କନକ ବ୍ୟୁରୋ : ୧୦ ବର୍ଷରୁ ଅଧିକ ଦିନ ହେଲାଣି କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ । ୧୪ ଓ ୧୯ରେ ଦଳର ବିପର୍ଯ୍ୟୟ ହେବା ପରେ ୨୪ରେ ସ୍ଥିତି ଟିକିଏ ପରିବର୍ତ୍ତନ ହୋଇଥିଲା । ହେଲେ ରାହୁଲ ଦେଖିଥିବା ସ୍ବପ୍ନ କିନ୍ତୁ ପୂରଣ ହେଲା ନାହିଁ । ବାରମ୍ୱାର ଅପରିପକ୍ବ ରାଜନୈତିକ ଭାଷଣକୁ ଦଳର ନେତାମାନେ ଦାୟୀ କରିଥିବା ବେଳେ ଇଣ୍ଡି ମେଣ୍ଟର ଅନେକ ନେତା ବି ରାହୁଲଙ୍କୁ ଘେରିଲେଣି । କୁହାଯାଉଛି କି, ରାହୁଲଙ୍କ ଏମିତି ସ୍ଥିତି ପାଇଁ ସେ ରାଜି । ପ୍ରଥମତଃ ଟିଏମସିର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ପରେ ଇଣ୍ଡି ମେଣ୍ଟର ଅନେକ ନେତା ବି ପ୍ରଶ୍ନ କରିବାକୁ ଲାଗିଲେ । ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ବି ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ଉଠାଇଲେଣି ପ୍ରଶ୍ନ । ମେଣ୍ଟର ଅନେକ ନେତା ମମତାଙ୍କ ନେତୃତ୍ବକୁ ପ୍ରଶଂସା ବି କରିଛନ୍ତି । ଆଉ ଆପ୍ର ସଭାପତି କେଜ୍ରିୱାଲ ଯେଉଁପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ତାହା ଦେଖିଲେ ଗୋଟିଏ କଥା ସ୍ପଷ୍ଟ କି, ରାହୁଲଙ୍କ ସ୍ବପ୍ନ ପୂରଣ କରିବାରେ ଏମାନେ ବାଧା ଦେଉଛନ୍ତି । ସେପଟେ ଆରଜେଡିର ନେତା ତେଜସ୍ବୀ ଯାଦବ କହିଛନ୍ତି କେବଳ ଲୋକସଭା ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ବୋଧହୁଏ ବ୍ୟବସ୍ଥା ଥିଲା । କିନ୍ତୁ ଅଖିଳେଶ କାହିଁକି ଏମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ଇଣ୍ଡି ମେଣ୍ଟକୁ ଶକ୍ତ ଝଟକା
ହରିୟାଣା ଓ ମହାରାଷ୍ଟ୍ରରେ ପୋଛି ହୋଇଗଲା
ପୁରା ଦେଶରେ ଇଣ୍ଡି ମେଣ୍ଟକୁ ବିଶ୍ବାସକୁ ନେଉନାହାନ୍ତି ଜନତା । ଯାହାର ଉଦାହରଣ ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ । ଦଳ ଭାବିଥିଲା ଏହି ଦୁଇ ରାଜ୍ୟରେ ବିଜୟ ହେବ, ସରକାର କରିବ । ହେଲେ ଆଶା କେବଳ ଆଶାରେ ରହିଗଲା । କୁହାଗଲା କି ଦଳର ଭୁଲ ରଣନୀତି ଏଥିଲାଗି ଦାୟୀ । ହେଲେ ଏନେଇ ଦଳର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ କିନ୍ତୁ ମୁହଁ ଫିଟାଇନଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି, ରାହୁଲ ଜାଣିସାରିଥିଲେ କଂଗ୍ରେସ ନେତୃତ୍ବକୁ ଲୋକେ ବିଶ୍ବାସକୁ ନେଲେ ନାହିଁ ।
୨୦୧୯ରେ ଏନଡିଏ ବିରୋଧରେ ଲଢେଇ ପାଇଁ ଇଣ୍ଡିର ସୃଷ୍ଟି
୨୦୧୪ରୁ କ୍ରମାଗତ ଭାବରେ ମୋଦିଙ୍କ ନେତୃତ୍ବରେ ଏନଡିଏ କେନ୍ଦ୍ରରେ ସରକାର କରିଛି । ଏମିତିକି ୨୦୧୯ ଓ ୨୦୧୪ରେ ବି କେନ୍ଦ୍ରରେ ଭାଜପା ସରକାର । ୨୦୧୯ରେ ମୋଦିଙ୍କ ନେତୃତ୍ବକୁ ଚେକ୍ ଦେବା ଲାଗି ଇଣ୍ଡି ମେଣ୍ଟ କରାଯାଇଥିଲା । ଏହି ଦଳରେ ଅନେକ ମୋଦି ବିରୋଧୀ ନେତା ଏକାଠି ହୋଇଥିଲେ । ହେଲେ ଓଡ଼ିଶାର ବିଜେଡି କିନ୍ତୁ ଇଣ୍ଡି ମେଣ୍ଟର ବାରମ୍ବାର ଅନୁରୋଧ ପରେ ବି ସାମିଲ ହୋଇନଥିଲା କି ଏନଡିଏରେ ବି ସାମିଲ ହୋଇନଥିଲା । କେବଳ ଉଭୟ ଦଳଠାରୁ ସମଦୂରତ୍ବର କଥା କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଉଥିଲା ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ୧୯ ମସିହାରେ ପ୍ରଥମେ ଟିଡିପିର ନେତା ଚନ୍ଦ୍ରବାବୁ ନାଇଡୁ ମୋଦି ବିରୋଧୀ ମେଣ୍ଟ ଗଠନ କରିଥିଲେ । ପରେ ପରେ ୨୦୨୧ ରେ ପଶ୍ଚିମବଙ୍ଗ ନିର୍ବାଚନ ପରେ ମମତା ବି ଏନେଇ ପ୍ରୟାସ କରିଥିଲେ । ହେଲେ ମେଣ୍ଟ ସଫଳ ନହେବା କାରଣରୁ ଉଭୟ ନେତା ଚୁପ୍ ରହିଥିଲେ । ପୁଣି ଥରେ ନୀତିଶ କୁମାର ମେଣ୍ଟ ନେଇ ପ୍ରୟାସ କରିଥିଲେ ଏବଂ ସଫଳତା ବି ପାଇଥିଲେ । ହେଲେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ନିଜ ରାସ୍ତା ବଦଳାଇ ଦେଇ ଏନଡିଏରେ ସାମିଲ ହୋଇଥିଲେ । ଏହାସହ ମେଣ୍ଟରେ ମତାନ୍ତର ହେବା ପରେ ଜନତାଙ୍କ ବିଶ୍ବାସଭାଜନ ହେବାଠୁ ବହୁ ଦୂରରେ ରହିଲା ଇଣ୍ଡି ମେଣ୍ଟ ।
ଗେମ୍ କରିଥିଲେ ଦିଦି
ଇଣ୍ଡି ମେଣ୍ଟରେ ସାମିଲ ହେବା ପରେ ଅନେକ ରାଜ୍ୟରେ ମେଣ୍ଟର ପୋଷ୍ଟର ଦେଖିବାକୁ ମିଳୁଥିଲା ନିର୍ବାଚନ ସମୟରେ । ହେଲେ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ଦିଦି ସେମିତି କରିନଥିଲେ । ନିର୍ବାଚନରେ ଦିଦି କଂଗ୍ରେସ ଓ ବାମଦଳଠୁ ସମଦ୍ବରତ୍ବ ରଖି ନିଜେ ସବୁ ଆସନରେ ପ୍ରାର୍ଥୀ ଦେଇଥିଲେ । ନିର୍ବାଚନର ଫଳ ଆସିବା ପରେ ଜଣାପଡ଼ିଥିଲା କି, ଦିଦିଙ୍କ ଟିଏମସି ଦଳ ଏକାକୀ ୨୨ ସିଟ୍ରେ ନିର୍ବାଚନ ବିଜୟ ହୋଇଛନ୍ତି । ପରୋକ୍ଷ ଭାବରେ ଦିଦି ଏହା ବି ପ୍ରମାଣିତ କରିଥିଲେ କି, ବଙ୍ଗରେ ମୋଦିଙ୍କୁ ଚେକ୍ ଦେବାକୁ ଦିଦି ଏକାକୀ କାଫି । ଏହାସହ ଦିଦି କଂଗ୍ରେସ ଓ ସମାଜବାଦୀ ପାର୍ଟି ପରେ ଲୋକସଭାରେ ଦିଦିଙ୍କ ଟିଏମସି ଦଳ ୪ର୍ଥ ବଡ଼ ଦଳ ହୋଇ ଛିଡା ହୋଇଥିଲା ।
ହଠାତ୍ କାହିଁକି ବଦଳିଗଲେ ତେଜସ୍ବୀ ଓ ଲାଲୁ ?
ଇଣ୍ଡି ମେଣ୍ଟରେ ହଠାତ୍ ଲାଲୁ ଓ ତେଜସ୍ବୀଙ୍କ ମନ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ଲାଲୁ ପ୍ରଥମେ ମମତାଙ୍କୁ ସମର୍ଥନ ଦେଉଥିବା ବେଳେ ତେଜସ୍ବୀ କହିଥିଲେ ଇଣ୍ଡି ମେଣ୍ଟ ଥିଲା କେବଳ ନିର୍ବାଚନ ପର୍ଯ୍ୟନ୍ତ । ହେଲେ ଉଭୟ ନେତା ଏମିତି କାହିଁକି କହିଲେ ତାହାକୁ ନେଇ ବି ଚର୍ଚ୍ଚା ଜୋର ଧରିଥିଲା । ଅବଶ୍ୟ ଗାନ୍ଧୀ ପରିବାର ସହ ଲାଲୁଙ୍କ ସମ୍ପର୍କ କେମିତି ତାହା ସମସ୍ତେ ଜାଣନ୍ତି । ଏହା ପରେ ବି ସମର୍ଥନ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ରାହୁଲ ଯେବେ ମାନହାନୀ ମକଦ୍ଦମାରୁ ମୁକ୍ତି ପାଇଥିବେ ସେବେ ଲାଲୁ କୁଆଡ଼େ ଦିଲ୍ଲୀ ଯାଇ ବିହାରୀ ମଟନର ଭୋଜି ବି କରିଥିଲେ । ଖାଲି ଏତିକି ନୁହେଁ ଭାରତ ଯୋଡ ଯାତ୍ରା ସମୟରେ ବିହାରରେ ରାହୁଲଙ୍କ ଗାଇଡ୍ ରହିବା ସହିତ ସାରଥୀ ବି ବନିଥିଲେ ତେଜସ୍ବୀ ।
ଖାଲି ଏତିକିରେ କଥା ସରିନି ବରଂ ଦିଲ୍ଲୀରେ ବି ଆପ୍ ଓ କଂଗ୍ରେସ ମଧ୍ୟରେ ମତାନ୍ତର ହେବା ବି ଦଳ ପାଇଁ କ୍ଷତିକାରକ ହୋଇଛି । ଏମିତି ସ୍ଥିତିରେ ରାହୁଲ ଯେଉଁ ସ୍ବପ୍ନ ଦେଖିଥିଲେ ମେଣ୍ଟକୁ ନେଇ ତାହା କେବେ ବି ସଫଳ ହେବନି ବୋଲି ଚର୍ଚ୍ଚା ଭିତରେ ୨୪ ରେ ତାହାର କିଛିକାଂଶରେ ଝଲକ ଦେଖିବାକୁ ମିଳିଛି । ତେଣୁ ଆଗାମୀ ଦିନରେ ଶାସନ କ୍ଷମତାକୁ ଫେରିବାକୁ ହେଲେ କଂଗ୍ରେସକୁ କିଛି ନୂଆ କରିବାକୁ ପଡ଼ିବ ବୋଲି ବରିଷ୍ଠ ନେତାମାନେ କହିଲେଣି । ଅବଶ୍ୟ ଏନେଇ ରାହୁଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କେବଳ ଯାହା ଚର୍ଚ୍ଚା ଚାଲିଛି ।