କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପାକିସ୍ତାନୀ ବିମାନ ପାଇଁ ନିଜ ଆକାଶ ସୀମା ବନ୍ଦ କରିବାକୁ ବିଚାର କରୁଛି ଭାରତ । ଏହା ପୂର୍ବରୁ ପାକିସ୍ତାନ ଗତ ଏପ୍ରିଲ ୨୪ ତାରିଖରେ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜ ଆକାଶ ସୀମା ବନ୍ଦ କରିଦେଇଛି, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି ।
ଭାରତର ଏହି ପଦକ୍ଷେପ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଉପରେ ବଡ଼ ପ୍ରଭାବ ପକାଇବ, ଯାହାକୁ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳକୁ ଯିବା ପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡ଼ିବ । ଏହାଦ୍ୱାରା ପାକିସ୍ତାନର ବିମାନ ଚଳାଚଳ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସମୟ ଅଧିକ ଲାଗିବ । ଅନ୍ୟପଟେ, ପାକିସ୍ତାନର ଆକାଶ ସୀମା ବନ୍ଦ ହେବା ଫଳରେ ଭାରତୀୟ ବିମାନ ସେବା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପ୍ରତି ସପ୍ତାହରେ ପ୍ରାୟ ୮୦୦ ଅନ୍ତର୍ଜାତୀୟ ଉଡ଼ାଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିମାନଗୁଡ଼ିକୁ ଉତ୍ତର ଆମେରିକା, ୟୁରୋପ ଓ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଯିବା ପାଇଁ ଅଧିକ ସମୟ ନେବାକୁ ପଡୁଛି , ଫଳରେ ଇନ୍ଧନ ଖର୍ଚ୍ଚ ଓ ଉଡ଼ାଣ ସମୟ ମଧ୍ୟ ବୃଦ୍ଧି ପାଉଛି । ଭାରତ ସରକାର ଏୟାରଲାଇନ୍ସ ସହିତ ମିଳିତ ଭାବେ ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି । ନାଗରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ କହିଛନ୍ତି, ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପ୍ରାଥମିକତା । ଡିଜିସିଏ ମଧ୍ୟ ଏୟାରଲାଇନ୍ସକୁ ଯାତ୍ରୀଙ୍କୁ ସଠିକ ସୂଚନା ଓ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ଘଟଣା ଦୁଇ ଦେଶର ବିମାନ ଚଳାଚଳ ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି ।