କନକ ବ୍ୟୁରୋ: ସାଉଦି ଆରବ ସହ ଐତିହାସିକ ପ୍ରତିରକ୍ଷା ଚୁକ୍ତି ପରେ ଭାରତକୁ ପରୋକ୍ଷରେ ପାକିସ୍ତାନର ଧମକ । ଏହି ଚୁକ୍ତି ମୁତାବକ ସାଉଦି ଆରବ ପାକିସ୍ତାନକୁ ଯୁଦ୍ଧ ବେଳେ ସହଯୋଗ କରିବ । ଖାଲି ସେତିକି ନୁହେଁ ପାକିସ୍ତାନ ଏଥର ସାଉଦି ଆରବକୁ ପରମାଣୁ ବୋମା ତିଆରି ଟେକ୍ନିକ ମଧ୍ୟ  ଦେବାକୁ ପ୍ରସ୍ତୁତ ଥିବା କଥା କହିଥିଲେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ । ସାଉଦି ଆରବ ସହ ଚୁକ୍ତି ସ୍ୱାକ୍ଷର କରିବାର ୪ଦିନ ପରେ ଭାରତକୁ ନାଲି ଆଖି ଦେଖାଇବାକୁ ଭୁଲି ନାହାନ୍ତି କାଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନ ପାଇଁ ବିପଦ ବୋଲି ଏକ ସ୍ଥାନୀୟ ଟିଭି ସାକ୍ଷାତକାରରେ କହିଛନ୍ତି । ଭାରତ ବିରୋଧରେ ଏକ ଶକ୍ତିଶାଳୀ ଇସ୍‌ଲାମିକ ସାମରିକ ମେଣ୍ଟ ପାଇଁ ଆସିଫ୍‌ ଗୁରୁତ୍ୱାରୋପ କରିବା ସହ ସାମରିକ ମେଣ୍ଟର ବିସ୍ତାର ପାଇଁ ଆହ୍ୱାନ ଦେଇଛନ୍ତି । ଏହା ଭାରତକୁ ପ୍ରତ୍ୟକ୍ଷ ଧମକ ବୋଲି ମଧ୍ୟ ବିବେଚନା କରାଯାଉଛି । 

Advertisment

ପାକିସ୍ତାନ-ସାଉଦି ଆରବ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ କୌଣସି ଗୋଟିଏ ରାଷ୍ଟ୍ର ବିରୋଧରେ ଆକ୍ରମଣ ଉଭୟ ରାଷ୍ଟ୍ର ବିରୋଧରେ ଆକ୍ରମଣ ବୋଲି ବିବେଚନା କରାଯିବ । ଏହାକୁ ଇସ୍ରାଏଲ୍‌ ବିରୋଧୀ ଇସ୍‌ଲାମିକ ନାଟୋ ପ୍ରତିଷ୍ଠା ପାଇଁ ଏକ ବ୍ୟାପକ ପ୍ରୟାସ ବୋଲି ବି କୁହାଯାଉଛି । ଗତ ସେପ୍ଟେମ୍ବର ୧୫ ତାରିଖରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ସେପଟେ ସାଉଦି ଆରବ ସହ ମଧ୍ୟ ଭାରତର ସମ୍ପର୍କ ଭଲ ରହିଛି । ତେଣୁ ଏହି ଚୁକ୍ତି ପରେ ପ୍ରତିକ୍ରିୟା ରଖିଛି ଭାରତର ବୈଦେଶିକ ମନ୍ତ୍ରାଳୟ । ଭାରତ କହିଛି ଭାରତ ଓ ସାଉଦି ଆରବ ମଧ୍ୟରେ ଏକ ରଣନୀତିକ ଭାଗିଦାରୀ ରହିଛି । ଯାହା କ୍ରମାଗତ ଭାବରେ ସୁଦୃଢ଼ ହେବାରେ ଲାଗିଛି । ଏଣୁ ଭବିଷ୍ୟତରେ ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ରକ୍ଷା ପାଇଁ ଯତ୍ନଶୀଳ ହେବେ ବୋଲି ଆଶା ପ୍ରକାଶ କରିଛି ଭାରତ । ସେପଟେ ଅପରେସନ ସିନ୍ଦୂରକୁ ନେଇ କୌଣସି ସିଧାସଳଖ ବିବୃତି ରଖିନଥିଲା ସାଉଦି ଆରବ ।    
 
ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ ଏହି ଚୁକ୍ତିରେ ଯୋଗଦେବାକୁ ସବୁ ମୁସଲମାନ ଦେଶଗୁଡ଼ିକ ପାଇଁ ରାସ୍ତା ଉନ୍ମୁକ୍ତ ରହିଛି । ସେମାନେ ଏକିତ୍ରିତ ହୋଇ ନିଜ ଅଞ୍ଚଳର ତଥା ଦେଶର ସୁରକ୍ଷାର ଗୁରୁ ଦାୟିତ୍ୱ ନେଇ ପାରିବେ । ସେ ଆହୁରି କହିଛନ୍ତି ଭାରତ ଓ ପାକିସ୍ତାନ ସ୍ୱାଧୀନ ହେବାପରେ କାଶ୍ମୀରକୁ ନେଇ ୪ ଚାରି ଥର ଯୁଦ୍ଧ କରିସାରିଲେଣି । ଏଣୁ ଇସଲାମାବାଦ ମଧ୍ୟ ନିଜ ପ୍ରତି ଅସ୍ତିତ୍ୱ ପ୍ରତି ଭାରତକୁ ବିପଦ ଭାବରେ ଦେଖୁଛି । ବିଶେଷ କରି ଅପରେସନ ସିନ୍ଦୂର ପରେ ଏହି ବିପଦ ବଢ଼ିଛି । ତେବେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ଲଗାତାର ଭାରତକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଧମକ ଦେଇ ଆସିଛି । ଯାହାର କଡ଼ା ଜବାବ ଦେଇ ଆସୁଛି ଭାରତ ।