କନକ ବ୍ୟୁରୋ : ଦୁର୍ନୀତିର ଚାରାଭୁଇଁ ପାଲଟିଛି ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦ । ସ୍ବତନ୍ତ୍ର ଅଡିଟ ହେବା ପରେ ପୌର ପରିଷଦରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ସାମନାକୁ ଆସିଛି । ବିଭିନ୍ନ ଉପାୟରେ ସରକାରୀ ଟଙ୍କା ହରିଲୁଟ୍ କରାଯାଇଛି । ଯାହାର ତଥ୍ୟଭିତ୍ତିକ ରିପୋର୍ଟ କନକ ନ୍ୟୁଜ ହାତରେ ଲାଗିଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବେଲପାହାଡ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିବା ଚିଠିରେ ଦୁର୍ନୀତିର କଳା ଚିଠା ବାବଦରେ ଉଲ୍ଲେଖ ଅଛି ।
- ଅଗ୍ରୀମ ବାବଦକୁ ୭୨ ଲକ୍ଷ ୧୭ ହଜାର ୩୦୦ ଟଙ୍କା ଉଠାଯାଇଥିଲେ ମଧ୍ୟ ଭରଣା ହୋଇନି
- ସାଉଣ୍ଡ ସିଷ୍ଟମ ପାଇଁ ଅତ୍ୟଧିକ ୭୪, ୦୫୨ ଟଙ୍କା ଦିଆଯାଇଛି
- କିଛି କ୍ଲବକୁ ଦିଆଯାଇଥିବା ୩୭ ଲକ୍ଷ ୭୪ ହଜାର ୭୦୦ ଟଙ୍କା ଆର୍ଥିକ ଅନୁଦାନରେ ଅନିୟମିତତା
- ଡିଏଲଆର ଓ ଏନଏମଆରଙ୍କୁ ଇନସେନଟିଭ୍ ପ୍ରଦାନରେ ଅନିୟମିତତା
- ପୌର ପରିଷଦ ପକ୍ଷରୁ ବିଭିନ୍ନ ଉତ୍ସବ ପାଳନ ଆଳରେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ
୨୦୧୬ରୁ ୨୦୨୩ ମଧ୍ୟରେ ଏହି ଅଗ୍ରୀମ ଟଙ୍କା ଉଠାଯାଇଥିଲେ ମଧ୍ୟ ଏହାର ଭରଣା ହୋଇନି । ଅନ୍ୟପଟେ ପୂର୍ବ କାଉନସିଲ ସମୟରେ ଦର୍ନୀତି ହୋଇଥିବା କହିଛନ୍ତି ବେଲପାହାଡ ପୌର ପରିଷଦ ଅଧ୍ୟକ୍ଷ ।
ମିଳିଥିବା ସୂଚନା ମୁତାବକ, କରୋନା ମହାମାରୀ ସମୟରେ ପୌର ପରିଷଦରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା କର୍ମଚାରୀଙ୍କ ନାଁରେ ମନଇଚ୍ଛା ଟଙ୍କା ଉଠିଛି । କିନ୍ତୁ କାମ ନେଇ କୌଣସି ବିଲ ଦାଖଲ ହୋଇନଥିବା ବେଳେ ଅଗ୍ରୀମ ଟଙ୍କା ମଧ୍ୟ ଭରଣା ହୋଇନି । ଅନ୍ୟପଟେ ସ୍ବତନ୍ତ୍ର ଅଡିଟ ପରେ ହେରଫେର କରିଥିବା ଅଧିକାରୀଙ୍କ ଠାରୁ ଅଗ୍ରୀମ ଅର୍ଥ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ଯୁଗ୍ମ ସଚିବ । ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଏବେ ପ୍ରଶ୍ନ ଉଠୁଛି, କାହା ନିର୍ଦ୍ଦେଶରେ ଉଠିଥିଲା ଅଗ୍ରୀମ ଟଙ୍କା? ଅଗ୍ରୀମ ଟଙ୍କାରେ କେଉଁ କାମ ହୋଇଛି? ବେଲପାହାଡ ପୌରପରିଷଦରେ ଦୁର୍ନୀତିକୁ ପ୍ରଶୟ ଦେଇଥିଲା କିଏ? ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବଡବଡ଼ିଆଙ୍କୁ ଘଣ୍ଟ ଘୋଡାଯିବନି ତ?