କନକ ବ୍ୟୁରୋ: କାରଗିଲ ଯୁଦ୍ଧ... ଏହି ନାଁ ଉଠିଲେ ମନେପଡ଼ିଯାଏ ମାତୃଭୂମି ପ୍ରତି ବଳିଦାନ ଦେଇଥିବା ବୀର ଯବାନଙ୍କ କଥା । ମନେପଡ଼େ ୧୩ରୁ ୧୮ ହଜାର ଫୁଟ ଉପରେ ଶତ୍ରୁ ସୈନ୍ୟଙ୍କୁ ନିପାତ କରି ବିଜୟର ବାନା ଉଡ଼ାଇଥିବା ଭାରତୀୟ ଯବାନଙ୍କ ବୀରତ୍ୱର ଗାଥା । ମନେପଡ଼େ ପାକିସ୍ତାନର ଧୋକା, ଆଉ ପାକିସ୍ତାନ ସୈନ୍ୟର ଷଡ଼ଯନ୍ତ୍ରକୁ ଚୂରମାର କରି ଭାରତୀୟ ସେନା ନେଇଥିବା ପ୍ରତିଶୋଧର କଥା । ୨୪ ବର୍ଷ ତଳର ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି । ଏହି କଥା ମନେପଡ଼ିଲେ ଆମ ଛାତି ଗର୍ବ ଆଉ ଗୌରବରେ ଫୁଲି ଉଠେ ।
ଏତେ ସହଜ ନଥିଲା ଅପରେସନ ବିଜୟକୁ ସଫଳ କରାଇବା । ଏତେ ସହଜ ନଥିଲା ହଜାର ହଜାର ଫୁଟ ଉପରେ ବିଜୟର ବାନା ଉଡ଼ାଇବା । ଏତେ ସହଜ ନଥିଲା ଧୋକା ବାଜ ପାକିସ୍ତାନକୁ ଧକ୍କା ଦେଇ ବାହାର କରିବା । ତଥାପି ପଣ କରିଥିଲେ ଭାରତୀୟ ସେନା । ମାରିବୁ ନହେଲେ ମରିବୁ ।
୧୯୯୯ ମସିହା ଜୁଲାଇ ମାସରେ ଭାରତକୁ ପ୍ରବେଶ କରିଥିଲେ ପାକିସ୍ତାନୀ ସେନା । କାରଗିଲ ସେକ୍ଟରରେ ଖାଲି ପଡ଼ିଥିବା ବଙ୍କର ଗୁଡ଼ିକୁ ଛଦ୍ମ ବେଶରେ ଆସି ଅକ୍ତିଆର କରିନେଇଥିଲା ଧୋକାବାଜ ପାକିସ୍ତାନ । ଆଉ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା । ଉଦ୍ଦେଶ୍ୟ ଥିଲା
୧୯୭୧ରେ ଭାରତ ଜିତିଥିବା ଅଞ୍ଚଳକୁ କବଜାକୁ ନେବା
ନିୟନ୍ତ୍ରଣ ରେଖାକୁ ପରିବର୍ତ୍ତନ କରିବା
ସିମଲା ରାଜିନାମାକୁ ଅକାମୀ କରିଦେବା
କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବା
ଭାରତୀୟ ସେନାର ଅଜାଣତରେ ଟାଇଗର ହିଲ ଉପରେ ଷଡଯନ୍ତ୍ର ରଚୁଥାଆନ୍ତି ପାକିସ୍ତାନୀ ସେନା । ସେନା କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ କରୁଥାଆନ୍ତି ପ୍ଲାନ । ଯେତେବେଳେ ଭାରତୀୟ ସେନା ଏକଥା ଜାଣିବାକୁ ପାଇଲେ, ସେତେବେଳେ କାଶ୍ମୀରଠାରୁ ଦିଲ୍ଲୀ ହଲଚଲ ହୋଇଯାଇଥିଲା । ହେଲେ କାହାର ବି ଧାରଣା ନଥିଲା ଏମାନେ ଅନୁପ୍ରବେଶକାରୀ ନୁହନ୍ତି ବରଂ ଏମାନେ ହେଉଛନ୍ତି ପାକିସ୍ତାନୀର ରେଗୁଲାର ଆର୍ମୀ । କେହି ଜାଣି ନଥାଆନ୍ତି ଯେ ଭାରତ ବିରୋଧରେ ଷଡ଼ଯନ୍ତ୍ରର ସାଂଘାତିକ ନକ୍ସା ତିଆରି କରିସାରିଛି ପାକିସ୍ତାନ । ଭାରତୀୟ ସେନାର ଗତିବିଧି ବଢ଼ିବା ଦେଖି କାରଗିଲ ଜିଲ୍ଲା ମୁଖ୍ୟାଳୟରେ ଥିବା ଭାରତୀୟ ସେନାର ଅସ୍ତ୍ର ଭଣ୍ଡାର ଉପରେ ପାହାଡ ଉପରୁ ଆର୍ଟିଲାରୀ ପାୟରିଂ କରିଥିଲା ପାକିସ୍ତାନୀ ସେନା । କାରଗିଲରେ ଏହି ତୋପ ମାଡ଼ ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା ।
ଆଉ ଏହାପରେ ଆରମ୍ଭ ହେଲା ମୁହଁତୋଡ଼ ଜବାବ ଦେବାକୁ ରଣନୀତି । ଶତ୍ରୁ ଉପରେ ନଜର ରଖିବାକୁ ପଇଁତରା ମାରୁଥାଆନ୍ତି ଭାରତୀୟ ସେନା । ହେଲେ ପାକିସ୍ତାନୀ ସେନାଙ୍କ ବର୍ବରତା ସୀମା ଟପୁଥିଲା । ଭାରତୀୟ ସେନାଙ୍କୁ ଉଠାଇ ନେଇ ଦେଉଥିଲେ ଅକଥନୀୟ ଅତ୍ୟାଚାର । ଏଥର କିନ୍ତୁ ଚୁପ ରହିନଥିଲା ଭାରତୀୟ ସେନା । ଜବାବ ଦେବାକୁ ଆରମ୍ଭ ହୋଇଥିଲା ଅପରେସନ ବିଜୟ । ସମୁଦ୍ର ପତନଠାରୁ ୧୮ ହଜାର ଫୁଟ ଉଚ୍ଚ ଏବଂ ରକ୍ତ ବରଫ ପାଲଟିଗଲା ଭଳି ମାଇନସ ୪୮ ଡିଗ୍ରୀ ସେଲିସିୟସ ତାପମାତ୍ରାରେ ଶତ୍ରୁ ସୈନ୍ୟର ମୁକାବିଲା କରିବା ହୁଏତ କୌଣସି ଦେଶର ଯବାନଙ୍କ ପାଇଁ ସହଜ ନୁହେଁ । ହେଲେ ମାଟି ମାର ସୁରକ୍ଷା ପାଇଁ ଛାତିରେ ଗୁଳି ଖାଇ ପଛକୁ ହଟୁନଥିଲେ ଭାରତୀୟ ସେନା ।
ଭାରତୀୟ ଯବାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଘାଟି ଉପରକୁ ଚଢ଼ିବା । କାରଣ ଘାଟି ଉପରୁ ଆଖିବୁଜା ଗୁଳି କରୁଥିଲା ପାକିସ୍ତାନ ସେନା । ୨ ମାସର ରକ୍ତାକ୍ତ ସଂଘର୍ଷ, ୫୨୭ ଯବାନଙ୍କ ବଳିଦାନ ଆଉ ଭାରତୀୟ ସେନାଙ୍କ ମୁହଁତୋଡ଼ ଜବାବ ପରେ ପଛକୁ ହଟିଥିଲା ପାକିସ୍ତାନ ସେନା । ଆଉ ଟାଇଗର ହିଲରେ ବିଜୟ ବାନା ଉଡ଼ାଇଥିଲେ ଭାରତର ବୀର ଯବାନ । ଏହାରି ଭିତରେ ବର୍ଷ ପରେ ବର୍ଷ ବିତି ଚାଲିଛି, କାରଗିଲ ଯୁଦ୍ଧରେ ଯବାନଙ୍କ ବଳିଦାନକୁ ନା କେହି ଭୁଲିଛନ୍ତି ନା କେବେ ଭୁଲିବେ । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ରୂପେ ପାଳନ କରାଯାଉଛି ।