କନକ ବ୍ୟୁରୋ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ରକ୍ତଚାଉଳ ଚୋବାଉଛି ଭାରତ । ପ୍ରତିଶୋଧ ନିଆଁରେ ଜଳୁଛି ସାରାଦେଶ । କେଉଁ କ୍ଷଣରେ କିଛି ବି ବଡ଼ ପଦକ୍ଷେପ  ନେଇପାରନ୍ତି ଭାରତ ସରକାର ।  ପାକିସ୍ତାନ ବିରୋଧରେ  ଯୁଦ୍ଧର ଘୋଷଣା  କରିପାରନ୍ତି ସରକାର । ପହଲଗାମ ଆତଙ୍କୀ ହମଲା ପରେ ଏଭଳି କିଛି ଆଶଙ୍କା କରାଯାଉଛି । ସେପଟେ ପାତାଳରେ ଲୁଚିଥିଲେ ବି ଆତଙ୍କୀଙ୍କୁ ଖୋଜି ମାରିବାକୁ ରଣହୁଙ୍କାର ମଧ୍ୟ ଦେଇସାରିଛନ୍ତି ମୋଦୀ । ପାକିସ୍ତାନକୁ ମୋଦୀଙ୍କ ଖୋଲାଖୋଲି  ଚ୍ୟାଲେଞ୍ଜ ଯୁଦ୍ଧ ହେବା ନେଇ ସଙ୍କେତ ଦେଉଛି। ତେବେ ଯଦି ଯୁଦ୍ଧ ହୁଏ କ’ଣ ଭାରତକୁ ସାମ୍ନା କରି ପାରିବ ପାକିସ୍ତାନ ?  ଭାରତ ପାଖରେ କେତେ ଅଛି ସୈନ୍ୟ ବଳ ? ଆସନ୍ତୁ ଜାଣିବା ଭାରତ ଓ ପାକ୍ ପାଖରେ ଥିବା ସେନାଶକ୍ତି ସାମର୍ଥ୍ୟ…

Advertisment

ପ୍ରକୃତ କଥା ହେଉଛି  ଭାରତର ସାମରିକ ଶକ୍ତି ଆଗରେ ପାକିସ୍ତାନ ହଜି ଯିବ, ତେଣୁ ସେ ସ୍ଥଳ ସେନା ହେଉ କି ଜଳ ସେନା କିମ୍ବା ବାୟୁ ସେନା । ଭାରତର ତିନି ସେନା ଆଗରେ ପାକ୍‌ର ସେନା ତିଷ୍ଠିବା ମୁସ୍କିଲ ।  କାରଣ ପାକ୍‌ ସେନା ଠାରୁ ଭାରତ ସେନା ଖୁବ୍‌ ଶକ୍ତିଶାଳୀ ।  ତଥାପି ମନରେ ପ୍ରଶ୍ନ ଆସୁଥିବ କ’ଣ  ପାକିସ୍ତାନ ଭାରତର ଶକ୍ତିଶାଳୀ ସେନାଙ୍କୁ  ମୁକାବିଲା କରିପାରିବ ? 

ଗ୍ଲୋବାଲ ଫାୟାରପାୱାର  ଇଣ୍ଡେକ୍ସ ୨୦୨୫ ରିପୋର୍ଟ ଅନୁସାରେ  ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନାଙ୍କ ଲିଷ୍ଟ୍‌ରେ  ଭାରତ ଚତୁର୍ଥସ୍ଥାନରେ ରହିଛି ।  ୨୦୨୩ର ରିପୋର୍ଟ ଅନୁସାରେ  ପାକିସ୍ତାନ ସପ୍ତମ ସ୍ଥାନରେ ରହିଥିଲା ।  ଯାହା ୨୦୨୪ରେ ୯ମ ସ୍ଥାନକୁ ଖସି ଆସିଛି ପାକିସ୍ତାନ । ଆଉ ୨୦୨୫ରେ ପାକ୍‌ ଟପ୍‌ ଟେନ୍‌ରୁ ବାହାର ହୋଇଯାଇଛି ।  ବିଶ୍ବ ରାଙ୍କିଙ୍ଗ୍‌ରେ ପାକିସ୍ତାନ ଏବେ ୧୨ ତମ ସ୍ଥାନରେ ଅଛି । 

ଭାରତର ସୈନ୍ୟବଳ:
ଭାରତୀୟ ସ୍ଥଳସେନା କଥା ଯଦି ଦେଖିବା ତେବେ ୧.୪୪ ମିଲିୟନ ସକ୍ରିୟ ସୈନ୍ୟ ସହ ୧.୧୫ ମିଲିୟନ ରିଜର୍ଭରେ ଅଛନ୍ତି, ସେହିପରି ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକ ବାହିନୀ, ହାଇ ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି, ଯେଉଁଥିରେ ଅର୍ଜୁନ ମେନ୍ ଯୁଦ୍ଧ ଟ୍ୟାଙ୍କ, T-୯୦ "ଭୀମ" ଟ୍ୟାଙ୍କ, ପିନାକ ମଲ୍ଟି-ବ୍ୟାରେଲ ରକେଟ୍ ଲଞ୍ଚର୍, ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍, ହାୱିଜର୍ସ ଏବଂ ଅନ୍ୟାନ୍ୟ ଆଧୁନିକ ତୋପ ରହିଛି । କେବଳ ସ୍ଥଳସେନା ନୁହେଁ, ବାୟୁସେନା ଓ ନୌସେନା ପାଖରେ ବି ରହିଛି ପରାକ୍ରମୀ ଯୁଦ୍ଧାସ୍ତ୍ର । ଭାରତର ବାୟୁସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାରଫୋର୍ସ ସିଷ୍ଟମ୍ ମଧ୍ୟରୁ ଅନ୍ୟତମ । ଏଥିରେ ମୋଟ ୨ ହଜାର ୨୨୯ ବିମାନ, ୬୦୦ ଯୁଦ୍ଧ ବିମାନ, ୮୩୧ ସହାୟକ ବିମାନ, ୮୯୯ ହେଲିକପ୍ଟର ରହିଛି । ସେହିପରି ରାଫେଲ, ମିରାଜ୍ ୨୦୦୦, ମିଗ୍-୨୯, ସୁଖୋଇ ସୁ-୩୦ଏମକେଆଇ । ଏହାବାଦ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍, ବ୍ରହ୍ମୋସ୍, ଆଣ୍ଟି-ରେଡିଏସନ ମିସାଇଲ୍, ରୁଦ୍ରମ୍, ଏୟାର୍-ଟୁ-ଏୟାର୍ ମିସାଇଲ୍, ସବସୋନିକ କ୍ରୁଜ୍ ମିସାଇଲ୍ ନିର୍ଭୟ, ସରଫେସ୍-ଟୁ-ଏୟାର୍ ଡିଫେନ୍ସ ସିଷ୍ଟମ୍ ଆକାଶ ରହିଛି ।


ନୌସେନା କ୍ଷେତ୍ରରେ ବି ଭାରତ ଦୃଢ ସ୍ଥିତିରେ ରହିଛି । ନୌସେନା ଶକ୍ତି ନିରନ୍ତର ବୃଦ୍ଧି ଘଟିଛି । ଇଣ୍ଡିଆନ ନେଭିରେ ୧ ଲକ୍ଷ ୪୨ ହଜାର ୨୫୧ ନୌସେନା କର୍ମଚାରୀ ଅଛନ୍ତି । ପ୍ରାୟ ୧୫୦ ଯୁଦ୍ଧଜାହାଜ, ଏଟୋମିକ ସବମାରିନ୍ ବା ପରମାଣୁ ବୁଡ଼ାଜାହାଜ, ୨ ବିମାନ ବାହକ- INS ବିକ୍ରମାଦିତ୍ୟ ଏବଂ INS ବିକ୍ରାନ୍ତ ରହିଛି। ଏହି ବିଶାଳ ବାହକ ବିମାନ, ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଲଞ୍ଚ କରିପାରିବେ । 

ପାକିସ୍ତାନର ସୈନ୍ୟବଳ : 

ପାକିସ୍ତାନର ସ୍ଥଳସେନା ପାଖରେ ଅଛି  ୩ ହଜାର ୭୪୨ ଟ୍ୟାଙ୍କ, ୫୦ ହଜାର ୫୨୩ ଯୁଦ୍ଧାସ୍ତ୍ର ପରିବହନକାରୀ ଭେଇକିଲ୍, ୭୫୨ ସ୍ୱୟଂ-ଚାଳିତ ତୋପ,୬୯୨ ମୋବାଇଲ୍ ରକେଟ୍ ଲଞ୍ଚର୍ ରହିଛି । ସେହିପରି ନୌସେନା ପାଖରେ ୧୧୪ଟି ନୌସେନା ଜାହାଜ, ୮ ବୁଡ଼ାଜାହାଜ, ୯ ଯୁଦ୍ଧଜାହାଜ ସହ ଅନେକ ସ୍ୱଦେଶୀ ଏବଂ ଆମଦାନୀ ହୋଇଥିବା କ୍ଷେପଣାସ୍ତ୍ର ରହିଛି । ପାକିସ୍ତାନ ପାଖରେ ଯୁଦ୍ଧାସ୍ତ୍ର ଓ ଯୁଦ୍ଧବିମାନ ସହ ସୈନ୍ୟ ଥିଲେ ବି ଭାରତ ପାଖରେ ଯଥେଷ୍ଟ ଅଧିକ ସୈନ୍ୟ, ଉନ୍ନତ ଉପକରଣ, ଅଧିକ ଉନ୍ନତ ଜେଟ୍, ମିସାଇଲ୍ ଏବଂ ଏକ ବୃହତ ନୌସେନା ରହିଛି ।

ଯଦି ଉତ୍ତେଜନା ବୃଦ୍ଧି ପାଏ, ତେବେ ପାକିସ୍ତାନକୁ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଭାରତ ମୁହଁତୋଡ୍ ଜବାବ ଦେବା ସୁନିଶ୍ଚିତ । ତେଣୁ କୁହାଯାଉଛି ଚାରିଆଡୁ ଫସିଯିବ ପାକ୍‌ । ତେଣୁ ଏବେଠୁ ଡରରେ ଥରିଲାଣି ପାକିସ୍ତାନ । ଆତଙ୍କବାଦୀଙ୍କ  ପ୍ରସୟ ଦେବା, ଉସୁକାଇବା  ଭଳି ବଡ଼ ଅପରାଧ କରିଚାଲିଛି । ଜାତିସଙ୍ଘରେ ଅନେକ ବାର୍‌ ଏନେଇ ପାକ୍‌କୁ ଆକ୍ଷେପ ମଧ୍ୟ କରାଯାଇଛି ତଥାପି ପାକ୍‌ ତା'ର ହରକତ୍‌ରୁ ବାଦ୍‌ ପଡୁନାହିଁ । କିନ୍ତୁ ପହଲଗାମରେ ଯେଉଁ ନର ସଂହାର ରିଚିଲେ ଆତଙ୍କବାଦୀ ସେନେଇ କେଉଁଠି ନା କେଉଠି ସାରା ବିଶ୍ବର ଶକ୍ତିଶାଳୀ  ଦେଶ ଏବେ ପାକ୍‌ର ବିରୋଧରେ ବଡ କାର୍ଯ୍ୟାନୁଷ୍ଠା ନେବା ନେଇ ଅଣ୍ଟା ଭିଡିପାରନ୍ତି ।