କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର । ଦୁବାଇରେ ଖେଳାଯିବ ଏହି ମ୍ୟାଚ୍ । ଦୁଇ ଦେଶ ଚଳିତ ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଭାରତ ଏକତରଫା ମ୍ୟାଚରେ ୟୁଏଇକୁ ପରାସ୍ତ କରିଥିଲା । ସେପଟେ ଓମାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ପାକିସ୍ତାନ । ଏସିଆ କପ୍ରେ ଏଯାଏଁ ଦୁଇ ଦେଶ ପରସ୍ପରକୁ ୧୮ ଥର ସାମ୍ନା କରିଛନ୍ତି । ଭାରତ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଛି । ଦୁଇଟି ମ୍ୟାଚର ଫଳାଫଳ ବାହାରିପାରିନି । ତେଣୁ ରେକର୍ଡ ଭାରତ ସପକ୍ଷରେ ରହିଛି । ଭାରତୀୟ ସମୟ ରାତି ୮ଟାରେ ଆଜିର ମ୍ୟାଚ୍ ଖେଳାଯିବ ।
ଭାରତର ପଲ୍ଲା ଭାରି :
ଭାରତ ପୂର୍ବରୁ ୮ ଥର ଏସିଆ କପ୍ ଜିତିଛି
ପାକିସ୍ତାନ ମାତ୍ର ୨ ଥର ଚାମ୍ପିଅନ ହୋଇପାରିଛି
ଶେଷଥର ଭାରତ ୨୦୨୩ରେ ଟ୍ରଫି ଜିତିଥିଲା
ପାକିସ୍ତାନ ୨୦୧୨ରେ ବିଜୟ ମୁକୁଟ ପାଇଥିଲା
୨୦୨୩ରେ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇଥିଲା
୬ ଥର ଚାମ୍ପିଅନ ଶ୍ରୀଲଙ୍କାକୁ ପରାସ୍ତ କରି ବିଜେତା ହୋଇଥିଲା ଭାରତ
୨୦୨୩ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା
ଏଥର ଟ୍ବେଣ୍ଟି-୨୦ରେ ଖେଳାଯାଉଛି ଏସିଆ କପ୍
୧୩ ଥର ମୁହାଁମୁହିଁ ଦୁଇ ଦଳ :
ଟ୍ବେଣ୍ଟି-୨୦ ଫର୍ମାଟରେ ୧୩ ଥର ଭେଟିଛନ୍ତି ଦୁଇ ଦଳ
୯-୩ରେ ପ୍ରାଧାନ୍ୟ ବିସ୍ତାର କରିଛି ଭାରତ
୨୦୦୭ ବିଶ୍ବକପ୍ର ଫଳାଫଳ ବି ମନେରଖିବା ଭଳି ଥିଲା
ସେହି ଟାଇ ମ୍ୟାଚଟି ବି ଭାରତ ବୋଲ୍ ଆଉଟରେ ଜିତିଥିଲା
ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ । ମ୍ୟାଚ୍ ପୂର୍ବରୁ ଯେପରି ମାହୋଲ ରହିବା କଥା, ସେପରି ଦେଖା ଯାଉନାହିଁ । ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜବାବ ଦେଇଥିଲା । ଅପରେସନ ସିନ୍ଦୂର ପରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍। ମ୍ୟାଚର ଟିକେଟ ବି ବିକ୍ରି ହୋଇପାରିନି । ପାକିସ୍ତାନ ସହ ଭାରତ କାହିଁକି ମ୍ୟାଚ୍ ଖେଳୁଛି ବୋଲି ବିଭିନ୍ନ ବର୍ଗର ଲୋକ ପ୍ରଶ୍ନ ଉଠାଇଛନ୍ତି । ବଲିଉଡ ସେଲିବ୍ରିଟିଠୁ ନେଇ ବିରୋଧୀ ରାଜନେତା ମ୍ୟାଚ ବର୍ଜନ ପାଇଁ ଦାବି କରୁଛନ୍ତି । ଯଦି ମ୍ୟାଚ୍ ହୁଏ ତେବେ ଏହାର ପ୍ରସାରଣ ଭାରତରେ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପିଲ୍ କରିଛି ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ । ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ଏପରିକି ଉଦ୍ଧବ ଠାକରେ ମୋଦୀ ସରକାରଙ୍କୁ ପ୍ରଶ୍ନ ଘେରକୁ ଟାଣିଛନ୍ତି ।