କନକ ନ୍ୟୁଜ : ପାକିସ୍ତାନଠାରୁ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ । ଚାମ୍ପିଅନ୍ସ ଟ୍ରଫିରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି ରୋହିତ ବାହିନୀ । ୨୪୨ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ମ୍ୟାଚକୁ ସହଜରେ ଜିତି ନେଇଛି ଭାରତ । ପ୍ରଥମରୁ ଟିମ୍ ଭଲ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା କିଛି ଆକର୍ଷଣୀୟ ସଟ୍ ମାରିଥିଲେ। ତେବେ ୨୦ ରନ୍ କରିଥିବା ବେଳେ ରୋହିତଙ୍କୁ ସହିନ ଆଫ୍ରିଦ ଆଉଟ୍ କରିଥିଲେ। ଶୁଭମନ୍ ଗିଲ୍ ମଧ୍ୟ ଚମତ୍କାର ବ୍ୟାଟିଂ କରି ୪୬ ରନ କରିଥିଲେ। ରୋହିତ ଓ ଶୁଭମନ୍ ଆଉଟ୍ ହେବା ପରେ ଭାରତୀୟ ପାରିକୁ ସମ୍ଭାଳିଥିଲେ କିଙ୍ଗ୍ କୋହଲି ଓ ଶ୍ରେୟସ ଆୟର। କୋହଲି ଦାୟିତ୍ବ ସମ୍ପନ୍ନ ବ୍ୟାଟିଂ କରିଥିଲେ, ଆଉ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। କୋହଲିଙ୍କ ଶତକ ବଳରେ ସହଜରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଶ୍ରେୟସ ଆୟର ମଧ୍ୟ ଆକର୍ଷୀୟ ସଟ୍ ମାରି ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ଶ୍ରେୟସ ଆୟର ୫୬ ରନର ଇନିଙ୍ଗସ୍ ଖେଳିଥିଲେ ।
୪୨ ଓଭର ୩ଟି ବଲରେ ହିଁ ଭାରତ ଟାର୍ଗେଟ୍ ହାସଲ କରିନେଇଥିଲା । ଏହାପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ। ହେଲେ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ପାକିସ୍ତାନ ବ୍ୟାଟର । ୪୯ ଓଭର ୪ଟି ବଲରେ ୨୪୧ ରନରେ ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ସୌଦି ଶକିଲ ସର୍ବାଧି ୬୨ ରନ୍ କରିଥିବା ବେଳେ ମହମ୍ମଦ ରିଜୱାନ ୪୬ ରନ୍, ବାବର ଆଜମ୍ ୨୩ ରନ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୨ଟି, ହର୍ସିତ ରାଣା ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ପାକିସ୍ତାନର ତିନି ବ୍ୟାଟରଙ୍କୁ ରନ ଆଉଟର ଶୀକାର ହେବାକୁ ପଡିଥିଲା । ପ୍ରାରମ୍ଭରୁ ପାକିସ୍ତାନ ଭଲ ଆରମ୍ଭ କରିଥିଲା। କିନ୍ତୁ ବାବର ଆଜମ ଆଉଟ୍ ହେବା ପରେ ରନ ଆଉଟ ଶୀକାର ହୋଇଥିଲେ ଓପନର ଇମାନ ଉଲ ହକ। ଯାହା ପାକିସ୍ତାନର ଟର୍ଣ୍ଣିଂ ପଏଣ୍ଟ ଥିଲା । ପରେ ସାଉଡ ସାକିଲ ଓ ମହମ୍ମଦ ରିଜୱାଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ରନ ହାର କମ ରହିଥିଲା। ଯେଉଁଥିପାଇଁ ପାକିସ୍ତାନକୁ ୨୫୦ ରନ ଭିତରେ ସୀମିତ ରଖିବାରେ ସମର୍ଥ ରହିବାକୁ ପଡିଥିଲା ।
ଜିତିଲା ଦେଶ, ଝୁମିଲେ ଦେଶବାସୀ । ଦୀପାବଳୀ ପରି ବାଣ ଫୁଟିଲା, ରାସ୍ତାରେ ଫରଫର ହୋଇ ତ୍ରିରଙ୍ଗା ଉଡ଼ିଲା । କାଶ୍ମୀରଠୁ ନେଇ କନ୍ୟାକୁମାରୀ ଯାଏ ଉତ୍ସବର ମାହୋଲ । ଏ ଖୁସି ଚାମ୍ପିଅନ୍ସ ଟ୍ରଫି ଜିତିବାଠାରୁ କିଛି କମ ନୁହେଁ । କାହିଁକି ନା ଚୀର ପ୍ରତିଦ୍ବନ୍ଦି ପାକିସ୍ତାନକୁ ଧୁଳି ଚଟାଇଛି ଭାରତ । ଯେତେବେଳେ ବି କୌଣସି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥାନ୍ତି ସେହି ମ୍ୟାଚ୍ ଫାଇନାଲଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । କାରଣ ଏହି ମ୍ୟାଚ୍ ସହ ପ୍ରତି ଦେଶବାସୀଙ୍କ ଭାବନା ଯୋଡ଼ି ହୋଇ ରହିଥାଏ । ଚାମ୍ପିଅନ୍ସ ଟ୍ରଫିରେ ଭାରତର ବଡ଼ ବିଜୟ ପରେ ଦେଶର କୋଣ ଅନୁକୋଣରୁ ଆସିଛି ଏଭଳି ଉତ୍ସବର ଚିତ୍ର । କେଉଁଠି ରାସ୍ତାରେ ଲୋକମାନେ ତ୍ରିରଙ୍ଗା ଧରି ଭିଡ଼ ଜମାଉଛନ୍ତି । ଭାରତ ମାତାର ଜୟଗାନ କରୁଛନ୍ତି । ତ ଆଉ କେଉଁଠି ନାଚଗୀତରେ ମୁସଗୁଲ କ୍ରିକେଟ୍ ଫ୍ୟାନ୍ସ । ବାଣ ଫୁଟାଇ, ବାଜା ବଜାଇ ଟିମ୍ ଇଣ୍ଡିଆ ବିଜୟ ହେବା ଖୁସିର ମଜା ନେଇଛନ୍ତି।