କନକ ବ୍ୟୁରୋ: ବର୍ତ୍ତମାନ ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଚର୍ଚ୍ଚା । ବିଶେଷ କରି ଚୀନ୍‌ର ଡିପ୍‌ସିକ୍‌ ଦ୍ରୁତଗତିରେ ଲୋକଙ୍କ ନିକଟତର ହେବାରେ ଲାଗିଛି । ଏହାକୁ ନେଇ ସୁରକ୍ଷା ଚିନ୍ତା ବି ବୃଦ୍ଧି ପାଇଛି । ଖୋଦ୍‌ ଆମେରିକା ରାଷ୍ଟ୍ରପତି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ସବୁ ଚର୍ଚ୍ଚା ଭିତରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତ ତିଆରି କରିବ ନିଜର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଆପ୍‌ । ଯାହାଫଳରେ ଚାଟ୍‌ ଜିପିଟି, ଜେମିନି ଓ ଡିପ୍‌ସିକ୍‌ ଭଳି ଆପ୍‌ ଉପରୁ ନିର୍ଭରଶୀଳତା କମିବ । 

Advertisment

ଜାନୁଆରୀ ୩୦ରେ ଦେଶରେ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଗାମୀ ଦିନରେ ଭାରତ ନିଜର ଫଣ୍ଡାମେଣ୍ଟାଲ୍‌ ଲାର୍ଜ ଲାଙ୍ଗୁଏଜ୍‌ ପ୍ରସ୍ତୁତ କରିବ । ଯାହା ଚାଟ୍‌ ଜିପିଟି ଭଳି ଚାଟ୍‌ ବକ୍ସ ଚଳାଇବା ପାଇଁ ୟୁପିଏସ୍‌ ଭଳି କାମ କରିବ । ଏହାକୁ ନେଇ ଯେଉଁ ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି ତାହାକୁ ଗ୍ରୀନ ସିଗ୍‌ନାଲ୍‌ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ଏହି ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ ଏଭଳି ଏକ ସିଷ୍ଟମ ତିଆରି କରିବ ଯାହା ଭାରତର ଭାଷା, ସଂସ୍କୃତି  ଓ ଆବଶ୍ୟକତାକୁ ବୁଝି ପାରୁଥିବ । ମୋଟମୋଟି ଭାବରେ କହିବାକୁ ବିଦେଶୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଭରସା କରିବା ବଦଳରେ ଭାରତ ନିଜର ଏଆଇ ସିଷ୍ଟମ ତିଆରି କରୁଛି । ଯାହା ବିନା କୌଣସି ପକ୍ଷପାତିତାରୁ ମୁକ୍ତ ରହି ବିବିଧ ସୂଚନାକୁ ସଠିକ ଢଙ୍ଗରେ ଦେଖାଇ ପାରିବ । 

ଭାରତ ତିଆରି କରିବ ନିଜର ଇଓ ମଡେଲ୍‌ 
ପଛରେ ପଡ଼ିବେ ଚାଟ୍‌ ଜିପିଟି ଓ ଡିପ୍‌ସିକ୍‌ ! 

ଏହି କ୍ରମରେ ଅଶ୍ୱିନୀ ବୈଷ୍ଣବ କମନ କମ୍ପ୍ୟୁଟିଂ ସୁବିଧା ମୁତାବକ ୧୮୬୯୩ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍‌ ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି । କେବଳ ଏଆଇ ନୁହେଁ ଏଆଇ ସୁରକ୍ଷାକୁ ନେଇ ସଂସ୍ଥା ପ୍ରତିଷ୍ଠା କରାଯିବ । ଯାହା ଏହାର ଟେକ୍ନୋଲୋଜୀରେ ସୁଧାର ଆଣିବା ବା ବିକଶିତ କରିବା ଦିଗରେ କାର୍ୟ୍ୟ କରିବ । ଏହାକୁ ନେଇ ଗତ ଦେଢ଼ ବର୍ଷ ହେଲା ସରକାର ନୂତନ ଷ୍ଟାର୍ଟଅପ୍‌ଗୁଡ଼ିକ ସହିତ କାର୍ୟ୍ୟ କରୁଛନ୍ତି । ମଡେଲ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଆହୁରି ୪ରୁ ୮ ମାସ ସମୟ ଲାଗିବ । ୧୦ଟି କମ୍ପାନିର ଏଆଇ ସଲ୍ୟୁସନ ପାଇଁ ୧୮ ଆପ୍ଲିକେଶନକୁ ଅଗ୍ରାଧିକାର ଦିଆଯାଇଛି । 
ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଧୁନିକ ଟେକ୍ନୋଲୋଜୀକୁ ସଭିଙ୍କ ପାଇଁ ସୁବିଧାଜନକ କରିବାକୁ ପ୍ରଧାନମନ୍ତ୍ରୀ ଚିନ୍ତା କରୁଛନ୍ତି । ବର୍ତ୍ତମାନ ଆମ ଦେଶରେ ସବୁଠାରୁ  ସହଜ କମ୍ପୁଟିଂ ସୁବିଧା ରହିଛି । ଖାଲି ସେତିକି ନୁହେଁ, ଡିପ୍‌ସିକ୍‌ ସୁରକ୍ଷା ଚିନ୍ତାକୁ ନେଇ ମଧ୍ୟ ବଡ଼ କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି ଗୋପନୀୟତା ସମ୍ବନ୍ଧୀୟ ଚିନ୍ତାକୁ ଦୃଷ୍ଟିରେ ରଖି ଏହାକୁ ଭାରତୀୟ ସର୍ଭରରେ ହୋଷ୍ଟ କରାଯିବ ।