india-us Photograph: (Kanak news)
କନକ ବ୍ୟୁରୋ : ଭାରତ ଏବଂ ଆମେରିକା ମଧ୍ୟରେ କାଉଣ୍ଟର ଟେରରିଜିମ୍ ବା ଆତଙ୍କବାଦ ନିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀର ୨୧ତମ ବୈଠକ ୩ ଡିସେମ୍ବର ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ବୈଠକରେ ଭାରତ ପକ୍ଷରୁ ଡକ୍ଟର ବିନୋଦ ବାହାଡେ ଏବଂ ଆମେରିକା ପକ୍ଷରୁ ବରିଷ୍ଠ ଅଧିକାରୀ ମୋନିକା ଜାକବସେନ୍ ଯୋଗ ଦେଇଥିଲେ ।
ଆତଙ୍କବାଦକୁ କଡ଼ା ନିନ୍ଦା
ଉଭୟ ଦେଶ ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପକୁ କଡ଼ା ନିନ୍ଦା କରିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଡ୍ରୋନ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢୁଥିବାରୁ ଉଭୟ ପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ, ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମ ଏବଂ ୧୦ ନଭେମ୍ବର ୨୦୨୫ରେ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଉଭୟ ପକ୍ଷ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଦେଇଛନ୍ତି ।
ଆତଙ୍କବାଦୀ ନିଯୁକ୍ତି, ଟେକ୍ନୋଲୋଜିର ଅପବ୍ୟବହାର ଏବଂ ଟେରର ଫଣ୍ଡିଂ ଭଳି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି । ସାଇବର ସୁରକ୍ଷା, ଉତ୍ତମ ଅଭ୍ୟାସର ଆଦାନପ୍ରଦାନ ଏବଂ ଆଇନଗତ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା । ଆତଙ୍କବାଦର ମୁକାବିଲା ପାଇଁ ମିଳିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଉଭୟ ଦେଶ ମତ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ--'ଆତଙ୍କବାଦ ବିରୋଧରେ ଲଢ଼େଇରେ ଚୀନ୍ ଭାରତକୁ ସମର୍ଥନ କରିବା ଉଚିତ,': ଜିନପିଙ୍ଗଙ୍କ ଆଗରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ
ଆତଙ୍କବାଦୀଙ୍କ ଉପରେ କଟକଣା
ଆଇଏସଆଇଏସ (ISIS), ଅଲ-କାଏଦା, ଲସ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ସଂଗଠନ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଜାତିସଂଘର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଲସ୍କର-ଏ-ତୋଇବାର ସହଯୋଗୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' (TRF)କୁ ଆତଙ୍କବାଦୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାରତ ଆମେରିକାକୁ ଧନ୍ୟବାଦ ଜଣାଇଛି ।
Follow Us