କନକ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଛାଟ ବିଶ୍ବବଜାରକୁ ଅସ୍ତବ୍ୟସ୍ତ କରିଛି । ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପରେ ସହଯୋଗୀ ରାଷ୍ଟ୍ର ମାନେ ସାଥ୍ ଛାଡ଼ିବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ଚୀନର ତିନଜିଆନ ସହରରେ ଅନୁଷ୍ଠିତ ୨୫ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଏକାଠି ହୋଇଛନ୍ତି ବିଶ୍ୱର ଶୀର୍ଷ ନେତୃତ୍ବ। ଆମେରିକାର ଦାଦାଗିରି ଭିତରେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ଏସିଆ ମହାଦେଶର ତିନି ମହାଶକ୍ତି ରୁଷ, ଚୀନ ଏବଂ ଭାରତ ସମେତ ଅନ୍ୟ ରାଷ୍ଟ୍ର। ବନ୍ଧୁ କହି ଟାରିଫ୍ ଲଗାଇବା ଭଳି ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରିଛି। ଭାରତ ସହ ସ୍ବର ମିଶାଇ ସମର୍ଥନରେ ବାହାରିଛନ୍ତି ଚୀନ ଓ ରୁଷ ରାଷ୍ଟ୍ରମୁଖ୍ୟ। ଏସ୍ସିଓ ମଞ୍ଚରୁ ଏହି ୩ ରାଷ୍ଟ୍ର ଟାରିଫ ବିରୋଧରେ ବଡ ରଣନୀତି ପ୍ରସ୍ତୁତ କରିବାର ସମ୍ଭାବନା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ବେଶ ଗୁରୁତ୍ବ ବହନ କରୁଛି । ଦୁଇ ନେତା ପ୍ରାୟ ୧ ଘଣ୍ଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିବା ବେଳେ ଏଥିରେ ବହୁ ପ୍ରସଙ୍ଗ ସ୍ଥାନ ପାଇଛି । ୨୮୦ କୋଟି ଲୋକଙ୍କ ପାଇଁ ଡ୍ରାଗନ୍ ଏବଂ ହାତୀ ଏକାଠି ହେବାକୁ ଜିନପିଙ୍ଗ୍ ଆହ୍ବାନ ଦେଇଥିବା ବେଳେ ବିଶ୍ବାସର ସହ ଆଗକୁ ବଢ଼ିବାକୁ ମୋଦୀ ଜଣାଇଛନ୍ତି ସହମତି ।
ମୋଦୀ-ଜିନପିଙ୍ଗ ଆଲୋଚନା
-ସମ୍ମାନ, ସମୃଦ୍ଧି, ସ୍ଥିରତା, ବିଶ୍ବାସ ଓ ସୁରକ୍ଷାକୁ ଗୁରୁତ୍ବ
-ସୀମା ସୁରକ୍ଷା ଉପରେ ଆଲୋଚନା
-ମଜଭୁତ ସମ୍ପର୍କ ପାଇଁ ଦୀର୍ଘକାଳୀନ ଦୃଷ୍ଟିକୋଣର ଆବଶ୍ୟକତା
-ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ
-ସ୍ବଭାବିକ ଭାବେ ଆରମ୍ଭ ହୋଇଛି କୈଳାସ ମାନସରୋବର ଯାତ୍ରା
ଦୁଇ ଦିନ ଧରି ଚାଲିବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ଆସନ୍ତାକାଲି ମୋଦୀ-ପୁଟିନ ସାକ୍ଷାତର କାର୍ଯ୍ୟକ୍ରମ ରହିଛି। ସେପଟେ ଏସ୍ସିଓ ସମ୍ମିଳନୀ ଆଳରେ ତ୍ରିଶକ୍ତିଙ୍କ ମେଳି ପରେ ଟ୍ରମ୍ପ ପ୍ରଶାସନର ଟେନସନ୍ ବଢ଼ିଯାଇଛି।