କନକ ବ୍ୟୁରୋ: ଆମେରିକାର ଦାଦାଗିରି ଭିତରେ ବିଶ୍ୱର ୩ ଶକ୍ତିଶାଳୀ ରାଷ୍ଟ୍ର ଏକାଠି ହେଉଛନ୍ତି । SCO ମଞ୍ଚରୁ ଟାରିଫ ବିରୋଧରେ ବଡ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ମଧ୍ୟ ରହିଛି ।ମୋଦୀ ଓ ଜିନପିଙ୍ଗଙ୍କ ସାକ୍ଷାତ ପରେ ଯଦିଓ ଆମେରିକାର ଟାରିଫ ବିରୋଧରେ କି ନିଷ୍ପତ୍ତି ନିଆଯାଇଛି ନା ନାହିଁ ସେନେଇ କୌଣସି ଏବେ ସୁଦ୍ଧା କୌଣସି ଔପଚାରିକ ଘୋଷଣା କରାଯାଇନି କିନ୍ତୁ ସମିଟ ସରିବା ପରେ କିଛି ବଡ ଘୋଷଣା କରାଯିବା ସମ୍ଭାବନା ରହିଛି ।
ଆମେରିକା ବନାମ ତ୍ରିଶକ୍ତି
ଆମେରିକା ରାଷ୍ଟ୍ରପତିଙ୍କ ଦାଦାଗିରି ବିଶ୍ୱ ବଜାରକୁ ଅସ୍ଥିର କରିଛି । ଟାରିଫ ଯୋଗୁଁ ଘୋର ସମାଲୋଚନା, ପ୍ରବଳ ବିରୋଧରେ ସମ୍ମୁଖୀନ ହେଲେଣି ଟ୍ରମ୍ପ । ବନ୍ଧୁ କହି ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ଗମ୍ଭୀରତା ସହ ଗ୍ରହଣ କରିଛି ଭାରତ । ମୋଦୀଙ୍କ ବେଜିଂ ଗସ୍ତ ଓ SCO ସମ୍ମିଳନୀରେ ଯୋଗଦାନ ପରେ ଟ୍ରମ୍ପ୍ ବ୍ୟାକ୍ଫୁଟ୍ରେ ରହି ପାରନ୍ତି । ସେପଟେ ଭାରତ ସହ ସ୍ୱର ମିଶାଇ ସମର୍ଥନରେ ବାହାରିଛି ଚୀନ, ରୁଷ । ଆମେରିକାର ଏକଚାଟିଆ ନୀତି ବିରୋଧରେ ଭାରତ,ଚୀନ ଏକାଠି ହେଉଛନ୍ତି । ପରବର୍ତ୍ତୀ ସମୟରେ ଆମେରିକାର ଟାରିଫ୍ ଚାପ ବିରୁଦ୍ଧରେ ମିଳିତ ରଣନୀତି ପ୍ରସ୍ତୁତ ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଆମେରିକା ବିରୁଦ୍ଧରେ ଏପରି କୌଣସି ମେଣ୍ଟ ଗଠନ କରାଯାଇ ନାହିଁ । ଭାରତ, ରୁଷ, ଚୀନର ତ୍ରିଶକ୍ତି ଟ୍ରମ୍ପଙ୍କୁ ବଡ଼ ଚ୍ୟାଲେଞ୍ଜ ଦେବା ସମ୍ଭାବନା ରହିଛି । ଟ୍ରମ୍ପଙ୍କ ଏକପାଖିଆ ନୀତି ଆମେରିକାର ଶକ୍ତି ବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ କରିଛି । ମିତ୍ର ଦେଶଗୁଡ଼ିକ ଏବେ ବିକଳ୍ପ ଖୋଜୁଛନ୍ତି ଏବଂ ବିରୋଧୀ ଦେଶଗୁଡ଼ିକ ନିକଟତର ହେଉଛନ୍ତି ।ଭାରତ, ଚୀନ୍ ଏବଂ ରୁଷଙ୍କ ଏକାଠି ହେବା ସ୍ଥାୟୀ ହୋଇପାରେ କିମ୍ବା ନହୋଇପାରେ । କିନ୍ତୁ ଏହା ପରିବର୍ତ୍ତନଶୀଳ ବିଶ୍ୱ ସମୀକରଣର ବାସ୍ତବତାକୁ ପ୍ରତିଫଳିତ କରିବା ସମ୍ଭାବନା ବେଶ ରହିଛି ।