କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବହୁ ଚର୍ଚ୍ଚିତ ୟୁକ୍ରେନ ଗସ୍ତ ସାରି ସ୍ବଦେଶ ଫେରିଆସିଛନ୍ତି। ତେବେ ଏହି ଗସ୍ତକୁ ନେଇ ଚର୍ଚ୍ଚା ଥମିନି। ପ୍ରଧାନମନ୍ତ୍ରୀ ଏହି ଗସ୍ତ ବେଳେ ୟୁକ୍ରେନ ରାଷ୍ଟ୍ରପତି ଭଲଦୋମିର ଜେଲେନସ୍କିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଜେଲେନ୍ସି ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ତେବେ ଏବେକାର ଯୁଦ୍ଧପରିସ୍ଥିତିକୁ ନେଇ ସେ କେବେ ଭାରତ ଆସିବେ, ତାହା ସ୍ଥିର ହୋଇପାରି ନାହିଁ। ରୁଷ୍-ୟୁକ୍ରେନ ଯୁଦ୍ଧକୁ ୨ ବର୍ଷ ପୁରିସାରିଥିଲେ ମଧ୍ୟ ସମାଧାନର କିଛି ରାସ୍ତା ବାହାରି ପାରିନାହିଁ। ଏପରି ସମୟରେ ମୋଦୀଙ୍କ ୟୁକ୍ରେନ ଗସ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ମଧ୍ୟ ଚର୍ଚ୍ଚାର କାରଣ ପାଲଟିଥିଲା।
ରୁଷ୍ ଓ ୟୁକ୍ରେନ ମଧ୍ୟରେ ୨୦୨୨ ଫେବ୍ରୁଆରୀ ମାସରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତର ଆଭିମୁଖ୍ୟ ନେଇ ଅନେକ ବିତର୍କ ଓ ଆଲୋଚନା ହୋଇଆସିଛି। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ପ୍ରବଳ ଚାପ ସତ୍ତ୍ୱେ ଭାରତ କେବେହେଲେ ରୁଷକୁ ଖୋଲାଖୋଲି ସମାଲୋଚନା କରିନାହିଁ। ୟୁକ୍ରେନ ବିପକ୍ଷରେ ମଧ୍ୟ କୌଣସି ମତ ଦେଇନାହିଁ ନୂଆଦିଲ୍ଲୀ। ବରଂ କୂଟନୀତି ଓ ଆଲୋଚନା ମାଧ୍ୟମରେ ଉଭୟ ଦେଶ ଶାନ୍ତିର ରାସ୍ତାକୁ ଫେରିବାକୁ ପରାମର୍ଶ ଦେଇଆସିଛି। ଭାରତର ଆଭିମୁଖ୍ୟକୁ ନେଇ, ବିଶେଷକରି ରୁଷ୍ ଠାରୁ ତେଲ ଓ ଗ୍ୟାସ୍ କିଣିବାକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅନେକ ଥର ପ୍ରଶ୍ନ ଉଠାଇସାରିଛନ୍ତି। ହେଲେ ନୂଆଦିଲ୍ଲୀ ଏଥିରେ ଦବି ନଯାଇ ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ କାର୍ୟ୍ୟ କରିଚାଲିଛି। ୟୁକ୍ରେନ ଗସ୍ତ ବେଳେ ମୋଦୀଙ୍କ ମନ୍ତବ୍ୟ ‘ଭାରତ ନିରପେକ୍ଷ ନୁହେଁ, ବରଂ ଶାନ୍ତିର ପକ୍ଷଧର’ ଏବେ ବେଶ୍ ଚର୍ଚ୍ଚା ଓ ପ୍ରଶଂସା ସାଉଁଟିଛି।
ରୁଷ୍ ଭାରତର ଘନିଷ୍ଠ ବନ୍ଧୁ ରହିଆସିଛି। ସେପଟେ ୟୁକ୍ରେନ ସହ ମଧ୍ୟ ଭାରତର ସମ୍ପର୍କ ଭଲ। ଏପରିକି ଯୁଦ୍ଧ ଆରମ୍ଭ ହେବା ପରେ ସେଠାରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନୂଆଦିଲ୍ଲୀ ଉଭୟ ପୁଟିନ୍ ଓ ଜେଲେନ୍ସିଙ୍କ ସହାୟତା ଲୋଡ଼ିଥିଲା। ଉଭୟ ନେତା ମଧ୍ୟ ଏଥିପାଇଁ ସହାୟତା କରିଥିଲେ।