କନକ ବ୍ୟୁରୋ: ଭାରତ ଓ ନାମିବିଆ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଶକ୍ତି, ସ୍ୱାସ୍ଥ୍ୟ, ଜୈବିକ ଇନ୍ଧନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ନାମିବିଆ ପହଞ୍ଚି ପ୍ରଧାନମନ୍ତ୍ରୀ ନାମିବିଆ ସଂସଦକୁ ମଧ୍ୟ ସମ୍ୱୋଧିତ କରିଛନ୍ତି । ନାମିବିଆ ସଂସଦକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଆଫ୍ରିକାକୁ ଲୁଟିବାକୁ ଆସିନାହୁଁ, ଆମେ ହୃଦୟ ଯୋଡ଼ିବାକୁ ଆସିଛୁ । ଆଫ୍ରିକାକୁ ଭାରତ କଞ୍ଚାମାଲର ସ୍ରୋତ ଭାବେ ନୁହେଁ ସହଯୋଗୀ ଭାବେ ଦେଖିଥାଏ । ମୋଦୀଙ୍କ ତୀର ପାଶ୍ଚାତ୍ୟ ରାଷ୍ଟ୍ର ଓ ଚୀନ ଆଡ଼କୁ ଥିଲା, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ଆଫ୍ରିକାକୁ କଞ୍ଚା ମାଲର ଖଣି ବୋଲି ଭାବୁଛନ୍ତି । ନାମିବିଆ ସଂସଦକୁ ସମ୍ୱୋଧନ କରି ମୋଦୀ ଆମେରିକା ଓ ଚୀନର ଶୋଷଣ ନୀତିକୁ ସିଧା କୁଟନୈତିକ ପ୍ରହାର କରିଛନ୍ତି । ବ୍ରାଜିଲରେ ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇ ମୋଦୀ ନାମିବିଆର ୱିଣ୍ଡହୋକ୍ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନାମିବିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଗସ୍ତ ଅବସରରେ ପାରସ୍ପରିକ ସହଯୋଗ ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ସହମତି ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି ।