଲେ ଯାହା ସେମାନଙ୍କୁ ଖୁବ ବାଧିଥିଲା ।
ଏଥିପାଇଁ ପାକିସ୍ତାନ ଧମକ ଦେବା ଆରମ୍ଭ କରିଥିଲା । ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ପାକିସ୍ତାନ ଦାବି କରିଥିଲା । ଏହାସହ ଭାରତୀୟ ଦଳର ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିବି ଆଇସିସିକୁ ଅନୁରୋଧ କରିଥିଲା । ହେଲେ ପାକିସ୍ତାନର କୌଣସି ଦାବି ଶୁଣିନଥିଲା । ଦାବି ପ୍ରତ୍ୟାଖ୍ୟାନ ହେବା ପରେ, ପାକିସ୍ତାନ ୟୁଏଇ ସହିତ ଖେଳିବାକୁ ମନା କରିଥିଲା, କିନ୍ତୁ ପ୍ରାୟ ଗୋଟିଏ ଘଣ୍ଟା ମଧ୍ୟରେ, ସେମାନେ ଆତ୍ମସମର୍ପଣ କରି ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ବାରମ୍ୱାର ବେଜିତ ହେବା ପରେ ବି ଦଳ ପୁଣି ଖେଳିବାକୁ ଆସିଥିଲା ।
ତେବେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଭାରତ କେବେ ବି ପାକିସ୍ତାନ ପ୍ରତି ଦୟାଳୁ ମନୋଭାବ ଦେଖାଇବ ନାହିଁ । ଆଉ ଯଦି ଭାରତ ପାକିସ୍ତାନ ସହ ନୋ ହ୍ୟାଣ୍ଡସେକ୍ ପାର୍ଟ-୨ କରେ ତେବେ ପୁଣି ପାକିସ୍ତାନ ବେଜିତ୍ ହେବ । ଏହାପରେ ବି ଭାରତ ଯଦି ଏସିଆ କପରେ ବିଜୟୀ ହୁଏ ତେବେ ଏସିସି ସଭାପତି ଥିବା ମୋହସିନ ନକଭିଙ୍କ ହାତରୁ କେବେ ବି କପ୍ ଗ୍ରହଣ କରିବା ନାହିଁ । କାରଣ ନକଭି ହେଉଛନ୍ତି ଜଣେ ପାକିସ୍ତାନୀ ।