କନକ ବ୍ୟୁରୋ: ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣାର ଦିନକ ପରେ ମହିଳା ଦଳ ବି ଘୋଷଣା କରାଯାଇଛି । ବିଶ୍ୱକପ୍ ଯୋଗ୍ୟତା ପାଇଁ ଗୁରୁତ୍ୱ ପୂର୍ଣ୍ଣ ଥିବା ଏହି ମହାଦେଶୀୟ ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନର ହଙ୍ଗ୍ଝୁରେ ଖେଳାଯିବ । ଆହତ କାରଣରୁ ଭେଟେରାନ୍ ଗୋଲକିପର୍ ସବିତା ପୁନିଆ ଏବଂ ଅଭିଜ୍ଞ ମିଡ୍ଫିଲ୍ଡର ସୁଶୀଳା ଚାନୁଙ୍କୁ ସୁଯୋଗ ମିଳିନାହିଁ । ଓଡ଼ିଶାରୁ କେବଳ ଜଣେ ମାତ୍ର ଝିଅ ମିଡ୍ଫିଲ୍ଡର ସୁନେଲିତା ଟୋପ୍ପୋ ଏହି ୨୦ ଜଣିଆ ଦଳରେ ସ୍ଥାନ ପାଇଛନ୍ତି । ଅଭିଜ୍ଞ ସବିତା ପୁନିଆଙ୍କ ଅନୁପସ୍ଥିତି କାରଣରୁ ଅଧିନାୟିକା ସଲିମା ଟେଟେଙ୍କ ଉପରେ ଅତିରିକ୍ତ ଚାପ ରହିବ । ସେହିଭଳି ସବିତାଙ୍କ ଛାୟାରୁ ବାହାରିବା ପରେ ବିଚୁ ଦେବୀ ଖରିବାମଙ୍କୁ ଗୋଲକିପିଂରେ ବି ପ୍ରମାଣିତ କରିବାକୁ ପଡ଼ିବ । ବିବାହ ପରେ ଦଳକୁ ଫେରିଥିବା ଉଦିତା ମଧ୍ୟ ଦଳର ଡିଫେନ୍ସକୁ୍ ସମ୍ଭାଳିବେ ।
ଭାରତୀୟ ମହିଳା ଦଳ ପାଇଁ ବିଶ୍ବକପ୍ ଯୋଗ୍ୟତା ମଧ୍ୟ କଠୋର ପଥର ଆହ୍ୱାନ ରଖିଛି । ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ବିଶ୍ୱର ୪ ନମ୍ବର ମାନ୍ୟତାପ୍ରାପ୍ତ ଚୀନ ଏବଂ ବିଶ୍ବର ୧୨ ନମ୍ବର ଦଳ ଜାପାନ ପ୍ରମୁଖ ପ୍ରତିବଂଧକ ସାଜିବା ଆଶଙ୍କା ରହିଛି । ପୁଲ୍ ‘ବି’ରେ ଭାରତ ସହିତ ଜାପାନ, ଥାଇଲାଣ୍ଡ୍ ଓ ସିଙ୍ଗାପୁର ଥିବାବେଳେ ପୁଲ୍ ‘ଏ’ରେ ଚୀନ, ମାଲେସିଆ, କୋରିଆ ଓ ଚାଇନିଜ୍ ତାଇପେ ରହିଛନ୍ତି । ନିଜ ଗ୍ରୁପ୍ରୁ ଫାଇନାଲ୍ ପହଞ୍ଚିବା ଭାରତ ପାଇଁ ବଡ଼ କଥା ନ ହେଲେ ବି ବିଜେତା ନ ହେଲେ ସିଧାସଳଖ ବିଶ୍ବକପ୍ ଟିକେଟ୍ ପାଇବା କଷ୍ଟକର ହେବ । ‘ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି, ଦଳ ଚୟନରେ ବି ଯୁବ ଓ ଅଭିଜ୍ଞଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି । ଶୃଙ୍ଖଳିତ ଓ ଆକ୍ରମଣାତ୍ମକ ବ୍ରାଣ୍ଡ୍ର ହକି ଖେଳିବା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ।
ଭାରତୀୟ ଦଳ: ଗୋଲକିପର୍ସ-ବଂଶାରୀ ସୋଲାଙ୍କୀ, ବିଜୁ ଦେବୀ ଖରିବାମ୍ । ଡିଫେଣ୍ଡର୍ସ-ମନୀଷା ଚୌହାନ, ଉଦିତା, ସୁମନ ଦେବୀ ଥୌଦମ, ନିକି ପ୍ରଧାନ, ଈଶିକା ଚୌଧୁରୀ । ମିଡ୍ଫିଲ୍ଡର୍ସ-ନେହା, ବୈଷ୍ଣବୀ ଭିତ୍ତଲ ଫଲ୍କେ, ସଲିମା ଟେଟେ, ଶର୍ମିଳା ଦେବୀ, ଲାଲରେମସିଆମୀ, ସୁନେଲିତା ଟୋପ୍ପୋ, ଫରୱାର୍ଡସ-ନଭନୀତ କୌର୍, ରୁତୁଜା ପିସାଲ, ବିଉଟି ଡୁଙ୍ଗଡୁଙ୍ଗ୍, ମମତାଜ ଖାନ୍, ଦୀପିକା, ସଂଗୀତା କୁମାରୀ ।
ସେପଟେ ଜଳନ୍ଧରରେ ଚାଲିଥିବା ୧୫ତମ ହକି ଇଣ୍ଡିଆ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲ୍କୁ ଉନ୍ନୀତ ହୋଇଛି । ଗୁରୁବାର ଖେଳାଯାଇଥିବା ସେମିଫାଇନାଲ୍ରେ ଓଡ଼ିଶା କଡ଼ା ସଂଘର୍ଷପୂର୍ଣ୍ଣ ଭାବେ ୩-୨ ଗୋଲ୍ରେ ହକି ପଞ୍ଜାବକୁ ପରାସ୍ତ କରିଛି । ଫାଇନାଲ୍ରେ ଶୁକ୍ରବାର ଅପରାହ୍ଣ ୩.୩୦ରେ ଓଡ଼ିଶା ଭେଟିବ ହରିୟାଣାକୁ । ଗୁରୁବାର ପ୍ରଥମ ସେମିଫାଇନାଲ୍ରେ ହରିୟାଣା ଏକତରଫା ଭାବେ ୩-୦ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିଲା । ଫଳରେ ଶୁକ୍ରବାରର ଫାଇନାଲ୍ ପୂର୍ବରୁ କାଂସ୍ୟ ପଦକ ପାଇଁ ଉତ୍ତରପ୍ରଦେଶ ଓ ପଞ୍ଜାବ ମୁକାବିଲା କରିବେ ।
ଅଲିମ୍ପିଆନ୍ ସୁରଜିତ୍ ହକି ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ପ୍ରତାପ ଟୋପ୍ପୋ ପ୍ରଥମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ । ଦ୍ୱାଦଶ ମିନିଟରେ କିନ୍ତୁ ଗୁରୁସେବକ ସିଂହଙ୍କ ଫିଲ୍ଡ ଗୋଲ୍ ମ୍ୟାଚ୍କୁ ବରାବର ସ୍ତରକୁ ନେଇ ଆସିଥିଲା । ଏହାର ୩ ମିନିଟ୍ ପରେ ପ୍ରତାପ ଟୋପ୍ପୋଙ୍କ ଦ୍ବିତୀୟ ଗୋଲ୍ (ଫିଲ୍ଡ) ଓଡ଼ିଶାକୁ ପୁଣି ଆଗୁଆ କରିଥିଲା । ୪୪ତମ ମିନିଟ୍ରେ ମନମିତ୍ ସିଂହ ରାଏଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ କାରଣରୁ ତୃତୀୟ କ୍ବାର୍ଟରସୁଦ୍ଧା ମ୍ୟାଚ୍ ୨-୨ ସ୍ଥିତିରେ ରହିଥିଲା । ମ୍ୟାଚ୍ର ୫୮ତମ ମିନିଟରେ କରଣ ଲାକ୍ରାଙ୍କ ନିର୍ଣ୍ଣାୟକ ଫିଲ୍ଡ ଗୋଲ୍ ଓଡ଼ିଶାକୁ ବିଜୟ ପ୍ରଦାନ କରିଥିଲା ।