କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ରାଜ୍ୟ ସଭାରେ କହିଛନ୍ତି, ସରକାର ଏହି ଅଞ୍ଚଳରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଭାରତ ଚାହେଁ ଯେ, ଏହି ସଙ୍କଟର ସମାଧାନ କୂଟନୀତି ଓ ଆଲୋଚନା ମାଧ୍ୟମରେ ହେଉ। ଭାରତ କେବେ ଯୁଦ୍ଧକୁ ସମର୍ଥନ କରେ ନାହିଁ। ସେ କହିଛନ୍ତି, ଉପସାଗରୀୟ ଦେଶଗୁଡ଼ିକରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହି ସଂଘର୍ଷରେ ଘଟିଥିବା ଲୋକଙ୍କ ଜୀବନହାନି ଯୋଗୁଁ ଭାରତ ଦୁଃଖିତ। ଆମେ ସମସ୍ତ ପକ୍ଷଙ୍କୁ ଶାନ୍ତି ପାଇଁ ନିବେଦନ କରୁଛୁ ।
ଏହି ସଂଘର୍ଷ ସାଧାରଣ ଜୀବନ ଏବଂ ବ୍ୟବସାୟକୁ ପ୍ରଭାବିତ କରୁଛି। ଇରାନରେ ଫସି ରହିଥିବା ଭାରତୀୟମାନଙ୍କୁ ବାହାର କରିବା ପାଇଁ ତେହେରାନରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଶକ୍ତି ଆବଶ୍ୟକତା ଉପରେ ଏହି ସଂଘର୍ଷର ପ୍ରଭାବ ବିଷୟରେ ଭାରତ ସତର୍କ ରହିଛି। ସମସ୍ତ ବିଭାଗ ଆଲର୍ଟ ମୋଡ୍ରେ ରଖାଯାଇଛି।
ଏସ. ଜୟଶଙ୍କର କହିଛନ୍ତି, ସଂଘର୍ଷ ଭାରତ ପାଇଁ ବିଶେଷ ଚିନ୍ତାର ବିଷୟ ।
ଆମେ ଏକ ପଡ଼ୋଶୀ ଅଞ୍ଚଳ, ଏବଂ ପଶ୍ଚିମ ଏସିଆରେ ସ୍ଥିରତା ବଜାୟ ରଖିବା ଆମର ଦାୟିତ୍ୱ। ଏକ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ରୁହନ୍ତି ଏବଂ କାମ କରନ୍ତି। କିଛି ହଜାର ଭାରତୀୟ ମଧ୍ୟ ଅଧ୍ୟୟନ କିମ୍ବା ନିଯୁକ୍ତି ପାଇଁ ଇରାନରେ ଅଛନ୍ତି। ଏହି ଅଞ୍ଚଳ ଆମର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତୈଳ ଓ ଗ୍ୟାସ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ଏଠାରେ ରହିଛନ୍ତି। ସଙ୍କଟ ଯୋଗୁ ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/09bbs_12_09032026_111-2026-03-09-12-21-58.jpg)