କନକ ବ୍ୟୁରୋ: ଆଗାମୀ ବର୍ଷ ହେବ ତାମିଲନାଡୁ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଏଆଇଏଡିଏମକେ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ମୁଖ୍ୟ ପାଲାନୀସ୍ବାମୀ ଏହି ମେଣ୍ଟର ନେତୃତ୍ବ ନେବେ । ଆଜି ଏହି ସମ୍ପର୍କରେ ଚେନ୍ନାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଲାନୀସ୍ବାମୀଙ୍କ ଉପସ୍ଥିତିରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି ।
ସେପଟେ ଏଆଇଏଡିଏମକେ ଓ ବିଜେପି ମଧ୍ୟରେ ମେଣ୍ଟ ଘୋଷଣା ହେବା ସହିତ ବିଜେପିର ନୂଆ ସଭାପତି ଭାବେ ନୈନାର ନାଗେନ୍ଦ୍ରନଙ୍କ ନାଁ ଘୋଷଣା ହୋଇଛି । ଆନ୍ନାମଲ୍ଲାଇ ନାଗେନ୍ଦ୍ରନଙ୍କ ନାଁ ସଭାପତି ପଦ ପାଇଁ ପ୍ରସ୍ତାବ ଦେଇଥିଲେ । ପୂର୍ବରୁ ଏଆଇଏଡିଏମକେର ବିଧାୟକ ନାଗେନ୍ଦ୍ରନ ମାତ୍ର ୮ବର୍ଷ ପୂର୍ବରୁ ବିଜେପିରେ ମିଶିଥିଲେ ।
ଅତିକମରେ ୧୦ବର୍ଷ ପ୍ରାଥମିକ ସଭ୍ୟ ରାଜ୍ୟ ସଭାପତି ପଦବୀରେ ଲଢିବାର ନିୟମ ଥିଲେ ମଧ୍ୟ ନାଗେନ୍ଦ୍ରନ ପାଇଁ ଏହା କୋହଳ କରାଯାଇଛି । ଏଆଇଏଡିଏମକେ ଓ ବିଜେପିର ମେଣ୍ଟ ପାଇଁ ଆନ୍ନାମଲ୍ଲାଇଙ୍କ ବଦଳରେ ନାଗେନ୍ଦ୍ରନଙ୍କ ହିଁ ସଭାପତି ପଦ ପାଇଁ ଉପଯୁକ୍ତ ବୋଲି କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ ।