କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଏହି ସିରିଜ ସହିତ ଭାରତୀୟ କ୍ରିକେଟ୍‌ରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଦଶନ୍ଧି ପରେ ଦୁଇ ପୂର୍ବତନ ଅଧିନାୟକ ବିରାଟ ‌କୋହଲି ଓ ରୋହିତ ଶର୍ମା ବିନା ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ବରିଷ୍ଠ ସ୍ପିନର ଆର୍‌ ଅଶ୍ୱିନ ମଧ୍ୟ ଟେଷ୍ଟ୍‌ରୁ ଅବସର ନେଇ ସାରିଛନ୍ତି । ଶୁବମନ ଗିଲ୍ ଭାରତୀୟ ଟେଷ୍ଟ୍ ଦଳର ନବନିଯୁକ୍ତ ଅଧିନାୟକ ଭାବେ ନିଜ ଅଭିଯାନ ଆରମ୍ଭ କରିବେ । ୨୫ବର୍ଷୀୟ ଗିଲ୍ ଭାରତୀୟ କ୍ରିକେଟ୍ ଦଳର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର କୀର୍ତ୍ତିମାନ କରି ସାରିଛନ୍ତି । ଏବେ ନିଜ ସଫଳ ନେତୃତ୍ବରେ ଇଂଲଣ୍ଡ ମାଟିରେ ଭାରତକୁ ବିଜୟୀ କରାଇବାର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରିବା ଆଶାରେ ଅଛନ୍ତି ।

Advertisment

ଗିଲ୍‌ଙ୍କ ଗୌରବମୟ ଯାତ୍ରା ଲିଡ୍‌ସର ହେଡିଂଲେ ପଡ଼ିଆରୁ ଆରମ୍ଭ ହେବ । ଇଂଲଣ୍ଡକୁ ଏଠାରେ ପରାଜିତ କରିବାକୁ କିନ୍ତୁ ଗିଲ୍‌ଙ୍କ ସହ ପୂରା ଟିମ୍ ଇଣ୍ଡିଆକୁ ଶ୍ରେଷ୍ଠ ଓ ଶୀର୍ଷସ୍ତରୀୟ କ୍ରିକେଟ୍ ଖେଳିବାକୁ ହେବ । ବିଶେଷ କରି ଭାରତୀୟ ବୋଲରଙ୍କୁ ଲିଡ୍‌ସର ଶୁଷ୍କ ଓ କଠିନ ପିଚ୍‌ରେ ପ୍ରତିପକ୍ଷ ଦଳର ୨୦ ୱିକେଟ୍ ନେବାର ଦକ୍ଷତା ଦେଖାଇବାକୁ ହେବ । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇପାରିଲେ ଆକ୍ରମଣାତ୍ମକ କ୍ରିକେଟ୍ ପାଇଁ ପରିଚିତ ଇଂଲଣ୍ଡକୁ ଅନ୍ୟ ଚାରିଟି ମ୍ୟାଚ୍‌ରେ ଭାରତ ଚାପରେ ରଖି ପାରିବ ।

ହେଡିଂଲେ ଟେଷ୍ଟ୍ ଶୁକ୍ରବାରରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ । ଏହା ପୂର୍ବରୁ ବନ୍ଦ ଦ୍ୱାର ଭିତରେ ଆନ୍ତଃଦଳୀୟ ଅଭ୍ୟାସ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଖୋଲା ପଡ଼ିଆରେ ଅଭ୍ୟାସ କରିଛି । ଦଳ ପାଇଁ ଲିଡ୍‌ସର ପାଗ ଓ ପରିବେଶକୁ ଦେଖି ଚୂଡ଼ାନ୍ତ ଏକାଦଶ ବାଛିବା ସବୁଠାରୁ ବଡ଼ ପରୀକ୍ଷା ଭାବେ ଉଭା ହୋଇଛି । ‌କୋହଲିଙ୍କ ସ୍ଥାନ କିଏ ନେବ, ସେନେଇ ଅନିଶ୍ଚିତତା ଲାଗି ରହିଛି । ସେହିଭଳି ରୋହିତଙ୍କ ଅଭାବକୁ ପୂରଣ କରିବା ମଧ୍ୟ ଦଳ ପାଇଁ ସେତେଟା ସହଜ ହେଲା ଭଳି ମନେ ହେଉନି । ତେବେ ଦଳର ଅଧିକାଂଶ ଖେଳାଳିଙ୍କର ଇଂଲଣ୍ଡରେ ଖେଳିବାର କିଛି ନା କିଛି ଅଭିଜ୍ଞତା ଥିବାରୁ ଇଂଲଣ୍ଡକୁ ଯୁବ ଭାରତୀୟ ଦଳ ପୂରା ଶୃଙ୍ଖଳାରେ ନିଶ୍ଚିତ ଭାବେ କଡ଼ା ଟକ୍କର ଦେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଭାରତ ଏହି ଶୃଙ୍ଖଳାରୁ ନିଜ ୨୦୨୫-୨୭ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ । ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଦୃଷ୍ଟିରୁ ଘରୋଇ ଇଂଲଣ୍ଡ ପାଇଁ ମଧ୍ୟ ଏହି ଶୃଙ୍ଖଳାର ଢେର୍‌ ଗୁରୁତ୍ୱ ରହିବ । ଏଭଳି ସ୍ଥିତିରେ ଟିମ୍‌ର ବ୍ୟାଟର୍ ଓ ବୋଲରଙ୍କ ସହ ଅଲରାଉଣ୍ଡର୍‌ଙ୍କ ଭୂମିକା ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଭାରତ ପାଖରେ ରବୀନ୍ଦ୍ର ଜାଡେଜାଙ୍କ ରୂପରେ ଜଣେ ଅଭିଜ୍ଞ ଓ ଦକ୍ଷ ଅଲରାଉଣ୍ଡର୍ ଅଛନ୍ତି । ଇଂଲଣ୍ଡରେ ସେ ୭୦ ୱିକେଟ୍ ନେବା ସହ ୨ଶତକ ଓ ୬ଅର୍ଦ୍ଧଶତକ ସହ ୧୦୩୧ ରନ୍ କରିଛନ୍ତି । ଇଂଲଣ୍ଡ ପାଇଁ ଅଧିନାୟକ ବେନ୍ ଷ୍ଟୋକ୍ସ ସବୁଠୁ ବଡ଼ ଅସ୍ତ୍ର ହେବେ । ଘରୋଇ ପରିବେଶରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଛି  । ଯଶପ୍ରୀତ୍ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଭାରତୀୟ ବୋଲିଂକୁ ସୁଦୃଢ଼ କରୁଛନ୍ତି । ଶେଷ ମୁହୂର୍ତ୍ତରେ ହର୍ଷିତ ରାଣାଙ୍କୁ ସାମିଲ କରି ଭାରତ ମଧ୍ୟ ଆଉଏକ ମାଷ୍ଟର ‌ଷ୍ଟ୍ରୋକ୍ ଖେଳିଛି । ୭ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା କରୁଣ ନାୟରଙ୍କ ପାଇଁ ଏହି ମ୍ୟାଚ୍ ସର୍ବାଧିକ ଗୁରୁତ୍ବ ବହନ କରିବ । ଯଶସ୍ବୀ ଜୟସ୍ବାଲ, ଗିଲ୍, ଉପଅଧିନାୟକ ଋଷଭ ପନ୍ତଙ୍କ ସଫଳତା ଉପରେ ମଧ୍ୟ ଭାରତର ସଫଳତା ନିର୍ଭରଶୀଳ ରହିବ । 
 
ହେଡିଂଲେ ଟେଷ୍ଟ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ପୁଣି ଥରେ ମିଳିଛି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସାଥ୍ । ମା’ ସୀମା ଗମ୍ଭୀରଙ୍କ ହୃଦ୍‌ଘାତ ପରେ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଥିବା ଗମ୍ଭୀର ବୁଧବାର ପୁଣି ଥରେ ଦଳ ସହ ଯୋଗ ଦେଇଛନ୍ତି । ଲିଡ୍‌ସ ପହଞ୍ଚିବା ପରେ ଆଦୌ ସମୟ ନଷ୍ଟ ନକରି ଗମ୍ଭୀର ଦଳର ଅଭ୍ୟାସ ଅଧିବେଶନର ତଦାରଖ କରିଛନ୍ତି । ଗମ୍ଭୀରଙ୍କ ଅନୁପସ୍ଥିତିରେ ସହକାରୀ ପ୍ରଶିକ୍ଷକ ସୀତାଂଶୁ କୋଟାକ, ରିୟାନ ଟେନ୍ ଡସେଟ୍ ଓ ମର୍ଣ୍ଣି ମର୍କେଲଙ୍କ ତତ୍ତ୍ବାବଧାନରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରୁଥିଲେ। ବୁଧବାର ଗମ୍ଭୀରଙ୍କ ସହ ଏହି ତିନି ଜଣ ମଧ୍ୟ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ସାମିଲ ଥିଲେ। ତା’ଛଡ଼ା ଭାରତୀୟ-ଏ’ ଦଳର ପ୍ରଶିକ୍ଷକ ହୃଷିକେଶ କାନିତକର ଏବଂ ଜାତୀୟ କ୍ରିକେଟ୍ ଏକାଡେମିର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଗମ୍ଭୀରଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଭ୍ୟାସକୁ କିଛି ଦିନ ତଦାରଖ କରୁଥିଲେ ।