କନକବ୍ୟୁରୋ : ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ପୂର୍ବ ଲଦାଖକୁ ନେଇ ଭାରତ-ଚୀନ୍ ମଧ୍ୟରେ  ସ୍ଥିତିରେ ସୁଧାର ଆସୁଛି । ଡେମଚକ ଏବଂ ଦେପସାଙ୍ଗରୁ ଉଭୟ ଦେଶର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି । ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ଚଳିତ ମାସ ଶେଷ ଅର୍ଥାତ ଅକ୍ଟୋବର ୨୮-୨୯ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବ । ଏହି ଦୁଇ ସ୍ଥାନରୁ ଦୁଇ ଦେଶର ସେନା ନିଜ ନିଜ ଅସ୍ଥାୟୀ ଶେଡ୍ ଏବଂ ଟେଣ୍ଟ ବି ହଟାଉଛନ୍ତି ।  ଗାଡ଼ି ଏବଂ ସେନା ଉପକରଣକୁ ବି ସେଠାରୁ ହଟାଯାଉଛି ।

Advertisment

ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଦ୍ୟ ବୁଝାମୁଣା କେବଳ ଦେପସାଙ୍ଗ ଏବଂ ଡେମଚୋକ ପାଇଁ ଲାଗୁ ହେବ। ଏଠାରେ ପାଟ୍ରୋଲିଂ ପାଇଁ ସୀମିତ ସଂଖ୍ୟାରେ ସୈନିକଙ୍କୁ ମୁତୟନ କରାଯିବ । ଉଭୟ ଭାରତ ଏବଂ ଚୀନ୍‌ର ସୈନ୍ୟ ୨୦୨୦ ଏପ୍ରିଲ ପୂର୍ବରୁ ଯେଉଁ ସ୍ଥାନରେ ଥିଲେ ସେଠାକୁ ଫେରିବେ। ନିୟମିତ ଭାବେ ଗ୍ରାଉଣ୍ଡ କମାଣ୍ଡରଙ୍କ ବୈଠକ ଆୟୋଜିତ ହେବ । 

ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ସୈନିକ ସେଠାକୁ ଗସ୍ତ କରିବେ। ଗଲୱାନ ଭଳି ସ୍ଥିତି ନ ଉପୁଜିବା ସେଠାରେ ଅଲଗା ଅଲଗା ଦିନରେ ଉଭୟ ଦେଶର ସେନା ପାଟ୍ରୋଲିଂ କରିବେ । ରୁଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।

୫ ବର୍ଷ ପରେ ଦୁଇ ନେତା ପରସ୍ପର ସହ କଥା ହେବା ସହ ହାତ ମିଳାଇଥିଲେ । ଦୁଇ ଦେଶର ଆଲୋଚନା ପରେ ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଖବର ସାମ୍ନାକୁ ଆସିଛି । ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଗଲୱାନ୍ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା।

ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା । ଏହାର ସମାଧାନ ପାଇଁ ବହୁ ପର୍ୟ୍ୟାୟରେ କୋର୍ କମାଣ୍ଡର ସ୍ତରୀୟ ବୈଠକ ଏବଂ କୂଟନୀତିକ ଆଲୋଚନା ହୋଇଥିଲା । ଶେଷରେ ଭାରତ ଓ ଚାଇନା ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି ।