କନକ ବ୍ୟୁରୋ : ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କଲେ ଶଶି ଥରୁର । ପୂର୍ବରୁ ଦେଇଥିବା ବୟାନକୁ ବଦଳାଇଲେ, ନିଜର ଭୁଲକୁ ସ୍ୱୀକାର କଲେ । ଆଉ ସେ ଦେଇଥିବା ବୟାନ ପୁଣି ତାଙ୍କର ବିଜେପି ପ୍ରେମକୁ ସାମ୍ନାକୁ ଆଣିଛି ।
କଂଗ୍ରେସ ସାଂସଦ ଶଶି ଥରୁର ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତର ନିରପେକ୍ଷ ନୀତି ଉପରେ ପୂର୍ବରୁ କରିଥିବା ଆପତ୍ତିକୁ ପରିବର୍ତ୍ତନ କରିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଭାରତର ନୀତି ଉପରେ ତାଙ୍କର ପୂର୍ବ ସମାଲୋଚନା ଭୁଲ ପ୍ରମାଣିତ ହୋଇଛି ଏବଂ ଆଜିର ପରିସ୍ଥିତିରେ ଏହି ନୀତି ସଫଳ ହେଉଥିବା ପରି ମନେ ହେଉଛି । ସେ କହିଛନ୍ତି, 'ମୁଁ ଏବେ ବି ମୋ ମୁହଁରେ ଲାଗିଥିବା ଦାଗକୁ ପୋଛିବାକୁ ଚେଷ୍ଟା କରୁଛି, କାରଣ ସଂସଦୀୟ ବିତର୍କରେ ମୁଁ ଏକମାତ୍ର ବ୍ୟକ୍ତି ଥିଲି ଯିଏ ଫେବୃଆରୀ ୨୦୨୨ରେ ଅନ୍ତର୍ଜାତୀୟ ନୀତିର ଉଲ୍ଲଂଘନ ଆଧାରରେ ଭାରତର ସ୍ଥିତିକୁ ସମାଲୋଚନା କରିଥିଲା ।'
ଶଶି ଥରୁର କହିଛନ୍ତି, ଯେତେବେଳେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା, ସେ ଭାରତର ମତକୁ ସମାଲୋଚନା କରିଥିଲେ ଏବଂ ଏହାକୁ ଅନ୍ତର୍ଜାତୀୟ ନୀତିର ଉଲ୍ଲଂଘନ ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନ ତିନି ବର୍ଷ ପରେ ସେ ଅନୁଭବ କରୁଛନ୍ତି ଯେ ଭାରତର ଏହି ନୀତି ଦେଶକୁ ଏକ ଦୃଢ଼ କୂଟନୈତିକ ସ୍ଥିତିରେ ରଖିଛି ।
ଭାରତର ରଣନୀତି, ବଢିଲା କୂଟନୈତିକ ଶକ୍ତି
ଶଶି ଥରୁର କହିଛନ୍ତି, 'ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭାରତର ନୀତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ସପ୍ତାହ ବ୍ୟବଧାନରେ ୟୁକ୍ରେନର ରାଷ୍ଟ୍ରପତି ଏବଂ ଋଷର ରାଷ୍ଟ୍ରପତି ଉଭୟଙ୍କୁ ଭେଟି ଉଭୟଙ୍କ ସହ ଆଲୋଚନା କରିଥିଲେ ଏବଂ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଆଲିଙ୍ଗନ କରିଥିଲେ ଆଉ ଭାରତକୁ ଉଭୟ ଦେଶରେ ଗ୍ରହଣୀୟ ମଧ୍ୟ କରାଇଲେ ।' ତାଙ୍କ ମତରେ, ଏହି ପରିସ୍ଥିତି ଭାରତକୁ ବିଶ୍ୱ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଇଛି, ଯାହା ବିଶ୍ୱର ବହୁତ କମ୍ ଦେଶ ପାଖରେ ଅଛି ।
ଭାରତର ନୀତି ପୂର୍ବରୁ ସମାଲୋଚନା କରାଯାଇଥିଲା
ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରେ, ଶଶି ଥରୁର ଋଷ ପ୍ରତି ଭାରତର କୂଟନୈତିକ ନିରପେକ୍ଷତା ଏବଂ ଋଷରୁ ତେଲ କିଣିବା ନୀତିର ଜଣେ ବଡ଼ ସମାଲୋଚକ ଥିଲେ । ସେ ଏହାକୁ ନୈତିକ ଭାବରେ ଭୁଲ ବୋଲି କହିଥିଲେ ଏବଂ ୟୁକ୍ରେନ ଉପରେ ଆକ୍ରମଣକୁ ଖୋଲାଖୋଲି ଭାବରେ ନିନ୍ଦା କରିବାକୁ ଦାବି କରିଥିଲେ, କିନ୍ତୁ ବର୍ତ୍ତମାନ ଭାରତର ନୀତି, ଉଭୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାରେ ସକ୍ଷମ କରିଛି । ସେ ସ୍ୱୀକାର କରିଛନ୍ତି ଯେ, ତାଙ୍କର ପୂର୍ବ ବୟାନ ଭୁଲ ଥିଲା । ସେ ଏହା ମଧ୍ୟ କହିଛନ୍ତି, ଭାରତର ଏହି ମନୋଭାବ ଭାରତକୁ ବିଶ୍ୱ ଶାନ୍ତି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମୀକା ଦେଇପାରିବ ।