କନକ ବ୍ୟୁରୋ: ଏଏଫ୍ସି ଏସିଆନ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ ଦୌଡ଼ରେ ସାମିଲ ହୋଇଛି ଭାରତ । ଏଥିଲାଗି ଭାରତକୁ କିନ୍ତୁ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, କୋରିଆ, କୁଏତ ଏବଂ କିର୍ଗିଜସ୍ତାନ-ତାଜିକିସ୍ତାନ-ଉଜବେକିସ୍ତାନର ମିଳିତ ବିଡ୍ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ । ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲକ୍ଷ୍ୟରେ ପୂରଣ ପୂର୍ବରୁ ଏହି ପ୍ରତିଯୋଗିତାର ଆୟୋଜନ ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ପ୍ରତିଯୋଗିତା ଆୟୋଜନ ଲାଗି ଗତବର୍ଷ ଅଗଷ୍ଟ ମାସରେ ଭାରତ ଏସୀୟ ଫୁଟ୍ବଲ୍ ପରିଷଦ (ଏଏଫ୍ସି) ନିକଟରେ ଆଗ୍ରହ ପତ୍ର ଦାଖଲ କରିଥିଲା । ଏବେ ଆଶାୟୀ ଦେଶଗୁଡ଼ିକ ସହ ଭାରତ ମଧ୍ୟ ସମ୍ମାନଜନକ ଏଏଫ୍ସି ଏସୀୟ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ ଅଧିକାର ପାଇବା ଦୌଡ଼ରେ ସାମିଲ ହୋଇଛି ବୋଲି ଏଏଫ୍ସି ପକ୍ଷରୁ ଗୁରୁବାର ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି ।
ଏହା ବି ପଢ଼ନ୍ତୁ: ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍; ବାଜୁଜୀ କ୍ରିକେଟ୍ କ୍ଲବ୍ ବିଜେତା
ଭାରତ ପୂର୍ବରୁ କେବେବି ଏଏଫ୍ସି ଏସୀୟ କପ୍ର ଆୟୋଜନ କରିନି । ଯଦି ୨୦୩୧ ଆୟୋଜନ ଅଧିକାର ମିଳେ, ତାହେଲେ ଭାରତୀୟ ଫୁଟ୍ବଲ୍ ଜଗତ ପାଇଁ ଏହା ନୂଆ ଅଧ୍ୟାୟ ହେବ । ଏହି ଦିଗରେ କେନ୍ଦ୍ର ସରକାର ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ପୂର୍ବରୁ କହିସାରିଛନ୍ତି । ସୂଚନାଯୋଗ୍ୟ ଯେ ଭାରତ ଏହା ପୂର୍ବରୁ ୨୦୨୩ ଓ ୨୦୨୭ ସଂସ୍କରଣ ପାଇଁ ବିଡ୍ ଦାଖଲ କରିଥିଲା । ତେବେ ବିଭିନ୍ନ ସମସ୍ୟା ପାଇଁ ଶେଷ ମୁହୂର୍ତ୍ତରେ ଏଥିରୁ ଓହରି ଯାଇଥିଲା । ୨୦୨୩ ବିଡ୍ ୨୦୧୮ରେ ଏବଂ ୨୦୧୭ ପାଇଁ ବିଡ୍ ସେହି ବର୍ଷ ପ୍ରତ୍ୟାହାର କରି ନେଇଥିଲା ଏଆଇଏଫ୍ଏଫ୍ । ସେହିଭଳି ୨୦୩୫ ଏଏଫ୍ସି ଏସୀୟ କପ୍ ଆୟୋଜନ ପାଇଁ ଅଷ୍ଟ୍ରେଲିଆ, ଜାପାନ, କୋରିଆ ଓ କୁଏତ ଅଗ୍ରହ ପ୍ରକାଶ କରିଥିବା ଏଏଫ୍ସି ତରଫରୁ କୁହାଯାଇଛି ।
Follow Us