କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଫାଇନାଲରେ ପ୍ରବେଶ କରିଛି ଭାରତ । ପ୍ରଥମ ଦଳ ଭାବେ ଭାରତ ଫାଇନାଲ ଟିକେଟ ହାତେଇଛି । ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି । ଶେଷ ଓଭର ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁର୍ଦ୍ଦଶ ବ୍ୟାଟିଂ ବଳରେ ଭାରତ ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିପାରିଥିଲା ।
ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ଭାରତୀୟ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ ସ୍ମିଥ ୭୩, ଆଲେକ୍ସ କାରେ ୬୧ ଓ ଟ୍ରାଭିସ ହେଡ ୩୯ ରନ କରିଥିଲେ । ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ୱିକେଟ, ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ କଙ୍ଗାରୁ ଦଳ ୪୯ ଓଭର ୩ ବଲ ଖେଳି ୨୬୪ ରନରେ ଅଲଆଉଟ ହୋଇଯାଇଥିଲା ।
୨୬୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା । ଶୁଭମନ ଗିଲ ୮ରେ ଆଉଟ ହୋଇ ଯାଇଥିଲେ । ଏହାପରେ ପ୍ରଥମ ଓ୍ୱିକେଟରେ ଆସିଥିବା ବିରାଟ କୋହଲି ଦମଦାର ଆରମ୍ଭ କରିଥିଲେ । ଆଉ ୮୪ ରନର ଧୂଆଁଧାର ଇଂନିସ ଖେଳିଥିଲେ । ସେହିପରି ଶ୍ରେୟାସ ଆୟର ୪୫, କେଏଲ ରାହୁଲ ୪୨ ଆଉ ହାର୍ଦ୍ଦିକ ପାଣ୍ଡ୍ୟା ଦୁର୍ଦ୍ଦଶ ୨୮ ରନ କରିଥିଲେ । ଫଳରେ ଦଳ ୪୮ ଓଭର ୧ ବଲ ଖେଳି ୬ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଥିଲା ଭାରତ । ଆଉ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା ।