କନକ ବ୍ୟୁରୋ : ଲୋକସଭାରେ ଗୃହୀତ ହେଲା ଇମିଗ୍ରେସନ ବିଲ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ । କହିଲେ ଭାରତ ନୁହେଁ ଧର୍ମଶାଳା । ପର୍ଯ୍ୟଟକ ଭାବେ ବୁଲିବାକୁ ଆସୁଥିବା , ଶିକ୍ଷା ଗ୍ରହଣ କରିବା ଆସୁଥିବା, ସ୍ବାସ୍ଥ୍ୟ ଅବା ବାଣିଜ୍ୟ ପାଇଁ ଆସୁଥିବା ଲୋକଙ୍କୁ ସ୍ବାଗତ । ହେଲେ ଭାରତ ପାଇଁ ଭୟ ବଢାଉଥିବା ଲୋକଙ୍କୁ କରାଯିବ ସାବାଡ୍ । ଇମିଗ୍ରେସନ ଏବଂ ଫରେନର୍ସ ବିଲ ୨୦୨୫ ଉପରେ ଲୋକସଭାରେ ଆଲୋଚନା ବେଳେ ଏଭଳି କହିଛନ୍ତି ଶାହା ।
ଗୃହମନ୍ତ୍ରୀ କହିଛନ୍ତି, ମୋଦୀ ସରକାର ସେହିମାନଙ୍କୁ ଭାରତରେ ପଶିବାକୁ ଅନୁମତି ଦେବ ନାହିଁ । ଯେଉଁମାନଙ୍କ ଯୋଗୁ ଭାରତର ଜାତୀୟ ସୁରକ୍ଷା ଉପରେ ଭୟ ସୃଷ୍ଟି ହେଉଛି । ଏହି ଦେଶ ଧର୍ମଶାଳା ନୁହେଁ । ଯେଉଁମାନେ ଦେଶର ବିକାଶ କ୍ଷେତ୍ରରେ ଯୋଗଦାନ କରିବେ ସେମାନଙ୍କୁ ସ୍ବାଗତ କରାଯିବ । କିନ୍ତୁ ଭାରତ ପ୍ରତି ଭୟ ସୃଷ୍ଟି କରୁଥିବା ଲୋକଙ୍କୁ ନୁହେଁ । ଏଥିସହ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ସହ ପଶ୍ଚିମବଙ୍ଗ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦୟା ଦେଖାଉଥିବା କହିଛନ୍ତି ଶାହା । ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ବାଂଲାଦେଶ ସୀମାରେ ୩୫୦ କିଲୋମିଟରର ତାର ବାଡ଼ ନିର୍ମାଣ ହୋଇପାରୁନଥିବା କହିଛନ୍ତି ଗୃହମନ୍ତ୍ରୀ ।