କନକ ବ୍ୟୁରୋ: ଅପ୍ରତ୍ୟାଶିତ ଭାବରେ ଆଣ୍ଡରସନ୍‌-ତେନ୍ଦୁଲକର ସିରିଜ ବରାବର କରିଛି ଟିମ୍‌ ଇଣ୍ଡିଆ । ଏଥର ଉଭୟ ଭାରତୀୟ ଓ ଇଂଲଣ୍ଡ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଲିଡ୍‌ସରେ ୫ ୱିକେଟ୍‌ ପରାଜୟ, ବର୍ମିଂହାମରେ ୩୩୬ ରନ୍ ବିଜୟ, ଲର୍ଡସରେ ୨୨ ରନ୍ ପରାଜୟ, ମାଞ୍ଚେଷ୍ଟର୍‌ରେ ଅପ୍ରତ୍ୟାଶିତ ଡ୍ର’ ପରେ ଓଭାଲ୍‌ରେ ଉତ୍କଣ୍ଠାପୂର୍ଣ୍ଣ ୬ ରନ୍ ବିଜୟ ସହ ଭାରତୀୟ ଦଳ ଇଂଲଣ୍ଡ ଗସ୍ତର ୫ ମ୍ୟାଚ୍‌ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୨ରେ ଡ୍ର’ ରଖିଛି । ଶୁବମନ ଗିଲ୍‌ଙ୍କ ଯୁବ ବାହିନୀ ଇଂଲଣ୍ଡ ଗସ୍ତରେ ଅବିସ୍ମରଣୀୟ ଶୃଙ୍ଖଳା ବରାବର କରି ଭାରତୀୟ କ୍ରିକେଟ୍‌ ଦୁନିଆରେ ନୂଆ ଉନ୍ମାଦନା ଭରି ଦେଇଛି । ତେବେ ଏହି ଶୃଙ୍ଖଳା ପାଇଁ ଉପଲବ୍‌ଧ ଅଧିକାଂଶ ପିଚ୍‌ ଫ୍ଲାଟ୍‌ ଥିବାରୁ ରନ୍ ବର୍ଷା ହୋଇଥିଲା । ଉଭୟ ଦଳର ବ୍ୟାଟର୍‌ ମୋଟ ୭୧୮୭ ରନ୍ ସଂଗ୍ରହ କରିଥିଲେ । ଯାହାକି ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ । ୩୦୦ରୁ ଊର୍ଦ୍ଧ୍ୱ ସ୍କୋର୍‌ ୧୪ ଥର ନଜରକୁ ଆସିବା ମଧ୍ୟ ଯୁଗ୍ମ ସର୍ବାଧିକ ଭାବେ ରେକର୍ଡର ସମକକ୍ଷ ହୋଇଛି । ୯ ଜଣ ଖେଳାଳି ୪୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି । ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ସର୍ବାଧିକ ୭୫୪ ରନ୍ ସଂଗ୍ରହ କରିଥିବା ବେଳେ ‌ଜୋ' ରୁଟ୍‌ (୫୩୭), କେ‌ଏଲ୍ ରାହୁଲ (୫୩୨), ରବୀନ୍ଦ୍ର ଜାଡ଼େଜା (୫୧୬) ପ୍ରମୁଖ ୪ ଜଣ ୫୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଥିଲେ ।

Advertisment

ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ମୋଟ ୨୧ ଶତକ ହାସଲ କରିଛନ୍ତି ଦୁଇ ଦଳର ବ୍ୟାଟର । ଏଥର ସିରିଜ୍‌ରେ  ୧୯ ଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା । ଟେ‌ଷ୍ଟ୍ କ୍ରିକେଟ୍ ଇତିହାସରେ ଏଭଳି ରେକର୍ଡ ଦ୍ୱିତୀୟ ଥର ପାଇଁ ସୃଷ୍ଟି ହୋଇଛି । ଟେଷ୍ଟ୍ କ୍ରିକେଟ୍ ଇତିହାସରେ ତୃତୀୟ ଥର ପାଇଁ ଏକ ଚତୁର୍ଥ ପାଳିରେ ୩୦୦ ରନ୍‌ ବେଳକୁ ମାତ୍ର ୩ ୱିକେଟ୍ ହରାଇ ଏକ ଦଳ ହାରିଲା । ପୂର୍ବ ଦୁଇଟି ଉଦାହରଣ ଥିଲା ୧୯୭୮-୭୯ରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୩୦୫/୩ରୁ ୩୧୦ ଅଲ୍‌ଆଉଟ୍‌ ଏବଂ ୨୦୦୭-୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୩୦୩/୩ରୁ ୩୮୭ ଅଲ୍‌ଆଉଟ୍‌ ।

ଓଭାଲ୍‌ରେ ଇଂଲଣ୍ଡ ୩୭୪ ରନ୍‌ ପିଛା କରି ୩୦୧/୩ରେ ଥିଲେ ମଧ୍ୟ ୩୬୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ୩୩୨/୪ ସ୍ଥିତିରୁ ପରାଜୟ ବରଣ କରିବା ସର୍ବୋଚ୍ଚ ରନ୍‌ ତାଲିକାରେ ଇଂଲଣ୍ଡ ଦ୍ବିତୀୟରେ ରହିଛି ।  ଏହାପୂର୍ବରୁ ୧୯୭୬-୭୭ ମେଲ୍‌ବର୍ଣ୍ଣ ଟେ‌ଷ୍ଟ୍‌ରେ ବି ୩୪୬/୪ ସ୍ଥିତିରୁ ୪୧୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ଭାରତ ଦେଶ ବାହାରେ ଏକ ଶୃଙ୍ଖଳାର ପଞ୍ଚମ କି ଷଷ୍ଠ ମ୍ୟାଚ୍‌ ଜିତିଛି । ୬ ରନ୍ ବ୍ୟବଧାନ ମଧ୍ୟ ଭାରତ ପାଇଁ ସବୁଠାରୁ ସ୍ବଳ୍ପ । ପୂର୍ବରୁ ସର୍ବନିମ୍ନ ରନ୍‌ ବ୍ୟବଧାନ ବିଜୟ ୨୦୦୪-୦୫ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ଟେଷ୍ଟ୍‌ରେ ଥିଲା । ସେଠାରେ ଭାରତ ୧୩ ରନ୍‌ରେ ଜିତିଥିଲା ।

ଦୁଇ ମାସ ତଳେ ଇଂଲଣ୍ଡରେ ପାଦ ଥାପିଥିବା ଶୁବମନ ଗିଲ୍‌ଙ୍କ ଯୁବ ବାହିନୀଠାରୁ କେହି କିଛି ଆଶା କରି ନଥିଲେ । ଅନିଭଜ୍ଞ ଦଳ ଓ ଅନଭିଜ୍ଞ ଅଧିନାୟକଙ୍କୁ ନେଇ ଇଂଲିସ୍ ସମର୍‌କୁ କିନ୍ତୁ ଅଧିକ ଗରମ କରି ଦେଇଛି ୨-୨ ଡ୍ର’। ଲିଡ୍‌ସ ଓ ଲର୍ଡସ୍‌ରେ ଭାରତର ପରାଜୟ ବି ଥିଲା ଘମାଘୋଟ ଲଢ଼େଇ ଭିତରେ । ଉଭୟ ପଟକୁ ଯିବା ଭଳି ସ୍ଥିତିରେ ଥିଲା ଏହି ଦୁଇଟି ମ୍ୟାଚ୍‌ । ବର୍ମିଂହାମ୍‌ରେ ଭାରତ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଜିତିବା ପରେ ଓଲ୍ଡ ଟ୍ରାଫୋର୍ଡ ଓ ଓଭାଲ୍‌ରେ କିନ୍ତୁ ବାଜି ମାରି ନେଇଥିଲା । ସୁଯୋଗକୁ ହାତଛଡ଼ା ନ କରିବାର ଜିଦ୍ ହିଁ ଭାରତର ଖେଳାଳିମାନଙ୍କ ଦୃଢ଼ମନାକୁ ସାବ୍ୟସ୍ତ କରିଛି । 
ସିରିଜରେ ଶୁମବନ ଗିଲ୍‌ ସର୍ବାଧିକ ୭୫୪ ରନ୍ ଏବଂ ସର୍ବାଧିକ ୪ ଶତକ ମାରିବା ନିର୍ଣ୍ଣାୟକ ଥିଲା । ମହମ୍ମଦ ସିରାଜ ସର୍ବାଧିକ ୨୩ ୱିକେଟ୍‌ ନେବା ସେତିକି ଫରକ ପକାଇଥିଲା । ଓଭାଲ୍‌ରେ ଅସମ୍ଭବ ଲାଗୁଥିବ‌ା ବିଜୟକୁ ଇଂଲଣ୍ଡ ହାତରୁ ଛଡ଼ାଇ ଆଣିବାକୁ ସିରାଜଙ୍କ ସଂକଳ୍ପ ତାଙ୍କୁ ରାତାରାତି ନାୟକ କରି ଦେଇଛି । ବୁମ୍‌ରାଙ୍କ ଛାୟା ଭିତରୁ ବାହାରି ଏବେ ସେ ଭାରତର ମୁଖ୍ୟ ବୋଲର୍‌ ହେବାର ଦାବି ଉପସ୍ଥାପନ କରିଛନ୍ତି । ବୁମ୍‌ରା ଖେଳି ନଥିବା ଉଭୟ ଟେଷ୍ଟ୍‌ରେ ସେ ୫ ୱିକେଟ୍‌ ସଫଳତା ସହ ଦଳକୁ ବିଜୟୀ କରାଇବା ଅନେକ କଥା ବି କହୁଛି ।

ରବୀନ୍ଦ୍ର ଜାଡେଜାଙ୍କ ଅଲ୍‌ରାଉଣ୍ଡ୍ ଦକ୍ଷତା ତାଙ୍କ ଖେଳ ସରି ନଥିବାର ପ୍ରମାଣ ବି ଦେଇଛି । ୩୬ ବର୍ଷୀୟ ଜାଡ଼େଜା ୬ ଥର ୫୦ରୁ ଅଧିକ ‌ସ୍କୋର୍ କରିବା ସହ ପେସ୍ ପ୍ରାଧାନ୍ୟ ପିଚ୍‌ରେ ୭ ୱିକେଟ୍‌ ମଧ୍ୟ ନେଇଥିଲେ । ଓପନର୍ ଭାବେ କେଏଲ୍ ରାହୁଲ୍‌ଙ୍କ ପ୍ରତିଷ୍ଠା ବି ଭାରତକୁ ଅସ୍ଥିର ପ୍ରାରମ୍ଭିକ ଯୋଡ଼ି ସମସ୍ୟାରୁ ମୁକ୍ତ କରିଛି । ରାହୁଲ ୨ ଶତକ ସହ ୫୩୨ ରନ୍ କରିଥିଲେ। ୱାସିଂଟନ୍ ସୁନ୍ଦରଙ୍କ ଆବିର୍ଭାବ ବି ଭାରତୀୟ ଅଲରାଉଣ୍ଡର୍‌ ଅଭାବକୁ ଦୂର କରିଛି ।
ବ୍ୟକ୍ତିଗତ ପ୍ରଦର୍ଶନ ବ୍ୟତୀତ ଜଟିଳ ଆଘାତ ସମସ୍ୟା ଭିତରେ ଋଷଭ ପନ୍ତ୍‌ ଓ କ୍ରିସ୍ ଓକ୍ସ ବ୍ୟାଟିଂ ପାଇଁ ଆସିବା ଟେଷ୍ଟ୍ କ୍ରିକେଟ୍‌କୁ ଆହୁରି ଉଚ୍ଚକୁ ନେଇଯାଇଛି । ସେହିଭଳି ପ୍ରଥମ ଦୁଇ ଟେଷ୍ଟ୍ ପରେ ପରବର୍ତ୍ତୀ ୩ ଟେଷ୍ଟ୍ ବେଳକୁ ପଡ଼ିଆ ଭିତରେ ବାକ୍‌ ବିତଣ୍ଡା, ସ୍ଲେଜିଂ, ଉଚ୍ଚେଜକ ମୁହୂର୍ତ୍ତମାନ ବି ଏହି ଶୃଙ୍ଖଳାକୁ କିଛିଟା ତିକ୍ତ ଅନୁଭୂତି ଛାଡ଼ିବାକୁ ବାଧ୍ୟ କରିଥିଲା ।