MOBILE TOWER Photograph: (KANAK NEWS)
କନକ ବ୍ୟୁରୋ: ଏଥର ମୋବାଇଲ ନେଟୱର୍କ ଟେନ୍ସନ୍ ଗଲା । କାରଣ ଆଗାମୀ ଦିନରେ ଇଣ୍ଟରନେଟ୍ ବା ମୋବାଇଲ କଲ୍ ପାଇଁ ମୋବାଇଲ ଟାୱାର ଉପରେ ଭରସା କରିବାକୁ ପଡ଼ିନପାରେ । ଯେଉଁଠି ଥିଲେ ବି ସହଜରେ କଲ୍ ଲାଗିଯିବ । କାରଣ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ମହାକାଶରେ ସ୍ଥାପନ ହେବ ବ୍ଲୁ ବାର୍ଡ ସାଟେଲାଇଟ୍, ଯାହା ମୋବାଇଲ୍ ଟାୱାର୍ଗୁଡ଼ିକ ଭଳି କାମ କରିବ । ଏ କ୍ଷେତ୍ରରେ ଏବେ ଇତିହାସ ରଚିଛି ଭାରତ । ମହାକାଶକୁ ଉତକ୍ଷେପଣ ହୋଇଛି ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ ବ୍ଲୁବାର୍ଡ ବ୍ଲକ-୨ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ ।
ସବୁଠାରୁ ବଡ଼ କଥା ହେଉଛି, ଭାରତ ମାଟିରୁ ମହାକାଶକୁ ଗଲା ସବୁଠୁ ଓଜନିଆ ସାଟେଲାଇଟ୍ । ଯାହା ଟେଲିକମ୍ ନେଟୱର୍କ କ୍ଷେତ୍ରରେ ନୂଆ ଇତିହାସ ଲେଖିବ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩ । ଡିସେମ୍ବର ୨୪ ତାରିଖରେ ସକାଳ ୮ଟା ୫୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହା ଉତକ୍ଷେପଣ କରାଯାଇଛି । ଟେକ୍ସାସ୍ ସ୍ଥିତ କଂପାନି ଏଏସଟି ସ୍ପେଶ୍ ମୋବାଇଲ ପକ୍ଷରୁ ଏହି ସାଟେଲାଇଟକୁ ପଠାଯାଉଛି । ଦୁର୍ବଳ ଇଣ୍ଟରନେଟ୍ ସେବା ମିଳୁଥିବା ସ୍ଥାନକୁ ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ଲକ୍ଷ୍ୟରେ ତିଆରି କରାଯାଇଛି ଏହି ସାଟେଲାଇଟ୍ ।
ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ । ଅକ୍ଟୋବର ୧୯ରେ ଆମେରିକାରୁ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ । ନିଜ କକ୍ଷପଥରେ ପହଞ୍ଚିବା ପରେ 'ବ୍ଲୁବାର୍ଡ ବ୍ଲକ୍ ୨' ସାଟେଲାଇଟ୍ ତାର ୨୨୩ ବର୍ଗ ମିଟର ବିଶିଷ୍ଟ ବିଶାଳ 'ଫେଜଡ୍ ଆରେ ଆଣ୍ଟେନା' ଖୋଲିବ । ଏହା ପୃଥିବୀର ନିମ୍ନ କକ୍ଷପଥ ବା ଲୋ-ଅର୍ଥ ଅର୍ବିଟରେ ସ୍ଥାପିତ ହେବାକୁ ଥିବା ଦୁନିଆର ସବୁଠାରୁ ବଡ଼ ବ୍ୟବସାୟିକ କମ୍ୟୁନିକେସନ୍ ଆଣ୍ଟେନା ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରିବ ।
ଆହୁରି ପଢ଼ନ୍ତୁ : ‘ଆରାବଳୀର ଅସ୍ମିତା ସହ କେହି ଖେଳିପାରିବେନି’… ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ
ଏହି ଟେକ୍ନୋଲୋଜି ଆଗାମୀ ଦିନରେ ମୋବାଇଲ୍ କନେକ୍ଟିଭିଟି ଏବଂ ନେଟୱର୍କ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ମୋବାଇଲ୍ ଟାୱାର୍ ସ୍ଥାପନ କରିବା କଷ୍ଟକର, ସେଠାରେ ଏହି ସାଟେଲାଇଟ୍ ଜରିଆରେ ସହଜରେ ନେଟୱାର୍କ ସେବା ଯୋଗାଇ ଦିଆଯାଇପାରିବ ।
ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ ଏଣିକି କମ୍ ନେଟୱର୍କ ଥିବା କିମ୍ବା ଦୁର୍ଗମ ଅଞ୍ଚଳର ଲୋକମାନେ ମଧ୍ୟ ବିନା କୌଣସି ବାଧାରେ ଭିଡିଓ କଲ୍ କରିପାରିବେ । କାରଣ ଏହି ସାଟେଲାଇଟ୍ ସିଧାସଳଖ ସ୍ମାର୍ଟଫୋନକୁ ମୋବାଇଲ୍ କନେକ୍ଟିଭିଟି ଯୋଗାଇଦେବ । ଏହାଫଳରେ ଗ୍ରାହକମାନଙ୍କୁ ଆଉ ମୋବାଇଲ୍ ଟାୱାର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । କାରଣ ସିଧାସଳଖ ସାଟେଲାଇଟ୍ ଜରିଆରେ ୪ଜି ଏବଂ ୫ଜି ସ୍ମାର୍ଟଫୋନରେ ହାଇ-ସ୍ପିଡ୍ ସେଲ୍ୟୁଲାର୍ ବ୍ରଡ୍ବ୍ୟାଣ୍ଡ କନେକ୍ଟିଭିଟି ସୁବିଧା ଅତି ସହଜରେ ଉପଲବ୍ଧ ହୋଇପାରିବ । ଏହି ବିଶେଷ ସେବା ପାଇବା ପାଇଁ ୟୁଜର୍ସଙ୍କୁ ନିଜର ସର୍ଭିସ ପ୍ରୋଭାଇଡର ବା ସିମ୍ ବଦଳାଇବାର ଆବଶ୍ୟକତା ପଡ଼ିବ ନାହିଁ । କାରଣ ସମ୍ପୃକ୍ତ କମ୍ପାନି ସାରା ବିଶ୍ୱର ପ୍ରମୁଖ ମୋବାଇଲ ଅପରେଟରଙ୍କ ସହ ମିଶି କାର୍ଯ୍ୟ କରୁଛି । ତେଣୁ ଏହାର ଫାଇଦା ବିଶ୍ୱର ସମସ୍ତ ୟୁଜର୍ସଙ୍କ ପାଖରେ ଅତି ସହଜରେ ପହଞ୍ଚାଯାଇପାରିବ ।
Follow Us