କନକ ବ୍ୟୁରୋ: ରାୟପୁରରେ ଶୁକ୍ରବାର ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ୨୦୯ ପରି ଏକ ବଡ଼ ଲକ୍ଷ୍ୟର ପିଛା କରି ଏକ ଐତିହାସିକ ବିଜୟ ହାସଲ କରିଛି । ଏହି ମ୍ୟାଚ ଇଶାନ କିଶନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି । ଭାରତ ମାତ୍ର ୬ ରନରେ ୨ଟି ଓ୍ବିକେଟ୍ ହରାଇ ସଂଘର୍ଷ କରୁଥିବାବେଳେ ଇଶାନ ଓ ସୂର୍ଯ୍ୟ ମାତ୍ର ୮ ଓଭରରେ ୧୨୨ ରନର ଏକ ବିସ୍ଫୋରକ ଭାଗୀଦାର କରିଥିଲେ । ଇଶାନ ଆଉଟ୍ ହେବା ପରେ ସୂର୍ଯ୍ୟ ନିଜର ବ୍ୟାଟିଂ ଜାରି ରଖି ଶିବମ୍ ଦୁବେଙ୍କ ସହ ମାତ୍ର ୩୭ ବଲରୁ ୮୧ ରନର ଆଉ ଏକ ଭାଗୀଦାର କରିଥିଲେ ଓ ଭାରତ ପାଇଁ ବିଜୟ ଆଣିଦେଇଥିଲେ । ତେବେ ଏହି ସଫଳ ପାଳି ସୂର୍ଯ୍ୟକୁମାରଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି । କାରଣ ଠିକ୍ ବିଶ୍ବକପ୍ ପୂର୍ବରୁ ସେ ତାଙ୍କର ବ୍ୟାଟିଂ ଲୟ ଫେରିପାରିଛନ୍ତି ।
ଏହା ବି ପଢ଼ନ୍ତୁ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଚର୍ଚ୍ଚାରେ ଅର୍ଶଦୀପଙ୍କ ପ୍ରଥମ ଓଭର
ସୂର୍ଯ୍ୟ ପ୍ରାୟ ୪୬୮ ଦିନ ବା ୧୫ ମାସ ଓ ୨୬ଟି ମ୍ୟାଚ୍ ପରେ ଏକ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମାତ୍ର ୨୩ଟି ବଲରୁ ଏହି ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷଥର ପାଇଁ ୨୦୨୪ ଅକ୍ଟୋବର ମାସରେ ସେ ବାଂଲାଦେଶ ବିରୋଧରେ ଅର୍ଦ୍ଧଶତକ ହାସଲ କରିଥିଲେ । ଠିକ ବିଶ୍ବକପ୍ ପୂର୍ବରୁ ସେ ନିଜର ଲୟ ଫେରିପାଇବା ଭାରତୀୟ ଦଳ ପାଇଁ ଏକ ଶୁଭସୂଚନା । କାରଣ ସେ ଲୟରେ ରହିଲେ ଭାରତ ପାଇଁ ବିଜୟ ସହଜସାଧ୍ୟ ହୋଇଯାଏ । କିନ୍ତୁ ଶୁକ୍ରବାରର ମ୍ୟାଚ ପରେ ସେ ନିଜର ଲୟକୁ କେତେ ବଜାୟ ରଖୁଛନ୍ତି ତାହା ଆଗାମୀ କେତୋଟି ମ୍ୟାଚରୁ ଜଣାପଡିବ ।
Follow Us