କନକ ବ୍ୟୁରୋ: କୁହାଯାଏ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀମାନଙ୍କର ଏକତାରୁ ସୃଷ୍ଟି ହୋଇଥିବା ‘ଇଣ୍ଡିଆ ମେଣ୍ଟ’ ମୋଦୀଙ୍କୁ କ୍ଷମତାରୁ ସିନା ଦୂରେଇ ପାରିଲାନି, ହେଲେ ବହୁମତଠାରୁ କିନ୍ତୁ ପଛରେ ପକାଇ ଦେଲା । ଯେଉଁ କାରଣରୁ ମୋଦୀ, ନୀତୀଶ ଆଉ ଚନ୍ଦ୍ରବାବୁଙ୍କ ସାହାରା ଲୋଡ଼ିଲେ, ଆଉ ତାଙ୍କ କାନ୍ଧରେ ହାତ ରଖି ସରକାର ଗଢ଼ିଲେ । ହେଲେ ଏବେ ଇଣ୍ଡିଆ ମେଣ୍ଟରେ ଚାଲିଛି କ’ଣ? କାହିଁକି ପୂର୍ବଭଳି ଏକ ହୋଇପାରୁନାହାଁନ୍ତି ବିରୋଧୀ? କେଉଁଠି ରହୁଛି ଅସୁବିଧା ଆଉ କେଉଁଠି ରହୁଛି କେଁ?
ଏ ପ୍ରଶ୍ନ ଉଠିବାର କାରଣ ବି ଅଛି, କାହିଁକି ନା ଅପରେସନ୍ ସିନ୍ଦୂରକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବୈଠକରେ ୧୬ ବିରୋଧୀ ଦଳର ନେତା ସାମିଲ ହେଇଥିଲେ ବି, ଦୂରେଇ ରହିଛି ଶରଦ ପାଓ୍ୱାରଙ୍କ ଏନସିପି ଆଉ କେଜ୍ରିଓ୍ୱାଲଙ୍କ ଆମ୍ ଆଦମୀ ପାର୍ଟି । ତେଣୁ ଚର୍ଚ୍ଚା ହେଉଛି, ଶରତ-କେଜ୍ରିଓ୍ୱାଲ୍ କଣ ଏବେ ଇଣ୍ଡିଆ ମେଣ୍ଟଠୁ ମୁହଁ ଫେରାଇଲେଣି? ନା ଏ ଅନୁପସ୍ଥିତି ପଛରେ ଆଉ କଣ କାରଣ ଅଛି ?
ବିରୋଧୀ କ୍ୟାମ୍ପର ଏହି ମିଟିଂରେ ୧୬ ବିରୋଧୀ ଦଳର ନେତା ସାମିଲ ହେଇଥିଲେ । ଯେଉଁଥିରେ ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ସାମିଲ ଥିଲା । ହେଲେ ଏହି ବୈଠକରେ କିନ୍ତୁ ନଥିଲେ ଶରଦ ପାଓ୍ୱାରଙ୍କ ଏନସିପି ଆଉ କେଜ୍ରିଓ୍ୱାଲଙ୍କ ଆମ୍ ଆଦମୀ ପାର୍ଟିର ଜଣିଏ ବି ନେତା । ବୈଠକରେ ସାମିଲ ଥିବା ୧୬ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପରେସନ୍ ସିନ୍ଦୂର ଏବଂ ଆମେରିକା ଦ୍ୱାରା ଯୁଦ୍ଧ ବିରାମ ଘୋଷଣା ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିଲେ । ହେଲେ ଶରଦ ଆଉ କେଜ୍ରିଓ୍ୱାଲଙ୍କ ଅନୁପସ୍ଥିତି କିନ୍ତୁ ଇଣ୍ଡିଆ ମେଣ୍ଟରେ ଲୁଚି ରହିଥିବା କେଁ’କୁ ପଦାରେ ପକାଇଛି ।
ଶରତ ପାଓ୍ୱାର ଖପ୍ପା କି?
ଇଣ୍ଡିଆ ମେଣ୍ଟର ଏହି ବୈଠକରୁ ଦୂରେଇଛି ଶରଦ ପାଓ୍ୱାରଙ୍କ ଏନସିପି । ଏହି ବୈଠକରେ ସାମିଲ ହେବା ନେଇ ଶରଦ ପାଓ୍ୱାରଙ୍କ ନାଁ ଲିଷ୍ଟରେ ଥିଲା । ହେଲେ ଶରଦ କିନ୍ତୁ ଏହି ବୈଠକରେ ସାମିଲ ହେଇନଥିଲେ । ଯାହାପରେ ଚର୍ଚ୍ଚା ହେଉଛି କି, ଶରଦ କଣ ଇଣ୍ଡିଆ ମେଣ୍ଟ ଉପରେ ଖପ୍ପା ଅଛନ୍ତି କି? ତେବେ ଏହି ବୈଠକରେ ସାମିଲ ହେଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ କହିବା କଥା ହେଲା, ଲୋକସଭାରେ ଏନସିପିର ନେତା ହେଉଛନ୍ତି ସୁପ୍ରିୟା ସୁଲେ । ଯିଏକି ଏବେ ପ୍ରତିନିଧିମଣ୍ଡଳୀ ସହ ବିଦେଶରେ ଅଛନ୍ତି । ତେଣୁ ଏହି କାରଣରୁ ଏନସିପିର କୌଣସି ନେତା ଏହି ମିଟିଂରେ ସାମିଲ ହୋଇନଥିଲେ ।
ଅନ୍ୟପଟେ ଆଉ ଗୋଟିଏ ଚର୍ଚ୍ଚା ଏବେ ଜୋରସୋରରେ ଚାଲିଛି । ତା ହେଉଛି, ପୁଣିଥରେ ଏକାଠି ହୋଇପାରନ୍ତି ଶରଦ ଆଉ ଅଜିତ ପାଓ୍ୱାର । ଗତ କିଛିଦିନ ଭିତରେ ଅଜିତ ପାଓ୍ୱାରଙ୍କ ସହ ଶରଦ ପାଓ୍ୱାରଙ୍କ ଲଗାତାର ମିଟିଂ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଚର୍ଚ୍ଚା ହେଉଛି ଯେ, ଏହି ଯୋଡ଼ି ଏବେ ପୁଣିଥରେ ଏକାଠି ହୋଇପାରନ୍ତି । ଏମିତି ହେଲେ, ଶରଦଙ୍କ ଝିଅ ସୁପ୍ରିୟା ସୁଲେ କେନ୍ଦ୍ରରେ ମନ୍ତ୍ରୀ ହେବାର ରାସ୍ତା ସଫା ହୋଇଯିବ । ଆଉ ଏହି ମିସନ୍ ନେଇ ଏବେ ଶରଦ ପାଓ୍ୱାର ଲାଗି ପଡ଼ିଛନ୍ତି, ଯାହାକି ଇଣ୍ଡିଆ ମେଣ୍ଟଠୁ ମୁହଁ ଫେରେଇବାର ଅସଲ କାରଣ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ଦିଲ୍ଲୀ ବିଧାନସଭା ପରାଜୟ ପରେ ଏବେ ଏକଲା ଚଲୋ ନୀତିରେ ଆଗକୁ ବଢୁଛି ଆପ୍ । ଏମିତି କି, ଆପର ନେତା ଖୋଲାଖୋଲି ତାଙ୍କ ଦଳ କୌଣସି ମେଣ୍ଟରେ ନଥିବା ନେଇ ଘୋଷଣା କଲେଣି । କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆପ୍ ଇଣ୍ଡିଆ ମେଣ୍ଟର ଅଂଶ ହେଇଥିଲା, ହେଲେ ଏବେ ଆପ୍ କୌଣସି ବି ମେଣ୍ଟରେ ନାହିଁ ବୋଲି ଆପ୍ ନେତା କହୁଛନ୍ତି । ତେଣୁ ଇଣ୍ଡିଆ ମେଣ୍ଟର ଏହି ବୈଠକରେ ଆପ୍ ସାମିଲ ନ ହେବା କିଛି ନୂଆ କଥା ନୁହେଁ ।
ଏ ସବୁ ଭିତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେତେବେଳେ ଶରଦ ଆଉ କେଜ୍ରିଓ୍ୱାଲ୍ ଇଣ୍ଡିଆ ମେଣ୍ଟଠୁ ଦୂରକୁ ଯାଉଛନ୍ତି, ସେତେବେଳେ କିନ୍ତୁ ମମତା ଇଣ୍ଡିଆ ମେଣ୍ଟର ନିକଟତର ହେବାରେ ଲାଗିଛନ୍ତି । ତେବେ ଏହା ପଛର କାରଣ ମଧ୍ୟ ଅଛି, କାହିଁକି ନା ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଏହି ନିର୍ବାଚନରେ ଟିଏମସି ସିଧାସଳଖ ଭାବେ ବିଜେପିକୁ ସାମ୍ନା କରିବ । ତେଣୁ ଏଭଳି ସମୟରେ କଂଗ୍ରେସର ହାତ ଧରି ଦିଦି ପୁଣିଥରେ ପଶ୍ଚିମବଙ୍ଗର ସତ୍ତା ଦଖଲ କରିବାକୁ ଅଙ୍କ କଷୁଛନ୍ତି । ତେଣୁ ଦେଖିବାକୁ ବାକି ରହିଲା, ଇଣ୍ଡିଆ ମେଣ୍ଟରେ ଏବେ ଆଗକୁ କଣ ହେଉଛି?