କନକ ବ୍ୟୁରୋ: ଆମ ତୁର୍କୀରେ ଗୋଟେ ଲୋକକଥା ଅଛି... ଯିଏ ବିପଦ ବେଳେ ସାହାଯ୍ୟ କରେ ସେ ହିଁ ପ୍ରକୃତ ବନ୍ଧୁ । ଏହି ଶବ୍ଦ ହେଉଛି ତୁର୍କୀ ରାଜଦୂତ ଫିରାତ ସୁନେଲଙ୍କର, ଯିଏ ୨୦୨୩ରେ ଭାରତ ପାଇଁ କହିଥିଲେ । କାରଣ ୨୦୨୩ ଫେବୃଆରୀ ୬ ତାରିଖରେ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୫୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ତୁର୍କୀର ଏଭଳି ଅବସ୍ଥା ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଭାରତର ୧୪୦ କୋଟି ଲୋକ ତୁର୍କୀ ଭୂମିକମ୍ପ ପୀଡ଼ିତଙ୍କ ସହ ଅଛନ୍ତି । ଆଉ ଏହାପରେ ପ୍ରଧାନମନ୍ତ୍ରୀ ତୁରନ୍ତ ସହାୟତାର ହାତ ବଢାଇଥିଲେ । 

Advertisment

ତୁର୍କୀକୁ ସହାୟତା ପାଇଁ ଭାରତ ଆରମ୍ଭ କରିଥିଲା ଅପରେସନ୍ ଦୋସ୍ତ । ଯାହା ମାଧ୍ୟମରେ ତୁର୍କୀକୁ ମେଡିକାଲ ସହାୟତା ଦେଇଥିଲା ଭାରତ । ଏହି ଅପରେସନ ମାଧ୍ୟମରେ ୨ଟି ଏନଡିଆରଆଫ ଟିମ ତୁର୍କୀକୁ ପଠାଯାଇଥିଲା ଯେଉଁଥିରେ ଗୋଟିଏ ଡଗ୍ ସ୍କ୍ୱାଡ୍ ବି ସାମିଲ ଥିଲା । ଭାରତୀୟ ରେସ୍କ୍ୟୁ ଟିମ୍ ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଅପରେସନ ଦୋସ୍ତ ମାଧ୍ୟମରେ ଭାରତ ୬ଟି ବିମାନରେ ଜରୁରୀ ସାମଗ୍ରୀ, ୩୦ ବେଡ୍ ବିଶିଷ୍ଚ ମୋବାଇଲ୍ ହସ୍ପିଟାଲ, ମେଡିକାଲ ସାମଗ୍ରୀ ପଠାଇଥିଲା । ତୁର୍କୀରେ ଭାରତର ଏହି ଅପରେସନ ୧୦ ଦିନ ଯାଏଁ ଚାଲିଥିଲା । ଭାରତ ଦେଖେଇଦେଇଥିଲା ସିଏ ସାଙ୍ଗ ହେଉ ବା ଶତ୍ରୁ ଯିଏ ଥରେ ସାହାଯ୍ୟ ପାଇଁ ହାତ ବଢାଏ ଭାରତ ତାକୁ ସାହାଯ୍ୟ କରେ । 

ଏହି ସାହାଯ୍ୟ ବଦଳରେ ତୁର୍କୀ ଏବେ ଯାହା କଲା, ତାହା ୧୪୦ କୋଟି ଭାରତୀୟଙ୍କ ହୃଦୟକୁ ଆଘାତ ଦେଇଛି । ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଯୁଦ୍ଧରେ ତୁର୍କୀ ପାକିସ୍ତାନକୁ ଖୋଲା ଖୋଲି ସମର୍ଥନ ଦେଇଥିଲା । ଏପ୍ରିଲ ୨୨ ତାରିଖରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ୨୬ ଲୋକଙ୍କୁ ହତ୍ୟା କରିଥିଲେ । ସେତେବେଳେ ଅନ୍ୟ ଦେଶ ଭଳି ତୁର୍କୀ ବି ଏହି ଅତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରିଥିଲା । ହେଲେ ଯେତେବେଳେ ତୁର୍କୀ ଜାଣିବାକୁ ପାଇଲା ଏହି ଆତଙ୍କୀ କନେକ୍ସନ ପାକିସ୍ତାନ ସହ ଅଛି ସେତେବେଳେ ତୁର୍କୀର ସ୍ୱର ବଦଳି ଯାଇଥିଲା । 

ପହଲଗାମ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଆଉ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ଯେଉଁଥିରେ ପାଖାପାଖି ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଆତଙ୍କୀଙ୍କ ମୃତ୍ୟୁରେ ପାକିସ୍ତାନ ସରକାରଙ୍କୁ ତ ଦୁଃଖ ଲାଗିଥିଲା ତା ସହ ତୁର୍କୀକୁ ବି ଗଭୀର ଆଘାତ ଲାଗିଥିଲା । ତୁର୍କୀ ରାଷ୍ଟ୍ରପତି ମୃତ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ସୋସିଆଲମିଡିଆ ଏକ୍ସରେ ଲେଖିଥିଲେ କି, ଭାରତ-ପାକିସ୍ତାନ ଯୁଦ୍ଧରେ ମିସାଇଲ ମାଡ଼ ବ୍ୟାପକ ସଂଘର୍ଷରେ ପରିଣତ ହୋଇପାରେ । ଯେଉଁକାରଣରୁ ଅନେକ ସଂଖ୍ୟାରେ ଲୋକ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଆମ ଭାଇମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । 

ତେବେ ପାକିସ୍ତାନ ଭାରତ ଉପରେ କରିଥିବା ଡ୍ରୋନ ଆଟାକକୁ ବିଫଳ କରିଥିଲା ଭାରତ । ଆଉ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିଲା କି ପାକିସ୍ତାନ ଯେଉଁ ଡ୍ରୋନରୁ ଆଟାକ୍ କରିଥିଲା ତାହା ତୁର୍କୀର । ଓ୍ୱିଙ୍ଗ କମାଣ୍ଡର ଭୌମିକା ସିଂ ଆଉ ସୋଫିଆ କ୍ୟୁରେସି ଗଣମାଧ୍ୟମ ସହ କଥା ହୋଇ କହିଥିଲେ କି ସିଆଚୀନଠାରୁ ସର୍ କ୍ରିକ୍ ଯାଏଁ ପାଖାପାଖି ୩୦୦ରୁ ୪୦୦ ଡ୍ରୋନ ଆକ୍ରମଣର ପ୍ରୟାସ କରାଯାଇଥିଲା । ଆଉ ସେହି ସବୁ ଡ୍ରୋନ ତୁର୍କୀ ପାକିସ୍ତାନକୁ ଦେଇଥିଲା । 

ଭାରତ ପାକିସ୍ତାନ ଭିତରେ ସିଧାସଳଖ ଲଢେଇ ଆରମ୍ଭ ହେବା ପୂର୍ବରୁ ତୁର୍କୀର ଏକ ଯୁଦ୍ଧ ପୋତ କରାଚୀ ପୋର୍ଟରେ ପହଞ୍ଚିଥିଲା । ଏହି ଯୁଦ୍ଧପୋତ କରାଚୀରେ ପହଞ୍ଚିବା ପୂର୍ବରୁ ତୁର୍କୀର ଏୟାରକ୍ରାଫ୍ଟ ସି-୧୩୦ କରାଚୀରେ ଲ୍ୟାଣ୍ଡ୍ କରିଥିଲା । ଆଉ ପାକିସ୍ତାନ ମିଡିଆ ଦାବି କରିଥିଲା କି ଏଥିରେ ଯୁଦ୍ଧାସ୍ତ୍ର ରହିଛି । ହେଲେ ତୁର୍କୀ ରକ୍ଷା ମନ୍ତ୍ରାଳୟ ଏହାକୁ ଖାରଜ କରି କହିଥିଲା କି, ଏଥିରେ ଯୁଦ୍ଧାସ୍ତ୍ର ନୁହେଁ ବରଂ ଏୟାରକ୍ରାଫ୍ଟ ଇନ୍ଧନ ଭରିବାକୁ କରାଚୀରେ ଲ୍ୟାଣ୍ଡ କରିଥିଲା । 

ଯୁଦ୍ଧ ବେଳେ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଓ ଡ୍ରୋନ ଦେବା ଓ ପରେ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଦେବା, ଜଣାପଡୁଛି ତୁର୍କୀ କେତେ ସଚ୍ଚୋଟ ଦେଶ । ଯେଉଁ ଦେଶ ତାକୁ ବିପଦବେଳେ ସହାଯ୍ୟ କରିଥିଲା ସେହି ଦେଶ ବିରୋଧରେ ଯାଇ ଶତ୍ରୁ ଦେଶକୁ ସାହାଯ୍ୟ କରୁଛି ତୁର୍କୀ ।