India Joins Pax Silica Initiative Photograph: (Google)
କନକ ବ୍ୟୁରୋ: ନୂଆଦିଲ୍ଲୀରେ ଚାଲିଥିବା ଭାରତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଭାରତ ଶୁକ୍ରବାର ଦିନ ଆମେରିକା ନେତୃତ୍ୱାଧୀନ ରଣନୈତିକ ମେଣ୍ଟ ‘ପାକ୍ସ ସିଲିକା’ରେ ଯୋଗଦେବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ କୃତ୍ରିମ ବୁଦ୍ଧିମତ୍ତା ପାଇଁ ସ୍ଥିର ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ସହିତ ରେୟାର ଆର୍ଥରେ ଚୀନର ପ୍ରାଧାନ୍ୟକୁ ମୁକାବିଲା କରିବା ଏହି ଘୋଷଣାନାମାର ମୁଖ୍ୟ ଲକ୍ଷ୍ୟ । ଏହି ପଦକ୍ଷେପ ପ୍ରଯୁକ୍ତିବିଦ୍ୟା ସହଯୋଗକୁ ବୃଦ୍ଧି କରିବା ଏବଂ ପରବର୍ତ୍ତୀ ପିଢ଼ିର ଶିଳ୍ପ ପାଇଁ ଜରୁରୀ ପ୍ରମୁଖ ସମ୍ବଳଗୁଡ଼ିକର ସୁରକ୍ଷିତ ପ୍ରବେଶ ସୁନିଶ୍ଚିତ କରିବ ବୋଲି କୁହାଯାଇଛି ।
ଅଧିକ ପଢନ୍ତୁଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ: ୪,୦୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ହାତରେ ଟ୍ରାଫିକ୍ ପରିଚାଳନା ଦାୟିତ୍ବ
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ଦୁଇ ଦେଶ ସେମାନଙ୍କ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବାକୁ ଅଧିକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏହି ଘୋଷଣାନାମାରେ ସ୍ବାକ୍ଷର କରାଯିବା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ଭାରତ ପାକ୍ସ ସିଲିକାରେ ସାମିଲ ହେବା ପରେ ଏହା ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଲାଭଦାୟକ ହେବ । ଭାରତରେ ୧୦ଟି ପ୍ଲାଣ୍ଟ ସ୍ଥାପିତ ହୋଇଥିବାବେଳେ ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ଏହାଦ୍ବାରା ଭାରତର ଯୁବପିଢ଼ି ଲାଭାନ୍ବିତ ହେବେ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଭାରତ- ଆମେରିକା ମଧ୍ୟରେ ରଣନୈତିକ ସମ୍ପର୍କ ଏକବିଂଶ ଶତାବ୍ଦୀର ଅର୍ଥନୀତି ଓ ଟେକ୍ନୋଲଜି କ୍ଷେତ୍ରକୁ ନୂଆ ଦିଗନ୍ତ ଦେବ ବୋଲି ଆମେରିକାର ରାଷ୍ଟ୍ରଦୂତ ସର୍ଗିଆ ଗୋର୍ କହିଛନ୍ତି ।
Follow Us