କନକ ବ୍ୟୁରୋ: କ୍ରିକେଟ ଜଗତରେ ପୁଣିଥରେ ଭାରତୀୟ ପତାକା ଉଡ଼ିଛି । ୨୦୨୬ T20 ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଏକତରଫା ଭାବେ ପରାସ୍ତ କରି ଭାରତ ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି । ଏହି ବିଜୟ ସହ ଭାରତ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଏବଂ ସର୍ବମୋଟ ତିନିଥର T20 ବିଶ୍ୱକପ୍ ଜିତିବାର ଗୌରବ ହାସଲ କରିଛି ।

Advertisment

ପ୍ରଥମେ ବ୍ୟାଟିଂ କରି ଭାରତର ବିଶାଳ ସ୍କୋର

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲା। ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ କିୱି ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ। ଅଭିଷେକ ମାତ୍ର ୧୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବାବେଳେ ସଞ୍ଜୁ ସାମସନ ୮୯ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହାସହ ଈଶାନ କିଶନଙ୍କ ୫୪ ରନ୍ ଏବଂ ଶେଷ ଆଡ଼କୁ ଶିବମ ଦୁବେଙ୍କ ୮ ବଲରେ ୨୬ ରନର କ୍ୟାମିଓ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ **୨୫୫ ରନ୍** ସଂଗ୍ରହ କରିଥିଲା। T20 ବିଶ୍ୱକପ୍ ଫାଇନାଲ ଇତିହାସରେ ଏହା ସର୍ବାଧିକ ଦଳଗତ ସ୍କୋର ।

ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

୨୫୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଚାପରେ ରହିଥିଲା । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ କିୱି ବ୍ୟାଟରମାନେ ଜଣକ ପରେ ଜଣେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ଯଶପ୍ରୀତ ବୁମରା ଏବଂ ଅକ୍ଷର ପଟେଲ ନିଜର ଯାଦୁକରୀ ସ୍ପେଲ୍‌ରେ ନ୍ୟୁଜିଲାଣ୍ଡର ଅଣ୍ଟା ଭାଙ୍ଗି ଦେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କେବଳ ଟିମ୍ ସେଇଫର୍ଟ (୫୨) କିଛି ସମୟ ପାଇଁ ସଂଘର୍ଷ କରିଥିଲେ, କିନ୍ତୁ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା ।

ବୋଲିଂରେ ବୁମରା ଓ ଅକ୍ଷରଙ୍କ କମାଲ

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ ଏବଂ ଅକ୍ଷର ପଟେଲ ୩ଟି ଲେଖାଏଁ ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ବୁମରାଙ୍କ ଘାତକ ୟର୍କର କିୱି ବ୍ୟାଟରଙ୍କ ପାଖରେ କୌଣସି ଜବାବ ନଥିଲା । ଶେଷରେ ଭାରତୀୟ ଦଳ ଏହି ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତି ନେଇଥିଲା । ମ୍ୟାଚ୍ ଜିତିବା ମାତ୍ରେ ପୁରା ଷ୍ଟାଡିୟମ 'ଇଣ୍ଡିଆ-ଇଣ୍ଡିଆ' ସ୍ଲୋଗାନରେ କମ୍ପି ଉଠିଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପୁଣିଥରେ ପ୍ରମାଣ କରିଛି ଯେ ସେମାନେ କାହିଁକି ବିଶ୍ୱର ଶ୍ରେଷ୍ଠ ଦଳ। ଏହି ବିଜୟ ସହ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।