କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ୫ ୱିକେଟ୍ ପରାଜିତ ହୋଇଛି । ଟିମ୍ ଇଣ୍ଡିଆର ବ୍ୟାଟର ୫ଟି ଶତକ ହାସଲ କରିବା ପରେ ବି ମ୍ୟାଚ୍ ଛଡ଼ାଇନେଲା ଇଂଲଣ୍ଡ ଦଳ । ଏହି ପରାଜୟ ପରେ ଗିଲ୍ ସାମାନ୍ୟ ଭାବୁକ ହୋଇ ପଡ଼ିଥିବା ନଜର ଆସିଥିଲେ । ମ୍ୟାଚ୍ ପରେ ସେ ପରାଜୟ ପାଇଁ ଖରାପ ଫିଲ୍ଡିଂ ଓ ନିମ୍ନକ୍ରମ ବ୍ୟାଟର୍ସଙ୍କୁ ଦାୟୀ କରିଛନ୍ତି ।
ଲିଡ୍ସ ଟେଷ୍ଟରେ ବିଜୟ ହାସଲ କରିବା ସୁଯୋଗ ଭାରତ ପାଖରେ ରହିଥିଲା । କିନ୍ତୁ ଏହି ମ୍ୟାଚ୍ରେ ଭାରତୀୟ ଦଳର ଅନେକ ଦୁର୍ବଳତା ସାମ୍ନାକୁ ଆସିଛି । ଦ୍ୱିତୀୟ ଇନିଂସରେ ଗିଲ୍ ଇଂଲଣ୍ଡ ଦଳକୁ ଅତିକମ୍ରେ ୪୩୦ ରନ୍ରୁ ଅଧିକ ଟାର୍ଗେଟ୍ ଦେବାକୁ ଚାହୁଥିଲେ । କିନ୍ତୁ ନିମ୍ନକ୍ରମ ବ୍ୟାଟରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ଏହାକୁ ନେଇ ଖୋଦ ଶୁବମନ ଗିଲ୍ ମ୍ୟାଚ୍ ପରେ କହିଛନ୍ତି । ଖାଲି ସେତିକି ନୁହେଁ, ପ୍ରଥମ ଟେଷ୍ଟରେ ପରାଜୟ ପାଇଁ ଖରାପ ବୋଲିଂ ପ୍ରଦର୍ଶନକୁ ବି ଦାୟୀ କରିଛନ୍ତି ।
ଏହାଛଡ଼ା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଏକାଧିକ କ୍ୟାଚ୍ ଛାଡ଼ିଥିଲେ ଭାରତୀୟ ଫିଲ୍ଡର । ଯାହାଫଳରେ ଭାରତ ହାତରୁ ମ୍ୟାଚ ଚାଲି ଯାଇଥିଲା ବୋଲି କହିଛନ୍ତି ଶୁବମନ ଗିଲ୍ । ଗିଲ୍ କହିଛନ୍ତି, ”ପନ୍ତ ଓ ରାହୁଲଙ୍କ ପାଳି ପରେ ଆମେ ଭାବିଥିଲୁ ୪୩୦ ରନ୍ରୁ ଅଧିକ ସ୍କୋର୍ କରିବୁ । ଏହାପରେ ପାଳି ଘୋଷଣା କରି ବୋଲିଂ କରିବାକୁ ଓହ୍ଲାଇବୁ । କିନ୍ତୁ ତାହା ସମ୍ଭବ ହୋଇପାରିଲାନି । ମାତ୍ର ୨୦ରୁ ୩୦ ରନ୍ରେ ଭାରତୀୟ ଦଳ ୬ଟି ୱିକେଟ୍ ହରାଇଥିଲା । ଯାହା କେବେ ମ୍ୟାଚ୍ ପାଇଁ ଶୁଭ ସଙ୍କେତ ନଥିଲା ।“
କ୍ୟାପ୍ଟେନ୍ ଗିଲ୍ଙ୍କ ମତରେ ଭାରତ ଅପେକ୍ଷା ଇଂଲଣ୍ଡ ଭଲ କ୍ରିକେଟ ଖେଳିଥିଲା । ବିଶେଷ କରି ଦ୍ୱିତୀୟ ପାଳିରେ ଇଂଲଣ୍ଡର ଦୁଇ ଓପନର ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଇଂଲଣ୍ଡ ବ୍ୟାଟର ୧୮୮ ରନ୍ ଦଳୀୟ ଖାତାରେ ଯୋଡ଼ିଥିଲେ । ଏହାପରେ ଭାରତ ହାତରୁ ଏକ ପ୍ରକାର ମ୍ୟାଚ ଚାଲି ଯାଇଥିଲା । କାରଣ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ବ୍ୟାଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲେ ଭାରତୀୟ ବୋଲର । ମାତ୍ର ୫ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଇଂଲଣ୍ଡ ।
ପ୍ରଥମ ପାଳିରେ ୪୧ ରନ୍ରେ ଟିମ୍ ଇଣ୍ଡିଆ ୭ଟି ୱିକେଟ୍ ହରାଇଥିଲେ । ସେହିଭଳି ଦ୍ୱିତୀୟ ଇନିଂସରେ ମାତ୍ର ୩୧ ରନ୍ରେ ଶେଷ ୬ଟି ୱିକେଟ୍ ହରାଇଥିଲା ଭାରତ । ଆଗାମୀ ମ୍ୟାଚରେ ଏହାକୁ ଭାରତ ସୁଧାରିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ଶୁବମନ ଗିଲ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜୁଲାଇ ୨ ରିଖରୁ ଖେଳାଯିବ । ଏବେ ୫ଟିକିଆ ଟେଷ୍ଟ ମ୍ୟାଚ୍ ସିରିଜ୍ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଏଜ୍ବାଷ୍ଟନରେ ଖେଳାଯିବ ।