କନକ ବ୍ୟୁରୋ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ସିସିଏସ୍ ବୈଠକରେ ସିନ୍ଧୁ ଜଳ ଚୁକ୍ତି ଉପରେ ପ୍ରତିବନ୍ଧକ ସମେତ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଥିଲା  ।  ଏହାର ଜବାବରେ ପାକିସ୍ତାନର ଜାତୀୟ ସୁରକ୍ଷା କମିଟିର ବୈଠକ ହୋଇଥିଲା ।

Advertisment

ଏଥିରେ ଭାରତ ପାଇଁ ପାକିସ୍ତାନର ଆକାଶପଥ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି  ।  ଏହା ସହିତ ଶିମ୍‌ଲା ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖାଯାଇଛି  ।  ପାକିସ୍ତାନ ସମସ୍ତ ଭାରତୀୟ ବିମାନ ପାଇଁ ତା’ର ବାୟୁସୀମା ବନ୍ଦ କରିବାକୁ ଘୋଷଣା କରିଛି  । ପାକିସ୍ତାନ ଦେଇ ତୃତୀୟ ଦେଶକୁ ଭାରତ ସହ ସମସ୍ତ ବାଣିଜ୍ୟକୁ ମଧ୍ୟ ତୁରନ୍ତ ବନ୍ଦ କରି ଦିଆଯାଇଛି ।

ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ପାକିସ୍ତାନ ପାଇଁ ନିର୍ଦ୍ଧାରିତ ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର କୌଣସି ପଦକ୍ଷେପ ଯୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରାଯିବ ବୋଲି ପାକିସ୍ତାନ କହିଛି ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଘୋଷଣା କରାଯାଇଛି  ।

ଶିମଲା ଚୁକ୍ତି କ’ଣ?
- ୧୯୭୧ ମୁକ୍ତି ଆନ୍ଦୋଳନରେ ହସ୍ତକ୍ଷେପ କରିଥିଲା ଭାରତ
- ଫଳରେ ପଶ୍ଚିମ ପାକିସ୍ତାନରୁ ପୂର୍ବ ପାକିସ୍ତାନ ପୃଥକ ହେବା ସହ ବାଂଲାଦେଶର ଗଠନ ହୋଇଥିଲା
- ସେହି ସମୟରେ ଭାରତ-ପାକିସ୍ତାନ ଯୁଦ୍ଧ ଦେଖିବାକୁ ମିଳିଥିଲା 
- ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିଥିଲା
- ଏହାର ସମାଧାନ ପାଇଁ ଶିମ୍‌ଲା ଶାନ୍ତି ଚୁକ୍ତି ଏକ ଆଧାରଶୀଳ ଥିଲା
- ୧୯୭୨ ଜୁଲାଇ ୨ରେ ହିମାଚଳ ପ୍ରଦେଶ ରାଜଧାନୀ ଶିମଲାରେ ଦୁଇଦେଶ ମଧ୍ୟରେ ଚୁକ୍ତି ହୋଇଥିଲା
- ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ରାଷ୍ଟ୍ରପତି ଜୁଲ୍‌ଫିକର ଅଲି ଭୁଟ୍ଟୋ ସ୍ବାକ୍ଷର କରିଥିଲେ
- ସେହିବର୍ଷ ଅଗଷ୍ଟ ୪ରେ ଏହା ଲାଗୁ କରାଯାଇଥିଲା 
- ଚୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଲ୍ଓସି ନିର୍ଦ୍ଧାରଣ
- ଦୁଇଦେଶକୁ ବିଭାଜିତ କରିଥିବା ସୀମାରେଖାରୁ ସୈନ୍ୟ ଅପସାରଣ କରିବା
- ପରସ୍ପରର ଯୁଦ୍ଧବନ୍ଦୀଙ୍କୁ ପ୍ରତ୍ୟର୍ପଣ ,ଭବିଷ୍ୟତରେ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ