କନକ ବ୍ୟୁରୋ: ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ଭାରତ ଓ ଚୀନ ପରସ୍ପରର ସେନା ଯବାନଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବେ । ୨୦୨୦ ଗଲୱାନ ଘାଟି ବିବାଦ ପରଠାରୁ ଏଠାରେ ଦୁଇ ଦେଶ ପକ୍ଷରୁ ସେନା ଯବାନଙ୍କୁ ମୁତୟନ କରାଯାଇଥିଲା । ହେଲେ ଏବେ ଉତ୍ତେଜନା ହ୍ରାସ ସହ ସେନା ପ୍ରତ୍ୟାହାର ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି । ଏଥିସହ ସେନା ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହା ଶେଷ ହେବ ବୋଲି ସେନା ସୂତ୍ରରୁ ଖବର ମିଳିଛି । ଋଷିଆରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଦୀର୍ଘ ୫ ବର୍ଷ ପରେ ଦୁଇ ନେତା ପରସ୍ପର ସହ କଥା ହେବା ସହ ହାତ ମିଳାଇଥିଲେ । ଦୁଇ ଦେଶର ଆଲୋଚନା ପରେ ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଖବର ସାମ୍ନାକୁ ଆସିଛି । ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଗଲୱାନ୍ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ କେଉଁ ଦେଶ ଖଇଉର କେତେ ଭିତର ଯାଏ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମାର ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଦୁଇ ଦେଶ । ଏହାର ସମାଧାନ ପାଇଁ ବହୁ ପର୍ୟ୍ୟାୟରେ କୋର୍ କମାଣ୍ଡର ସ୍ତରୀୟ ବୈଠକ ଏବଂ କୂଟନୀତିକ ଆଲୋଚନା ହୋଇଥିଲା । ଶେଷରେ ଭାରତ ଓ ଚାଇନା ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି ।
ସେନା ଅପସାରଣ, ସୁଧୁରିବ ସମ୍ପର୍କ ! ଦୁଇ ଦେଶର ସେନା ପୂର୍ବସ୍ଥାନକୁ ଫେରୁଛନ୍ତି ।
ସୁଧରୁଛି ଭାରତ-ଚୀନ ସର୍ମ୍ପକ । ଏଲଏସିରୁ ଉଭୟ ଦେଶ କରୁଛନ୍ତି ସେନା ଅପସାରଣ । ଅକ୍ଟୋବର ୨୯ସୁଦ୍ଧା ହଟିବେ ସେନା । ଡେମଚୋକ ଓ ଡିପସାଙ୍ଗରେ ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ହୋଇଛି ବୁଝାମଣା ।