କନକ ବ୍ୟୁରୋ: ୟୁଏଇ ବିପକ୍ଷରେ ୯ ୱିକେଟ୍‌ର ଜବରଦସ୍ତ ବିଜୟରୁ ଭାରତ ଏଠାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି । ଭାରତକୁ ଏହି ବଡ଼ ବିଜୟ ବୋଲର ଦେଇଛନ୍ତି । କୁଲଦୀପ ୟାଦବଙ୍କ ନେତୃତ୍ବରେ ବୋଲିଂ ବାହିନୀ ୟୁଏଇକୁ ମାତ୍ର ୫୭ ରନ୍‌ରେ ଅଟକାଇବା ପରେ ଅଭିଷେକ ଶର୍ମା ଓ ଶୁବମନ୍ ଗିଲଙ୍କ ଧମାକାଦାର ବ୍ୟାଟିଂ ପାଇଁ ଭାରତ ମାତ୍ର ୪.୩ ଓଭରରେ ବିଜୟୀ ହୋଇଛି । ଓଭର ଦୃଷ୍ଟିରୁ ଭାରତର ଏହା ଦ୍ରୁତତମ ଟ୍ବେଣ୍ଟି-୨୦ ବିଜୟ ହୋଇଛି । ୯୩ ବଲ୍ ପୂର୍ବରୁ ଜିତି ଭାରତୀୟ ଦଳ ମଧ୍ୟ ୨୦୨୧ ମସିହାରେ ଦୁବାଇଠାରେ ସ୍କଟଲାଣ୍ଡ୍ ବିପକ୍ଷରେ ହାସଲ କରିଥିବା (୮୧ ବଲ୍‌ ପୂର୍ବରୁ) ବିଜୟକୁ ଟପିଛି । ଅଭିଷେକ ଭାରତୀୟ ପଶ୍ଚାତ୍‌ଧାବନର ପ୍ରଥମ ବଲ୍‌କୁ ବିଶାଳ ଛକା ମାରିବା ବେଶ୍ ଦର୍ଶନୀୟ ଥିଲା । ବିଜୟର ପ୍ରମୁଖ ଭୂମିକା ନେଇଥିବା କୁଲଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।