କନକବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଆକ୍ସନ ମୋଡରେ କେନ୍ଦ୍ର ସରକାର ।  ଆଜି ସୁରକ୍ଷା ସ୍ଥିତି ସମ୍ବନ୍ଧରେ ବୈଠକ କରି ବିସ୍ତୁତ ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ  ।  ସେପଟେ ପାକିସ୍ତାନକୁ ସାବାଡ଼ କରିବାକୁ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେଉଛନ୍ତି ସରକାର । ପହଲଗାମ ଆତଙ୍କୀ ଆକ୍ରମଣ ଦେଶର ଆତ୍ମାକୁ ବଡ ଆଘାତ ଦେଇଛି  ।  ଆତଙ୍କବାଦୀଙ୍କ ଠୁ ଗୋଟିଗୋଟି କରି ପ୍ରତିଶୋଧ ନେବାକୁ ପ୍ରସ୍ତୁତ କେନ୍ଦ୍ର ସରକାର ।  ଏହା ଭିତରେ ଆଜି ସୀମାର ସୁରକ୍ଷା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିସ୍ତୁତ ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ   ।  

Advertisment

ରବିବାର ରାଜନାଥ ସିଂ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସହ ବୈଠକ କରିବା ପରେ ଆଜି ସାଉଥ ବ୍ଲକରେ ମୋଦୀଙ୍କ ସହ କରିଛନ୍ତି ବଡ ବୈଠକ ।   ସୂଚନା ଅନୁସାରେ ପାକିସ୍ତାନ ବିରୋଧରେ ଭାରତ ଯେଉଁସବୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି  । ଏହାର କି ପ୍ରଭାବ ପଡୁଛି ଏନେଇ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି   ।   ମୋଦୀଙ୍କ ସହ ବୈଠକ କରିବା ପରେ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ  ଚାରିଆଡୁ ଫସିବା ପରେ କ’ଣ କରିବ ପାକିସ୍ତାନ କିଛି ବୁଝିପାରୁନି ।  

ଅକଳରେ ପଡି ଭାରତୀୟ ସୀମାରେ କରୁଛି ଗୁଳିମାଡ଼ ।  ଲଗାତାର ୫ଦିନରେ ମଧ୍ୟ ଏଲଓସିରେ ମୋର୍ଟାର ମାଡ ଓ ଗୁଳିବର୍ଷା କରିଛି  ।  ଯାହାର ଗୋଟି ଗୋଟି ହିସାବ ଦେଉଛି ଭାରତୀୟ ସେନା ।  ସୀମାରେ ଅତିରିକ୍ତ ଫୋର୍ସ ମୁତୟନ,ଦେଶରୁ ପାକିସ୍ତାନୀଙ୍କୁ ବିତାଡିତ କରାଯାଉଛି । ।ପାକିସ୍ତାନକୁ ହାତରେ ନ ମାରି ଭାତରେ ମାରିବାକୁ ଭାରତର ରଣନୀତି ସ୍ପଷ୍ଟ ହୋଇସାରିଛି ।

ଗୋଟେ ପଟେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛି ଭାରତ ସେପଟେ ଜମ୍ମୁକାଶ୍ମୀର ପୁଲୱାମା, କୁଲଗାମ, ପହଲଗାମ ଓ ଉତ୍ତରକାଶ୍ମୀରରେ ଥିବା ଆତଙ୍କୀଙ୍କ ଠିକଣାକୁ ମାଟିରେ ମିଶାଉଛି ସେନା  ।  ଏନଆଇଏର ତଦନ୍ତ ରିପୋର୍ଟ ଆସିବା ପରେ ଆହୁରି ୧୦ରୁ ୧୫ ଆତଙ୍କୀଙ୍କ ତାଲିକା ତିଆରି କରାଯାଇଛି ।  ୨ଶହରୁ ଅଧିକ ସନ୍ଦିଗ୍ଧଙ୍କ ହାଜତକୁ ନେଇ ଜେରା କରାଯାଉଛି  ।  ସେପଟେ ଘାଟିରେ ଫୁଲଦମରେ କରାଯାଉଛି ସର୍ଚ୍ଚ ଅପରେସନ  ।