କନକ ବ୍ୟୁରୋ: ମଙ୍ଗଳବାରରୁ ପୁରୁଷ ହକି ପ୍ରୋ-ଲିଗ୍‌ ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି । ବୁଧବାର ଦ୍ବିତୀୟ ଦିନରେ ଭାରତ ଶକ୍ତିଶାଳୀ ବେଲ୍‌ଜିୟମ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଗତ ସଂସ୍କରଣରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ଭାରତ ଘରୋଇ ଦର୍ଶକ ସମ୍ମୁଖରେ ବିଜୟ ଆଶାରେ ରହିଛି । ଅଭିଜ୍ଞ ଓ ଯୁବ ତାରକାଙ୍କୁ ନେଇ ଦଳ ସନ୍ତୁଳିତ ରହିଛି । ଏମାନଙ୍କୁ ନେଇ ବିଶ୍ୱର ଦୁଇଟି ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ସହିତ ମୁକାବିଲା କରିବା ସମୟରେ ପରିଚିତ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବ । ଆର୍ଜେଣ୍ଟିନା ୪ ବିଜୟରୁ ୧୧ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ଏବଂ ବେଲ୍‌ଜିୟମ୍‌ ୩ ବିଜୟରୁ ୧୦ ପଏଣ୍ଟ୍‌ ପାଇ ତୃତୀୟ ସ୍ଥାନରେ ରହିଛି । ତେବେ ନିକଟ ଇତିହାସକୁ ଦେଖିଲେ ଭାରତ ବିପକ୍ଷରେ ବେଲଜିୟମ୍‌ର ପଲା ଭାରି ଅଛି । ୨୦୧୩ରୁ ଏପର୍ଯ୍ୟନ୍ତ, ଉଭୟ ଦଳ ୩୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ବେଲଜିୟମ ୨୨ ଓ ଭାରତ ୧୧ ଜିତିଛି ଏବଂ ୨ ମ୍ୟାଚ୍‌ ଅମୀମାଂସିତ ରହିଛି । 

Advertisment

ଏହା ବି ପଢ଼ନ୍ତୁ: ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ସେମିରେ ଭୁବନେଶ୍ବର ବାର୍‌ ଓ ରେଡ୍‌ସ

ଆର୍ଜେଣ୍ଟିନାକୁ ହରାଇଲା ବେଲ୍‌ଜିୟମ୍‌ 
ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ୫-୩ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । ପ୍ରଥମ ତିନି କ୍ବାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ‌ଶେଷ କ୍ବାର୍ଟରରେ ବେଲ୍‌ଜିୟମ୍‌ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଛି । ବିଜୟୀ ଦଳର ଟମ୍‌ ବୁନ (୧୫, ୩୦, ୫୮) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ଗୁଇଲମ୍‌ ହେଲିନ (୩୨) ଓ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୫୩) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ । ଆର୍ଜେଣ୍ଟିନାର ତୋମାସ ଡୋମିନି (୨ ଓ ୨୪) ଦୁଇଟି ଏବଂ ନିକୋଲାସ୍‌ ଟୋର୍‌ ଡିଲା (୯) ଗୋଟିଏ ଗୋଲ୍‌ ଦେଇଥିଲେ ।