କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ଉପରେ ଆଜି ପ୍ରେସ ମିଟ୍ କରି ସବିଶେଷ ସୂଚନା ଦେଇଛନ୍ତି ବିଦେଶ ସଚିବଙ୍କ ସହ ସେନାର ଦୁଇ ମହିଳା ଅଧିକାରୀ । ସାମିଲ ଥିଲେ ଲେଫ୍ଟେନାଣ୍ଟ କର୍ଣ୍ଣଲ ସୋଫିଆ କ୍ୟୁରେସି ଓ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଅଧିକାଂଶ ପ୍ରେସମିଟରେ ପୁରୁଷ ଅଧିକାରୀ ବ୍ରିଫିଙ୍ଗ ଦେଉଥିବାବେଳ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମହିଳା ଅଧିକାରୀଙ୍କ ପ୍ରେସ ମିଟ୍ ଚର୍ଚ୍ଚାର ବିଷୟ ପାଲଟିଛି ।
କର୍ଣ୍ଣେଲ ସୋଫିଆ କ୍ୟୁରେସି ଗୁଜରାଟର ବାସିନ୍ଦା । ତାଙ୍କ ଜନ୍ମ ୧୯୮୧ ମସିହାରେ ବଦୋଦରାରେ ହୋଇଥିଲା । ବାୟୋକେମେଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ସୋଫିଆ । ରିପୋର୍ଟ ମୁତାବକ, ସୋଫିଆଙ୍କ ଜେଜେ ସେନାରେ ଥିଲେ , ତାଙ୍କ ବାପା ମଧ୍ୟ ଅନେକ ବର୍ଷ ଧରି ସେନାରେ ସେବା ଦେଇଛନ୍ତି । ସୋଫିଆଙ୍କ ବିବାହ ସେନାର ଅଧିକାରୀ ମେଜର ତାଜୁଦ୍ଦିନ କୁରେସିଙ୍କ ସହ ହୋଇଛି । ତାଙ୍କର ପୁଅ ସମୀର କୁରେସି ।
୧୯୯୯ରେ ସେନାରେ ଏଣ୍ଟ୍ରି କଲେ ସୋଫିଆ । ୧୯୯୯ରେ ଚେନ୍ନାଇରେ ଥିବା ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପ୍ରଶିକ୍ଷଣର ନେଇ ଲେଫ୍ଟେନାଣ୍ଟ ଭାବେ ଦାୟିତ୍ବ ପାଇଲେ । ୨୦୦୬ରେ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ସ୍ଥାପନା ମିଶନରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୧୦ରେ ଶାନ୍ତି ସ୍ଥାପନା ସହ ଜଡିତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବ ସୀମାରେ ଅପରେସନ୍ ପରାକ୍ରମ ଚାଲିଥିବା ସମୟରେ ତାଙ୍କ ଦାୟିତ୍ବ ପାଇଁ ତାଙ୍କୁ ଜେନେରାଲ ଅଫିସର୍ସ କମାଣ୍ଡିଙ୍ଗ ଇନ୍ ଚିଫ୍ ସମ୍ମାନ ମିଳିଥିଲା।
୨୦୧୬ରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସୋଫିଆ କ୍ୟୁରେସି । ଏକ ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ସମୟରେ ଭାରତକୁ ପ୍ରତିନିଧିତ୍ବ କରିବାରେ ସୋଫିଆ ଥିଲେ ପ୍ରଥମ ଭାରତୀୟ ମହିଳା ସେନାଧିକାରୀ । ତାଙ୍କ ଅଧୀନରେ ଥିଲେ ୪୦ ମହିଳା ସୈନ୍ୟ । ଏହି ସୈନ୍ୟ ଅଭ୍ୟାସର ନାଁ ଥିଲା, ଏକ୍ସରସାଇଜ୍ ଫୋର୍ସ- ୧୮ ।